Wed. Apr 23rd, 2025

ଘରେ ଛାଡ଼ି ଦେବାକୁ ଡାଏଲ୍‌ ୧୦୦କୁ ଫୋନ୍‌ କଲେ ଗଞ୍ଜାଇ ଟାଣିଥିବା ବ୍ୟକ୍ତି

By amfnews Mar 18, 2019 #Featured
212 Views

ବରେଲି: ଖୁବ୍‌ ଗଞ୍ଜାଇ ଟାଣିଥିବା ଜଣେ ବ୍ୟକ୍ତି ଘରେ ଛାଡ଼ି ଦେବାକୁ ଫୋନ୍‌ କରିବାରୁ ଶନିବାର ଦିନ ଉତ୍ତର ପ୍ରଦେଶର ଆମ୍ରୋହା ଜିଲ୍ଲାର ଡାଏଲ୍‌ ୧୦୦ ପୁଲିସ କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ପଡ଼ିଥିଲେ। ୨୪ ବର୍ଷିୟ ସେ ବ୍ୟକ୍ତି ଜଣକ ପୁଲିସକୁ କହିଥିଲେ କି, ପାଖରେ ଟଙ୍କା ନ ଥିବାରୁ ପଡ଼ୋଶୀ ସମ୍ଭାଲ ଜିଲ୍ଲାରେ ଥିବା ତାଙ୍କ ଘରକୁ ଫେରିବାକୁ ଗାଡ଼ଘୋଡ଼ା ପାଉ ନାହାନ୍ତି।

ତାଙ୍କ କଥାବାର୍ତ୍ତାରେ ତାଳମେଳ ରହୁ ନ ଥିବାରୁ ସେ କିଛି ନିଶାପାଣି କରିଛନ୍ତି କି, ବୋଲି ପୁଲିସ ପଚାରିବାରୁ ସେ ନାହିଁ କରିଥିଲେ।
ଟିକେ ପରେ ଜାମା ପକେଟ୍‌ରୁ ଚିଲମଟାଏ କାଢ଼ି ସେ ସ୍ୱାଭାବିକ ଢଙ୍ଗରେ କହିଥିଲେ, ପିଲା ଦିନରୁ ମୁଁ ଗଞ୍ଜାଇ ଟାଣି ଆସୁଛି।

ପୁଲିସ ଟିମ୍‌ ଯୁବକଙ୍କ ସହ ହେଉଥିବା କଥାବାର୍ତ୍ତା ରେକର୍ଡ କରିଥିଲେ। ପରେ ସେ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ସେଥିରେ ଦେଖାଯାଉଛି: ଯୁବକଟି ପୁଲିସଙ୍କ ସହ ଯୁକ୍ତି କରୁଛନ୍ତି ଯେ ୟୁପିଏସ୍‌ଆର୍‌ଟିସି ବସ୍‌ ପରି ପୁଲିସ ଜିପ୍‌ ମଧ୍ୟ ଗୋଟାଏ ସରକାରୀ ଗାଡ଼ି ହୋଇଥିବାରୁ ସେମାନେ ତାଙ୍କ ଘର ସମ୍ଭାଲ ଅନ୍ତର୍ଗତ ଗୁନ୍ନୌର୍‌ ଠାରେ କାହିଁକି ଛାଡ଼ି ଆସିବେ ନାହିଁ।

ପୁଲିସ କହିବା ଅନୁସାରେ, ଜଣେ ବନ୍ଧୁଙ୍କ ସହ କୌଣସି ଆତ୍ମୀୟଙ୍କୁ ଭେଟିବାକୁ ସେ ବ୍ୟକ୍ତିଜଣକ ଆମ୍ରୋହାର ଉଝାନି ଅଞ୍ଚଳକୁ ଆସିଥିଲେ। ପରେ ସେ ବନ୍ଧୁ ଜଣକ ଚାଲି ଯାଇଥିଲେ। ୟାଙ୍କ ପାଖରେ ଟଙ୍କା ନ ଥିବାରୁ ସେ ଯାଇ ନ ପାରି ରହିଯାଇଥିଲେ।

ସେ ଗଞ୍ଜାଇ ନିଶାରେ ଥିଲେ। କିନ୍ତୁ, ତାଙ୍କର ଦୃଢ଼ ବିଶ୍ୱାସ ଯେ ଗଞ୍ଜାଇ ଆଦୌ ନିଶା ଦ୍ରବ୍ୟ ନୁହେଁ। ପରେ କନେଷ୍ଟବଳମାନେ ତାଙ୍କୁ ନେଇ ବସ୍‌ ଷ୍ଟାଣ୍ଡ୍‌ରେ ଛାଡ଼ି ଆସିବା ସହ ଟିକିଟ୍‌ କିଣିବାକୁ ଟଙ୍କା ଦେଇଥିଲେ।

By amfnews

Related Post