Wed. Mar 11th, 2026

ଚରିତ୍ର ସନ୍ଦେହ: ପତ୍ନୀକୁ ହତ୍ୟା କରି ଶବ ଜାଳିଦେଲା ସ୍ବାମୀ

198 Views

ବଡ଼ଗାଁ : ଚରିତ୍ର ସନ୍ଦେହ ଯେ କେତେ ଭୟାନକ ହୋଇପାରେ, ତାର ଏକ ଲୋମଟାଙ୍କୁରା ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବଡ଼ଗାଁ ଥାନା ଅନ୍ତର୍ଗତ ତୁଡ଼ାଲଗା ଗାଁ କିଷାନପଡ଼ାରେ। ପତ୍ନୀକୁ ଫୁଙ୍କ ନଳୀରେ ପିଟି ହତ୍ୟା କରିବା ପରେ ଶବକୁ କିରୋସିନି ଢାଳି ନିଆଁ ଲଗାଇ ଦେଇଛି ପତି। ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଘଟଣାର ତଦନ୍ତ କରୁଛି। ତୁଡାଲଗା କିଷ‌ାନପଡ଼ାର ଲଲିତ କିଷାନ (୪୦) ବାମରା ଥାନା ଅନ୍ତର୍ଗତ ଯୌତୁକବାହାଲ ଗାଁର ତୁଳସୀ ଟପ୍ପୋ(୩୫)ଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ମାତ୍ର ତୁଳସୀଙ୍କ ଚରିତ୍ର ଉପରେ ଲଳିତ ବାରମ୍ବାର ସନ୍ଦେହ କରୁଥିଲେ।

ଏହି କାରଣରୁ ତୁଳସୀଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଉଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିବାରୁ ଗ୍ରାମ ବୈଠକରେ ଏହାର ଆପୋଷ ସମାଧାନ ହୋଇଥିଲା। ଆଜି ସକାଳେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସେହି କାରଣରୁ ଝଗଡ଼ା ହୋଇଥିଲା। ଫଳରେ ଲଳିତ ଉତ୍‌କ୍ଷିପ୍ତ ହୋଇ ଏକ ଫୁଙ୍କନଳୀରେ ତୁଳସୀଙ୍କ ମୁଣ୍ଡରେ ପ୍ରହାର କରିଥିଲା। ସେଥିରେ ତୁଳସୀ ନିସ୍ତେଜ ହୋଇ ପଡ଼ିଯିବା ପରେ ତାଙ୍କ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଲଳିତ ସେଠାରୁ ଫେରାର ହୋଇଯାଇଥିଲା। ବଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶବ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରିଥିଲା। ପରେ ଅଭିଯୁକ୍ତ ଲଳିତକୁ ଏକ ପରିତ୍ୟକ୍ତ ଘରୁ ଗିରଫ କରାଯାଇଥିଲା।

By amfnews

Related Post