Sun. Apr 20th, 2025

ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀଙ୍କୁ ଟିକେଟ୍‌ ଦିଆଯିବ ନାହିଁ: କଂଗ୍ରେସ ପ୍ରଭାରୀ

By amfnews Mar 7, 2019 #Featured
318 Views

ଭୁବନେଶ୍ୱର: ଗୁରୁବାର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପ୍ରାର୍ଥୀ ଚୟନ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଛି।

ଗତକାଲି ଗଣମାଧ୍ୟମରେ ପ୍ରକାଶିତ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ପକ୍ଷରୁ ଚୂଡ଼ାନ୍ତ ଚୟନ ଲାଗି ଏଆଇସିସି ନିକଟକୁ ପଠାଯାଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଠିକ ନୁହେଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ତାଲିକା ‘ଅସଲି ନୁହେଁ ବୋଲି ସ୍ପଷ୍ଟ କରିଥିଲେ।

ତେବେ ଆଜି କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ, ଆଗାମୀ ନିର୍ବାଚନରେ ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀଙ୍କୁ କଂଗ୍ରେସ ଟିକେଟ ଦେବ ନାହିଁ । ନିର୍ବାଚନରେ ପରିବାରବାଦକୁ ପ୍ରୋତ୍ସାହନ ଦିଆଯିବ ନାହିଁ।

ଗତକାଲି ଗଣମାଧ୍ୟମରେ ଭାଇରାଲ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ କଂଗ୍ରେସର ଏକାଧିକ ବରିଷ୍ଠ ନେତାଙ୍କ ପୁଅମାନଙ୍କ ନାମ ଥିବା ପ୍ରକାଶ କରାଯାଇଥିଲା। ଏହାର ପ୍ରତିକ୍ରିୟା ରଖି କଂଗ୍ରେସ ପକ୍ଷରୁ ପ୍ରଭାରୀ ଜିତେନ୍ଦ୍ର ସିଂ ଏହା ସ୍ପଷ୍ଟ କରିଛନ୍ତି।

ତେବେ ଜଣେ ବରିଷ୍ଠ ନେତା ଚାହିଁଲେ ତାଙ୍କ ବଦଳରେ ତାଙ୍କ ପୁତ୍ରଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ ମହିଳା ଯୁବକ ଏବଂ ନୂଆ ମୁହଁକୁ କଂଗ୍ରେସ ପକ୍ଷରୁ ଗୁରୁତ୍ୱ ଦିଆଯିବ।

By amfnews

Related Post