ଭୋପାଳ, ଅଗଷ୍ଟ ୨୪ : ଜଣେ ୬୨ ବର୍ଷୀୟ ଓ ୪ ବର୍ଷର ଶିଶୁ ସମେତ ଗୋଟିଏ ପରିବାର ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରୁ ୩୪୩ କିଲୋମିଟର ଦୂର ତଥା ଟିକମଗଡ଼ ଜିଲ୍ଲାରେ ରବିବାର ସକାଳୁ ଏହି ଅଭାବନୀୟ ଘଟଣା ଘଟିଥିବା ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି । ମୃତକମାନେ ହେଲେ ଖଡ଼ଗପୁର ସହରର ଧରମଦାସ ସୋନି (୬୨), ପୋନି ସୋନି (୫୫), ଉଭୟଙ୍କ ପୁଅ ମନୋହର ସୋନି (୨୭), ବୋହୁ ସୋନମ ସୋନି (୨୫) ଓ ନାତି ସାନିଧ୍ୟ (୪) ।
ଟିକମଗଡ଼ ପୋଲିସ ଅଧୀକ୍ଷକ ପ୍ରଶାନ୍ତ ଖାରେ କହିଛନ୍ତି, ଜଣେ କ୍ଷୀରବିକାଳୀ ପଡୋଶୀ ଘରକୁ ସକାଳୁ ଧରମଦାସ ଓ ତାଙ୍କର ପରିବାରର ଅନ୍ୟ ୪ ଜଣ ଆତ୍ମହତ୍ୟା କରିଥିବା ନେଇ ସୂଚନା ଦେଇଥିଲେ । ଧରମଦାସ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିଲେ । ତାଙ୍କର ଘର ଭିତର ପଟୁ ବହୁ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବାରୁ ପଡୋଶୀ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।
ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଘର ଭିତରକୁ ପ୍ରବେଶ କରିଥିଲା । ପୋଲିସ ଟିମ ପ୍ରଥମେ ମନୋହରଙ୍କ ମୃତଦେହ ଏକ ପଂଙ୍ଖାରେ ଝୁଲୁଥିବା ଦେଖିଥିଲେ । ପରେ ପୋଲିସ ଟିମ ଅନ୍ୟ ଏକ ରୁମରୁ ପରିବାରର ଅନ୍ୟ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ସୁଇସାଇଡ ନୋଟ ଉଦ୍ଧାର ହୋଇ ନାହିଁ ବୋଲି ପୋଲିସ କହିଥିବା ବେଳେ ଘଟଣାର ତଦନ୍ତ ଚାଲିଛି ।