Sat. Jan 11th, 2025

ଗ୍ରୀସରେ ଶିଶୁ ସାହିତ୍ୟ ଉପରେ ଆଧାରିତ ଆନ୍ତର୍ଜାତୀୟ ସମ୍ମିଳନୀର ଦୁଇଟି ଅଧିବେଶନରେ ଆରଏସପିର ସଞ୍ଚାର ମୁଖ୍ୟଙ୍କ ଅଧ୍ୟକ୍ଷତା

By amfnews Sep 12, 2018 #Featured
135 Views

ରାଉରକେଲା, ୧୨ା୯  : ସେଲ ରାଉରକେଲା ଇସ୍ପାତ କାରଖାନାର ସଞ୍ଚାର ମୁଖ୍ୟ ତଥା ପ୍ରତିଷ୍ଠିତ ଲେଖକ ରମେନ୍ଦ୍ର କୁମାର ଏଥେନ୍ସ ଠାରେ ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୩୬ ତମ ଇଣ୍ଟରନେସନାଲ ବୋର୍ଡ ଅନ୍ ବୁକ୍ସ ଫର ୟଙ୍ଗ ପିପୁଲ (ଆଇବିବିୱାଇ) କଂଗ୍ରେସର ଦୁଇଟି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ । ଉଲ୍ଲେଖନୀୟ ଯେ, ରମେନ୍ଦ୍ର କୁମାର ଏକମାତ୍ର ଭାରତୀୟ ରୂପେ ଏହି ଗୌରବ ଅର୍ଜ୍ଜନ କରିଛନ୍ତି ।

୭୦ରୁ ଉଦ୍ଧ୍ୱର୍ ଦେଶରୁ ୪୫୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିବା ଉକ୍ତ କଂଗ୍ରେସକୁ ଶିଶୁ ସାହିତ୍ୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଦ୍ୱିବାର୍ଷିକ କାର୍ଯ୍ୟକ୍ରମ ରୂପେ ବିବେଚନା କରାଯାଇଥାଏ । ଅଗଷ୍ଟ ୩୦ ତାରିଖରେ ଏକ ଅଧିବେଶନର ଅଧ୍ୟକ୍ଷତା କରିବା ନିମନ୍ତେ ଏହି ସୁନାମଧନ୍ୟ ଲେଖକ ନିମନ୍ତ୍ରିତ ହୋଇଥିଲେ । ତାଙ୍କ ଉପସ୍ଥାପନାର ସକାରାତ୍ମକ ସୁଦୂର ପ୍ରଭାବ ତଥା ଲୋକପ୍ରିୟତା ଦୃଷ୍ଟିରୁ ଅଗଷ୍ଟ ୩୧ ତାରିଖରେ ଅନ୍ୟ ଏକ ଅଧିବେଶନରେ ମଧ୍ୟ ତାଙ୍କୁ ଅଧ୍ୟକ୍ଷତା କରିବା ପାଇଁ ଅନୁରୋଧ କରାଯାଇଥିଲା । ପରେ ପରେ ରମେନ୍ଦ୍ର କୁମାର “ଦି ବ୍ରେଭ ନ୍ୟୁ ୱାର୍ଲ୍ଡ ଅଫ ଇଣ୍ଡିଆନ ଚିଲଡ୍ରେନସ ଲିଟରେଚର” ସନ୍ଦର୍ଭରେ ଏକ ପେପର ଉପସ୍ଥାପିତ କରିଥିଲେ ।

ଏହି ଉପସ୍ଥାପନା ଅବସରରେ ବିଶ୍ୱ ଦୃଶ୍ୟପଟ୍ଟରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଏହାର ପ୍ରାସଙ୍ଗିକତା ଉପରେ ମଧ୍ୟ ଶ୍ରୀ କୁମାର ଆଲୋକପାତ କରିଥିଲେ । ଶ୍ରୀ କୁମାର ଜଣେ ଖ୍ୟାତିସମ୍ପନ୍ନ ଶିଶୁ ସାହିତ୍ୟିକ ଅଟନ୍ତି ଏବଂ ଅଦ୍ୟାବଧି ୩୩ଟି ପୁସ୍ତକ ରଚନା କରିଛନ୍ତି । ତାଙ୍କର ପୁସ୍ତକ ୨୮ଟି ଉଭୟ ଭାରତୀୟ ଓ ଆନ୍ତର୍ଜାତୀୟ ଭାଷାରେ ଅନୁବାଦ ହୋଇଛି । ବିଗତ ବର୍ଷଗୁଡିକରେ ଚିଲଡ୍ରେନ୍ସ ବୁକ ଟ୍ରଷ୍ଟ ଦ୍ୱାରା ଶିଶୁ ସାହିତ୍ୟିକଙ୍କ ପାଇଁ ଆୟୋଜିତ ପ୍ରତିଯୋଗିତାରେ ଶ୍ରୀ କୁମାର ୩୧ଟି ପୁରସ୍କାର ଲାଭ କରିଛନ୍ତି ।

କୌଣସି ଲେଖକଙ୍କ ମଧ୍ୟରେ ଏହା ସର୍ବାଧିକ ପୁରସ୍କାର ଅଟେ । ଜଣେ ବିଶିଷ୍ଟ ପ୍ରେରଣାଦାୟୀ ବକ୍ତା ଓ କଥାକାର ରୂପେ ପରିଚିତ ଶ୍ରୀ କୁମାର ଜୟପୁର ଲିଟଫେଷ୍ଟ ଓ ବୁକାରୁ ଭଳି ବିଭିନ୍ନ ମର୍ଯ୍ୟାଦାଜନକ ସାହିତ୍ୟ ଉତ୍ସବ ଏବଂ ସାହିତ୍ୟ ଏକାଡେମୀ, ଇଗ୍ନୋ ଏବଂ ଏନବିଟି ସେମିନାରରେ ଆମନ୍ତ୍ରିତ ହୋଇଯୋଗଦେଇଛନ୍ତି । ସେ ଜଣେ ଇଞ୍ଜିନିୟର ଅଟନ୍ତି ଏବଂ ମାର୍କେଟିଙ୍ଗରେ ସ୍ୱର୍ଣ୍ଣ ପଦକ ସହିତ ଏମବିଏ ଡିଗ୍ରୀ ମଧ୍ୟ ଲାଭ କରିଛନ୍ତି ।

By amfnews

Related Post