Tue. Nov 26th, 2024

ଗୋଟିଏ ଜୀବନ, ତିନିଟି ମୃତ୍ୟୁ: ଦି’ ଥର ମରି ବଂଚିଲେ, ତୃତୀୟ ଥର ମରିଗଲେ!

By amfnews Oct 17, 2019 #Featured
376 Views

ଚଣ୍ଡିଗଡ଼  : ଜଣେ ମହିଳା ଡାକ୍ତରଙ୍କ ଦ୍ୱାରା ଦି ଦି ଥର ମୃତ ଘୋଷିତ ହେବା ପରେ ବଂଚି ଉଠିଛନ୍ତି। ଏହାପରେ ପୁଣିଥରେ ତୃତୀୟ ଥର ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହା ଡାକ୍ତରଙ୍କ ବିଫଳତା ନୁହେଁ ଏହା ଏକ ପ୍ରକାର ରୋଗ। ଯାହାକୁ ଲାଜାରୁସ ଫେନୋମେନା ବା ଲାଜରୁସ ଘଟଣା ବୋଲି କୁହାଯାଏ। ପ୍ରଥମ ଥର ପାଇଁ ଭାରତରେ ଏଭଳି ରୋଗୀ ଦେଖିବାକୁ ମିଳିଛନ୍ତି ଚଣ୍ଡିଗଡ଼ରେ। ଏହି ରୋଗର ଶିକାର ହୋଇଥିବା ରୋଗୀର ମୃତ୍ୟୁ ବାବଦରେ ସଠିକ ସୂଚନା ଦେବା ଡାକ୍ତରଙ୍କ ପାଇଁ ସବୁଠି କଠିନ କାମ ହୋଇଥାଏ।

ଏହି ରୋଗର ନାମ ଲାଜରୁସ ରଖାଯିବା ପଛରେ ଏକ ବଡ଼ କାରଣ ରହିଛି। ବାଇବେଲରେ ଲେଖାହୋଇଛି ଯେ, ଲାଜରୁସ ନାମକ ଜଣେ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁକୁ ୪ ଦିନ ହୋଇଥିଲା। ହେଲେ ଯୀଶୁ ଖ୍ରୀଷ୍ଟ ତାଙ୍କୁ ଡାକିବା ପରେ ସେ ପୁଣିଥରେ ଜୀବିତ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଗତ ମାସରେ ଜଣେ ୪୫ ବର୍ଷୀୟ ମହିଳା ଚଣ୍ଡିଗଡ଼ର ଏକ ସରକାରୀ ମଲଟି ସୁପରସ୍ପେଶାଲଟି ହସ୍ପିଟାଲ(ଜିଏମସିଏଚ) ୧୬ରେ ଭର୍ତ୍ତି ହୋଇଥିଲେ। ଏଠାରେ ଡାକ୍ତର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ୩ ଘଣ୍ଚା ପରେ ଆମ୍ବୁଲାନ୍ସରେ ତାଙ୍କୁ ନେଇ ଯାଇଥିଲେ ପରିବାର ଲୋକେ। ହେଲେ ରାସ୍ତାରେ ନେବାବେଳେ ତାଙ୍କ ପରିବାର ଲୋକେ ସେ ଜୀବିତ ଥିବା ଦେଖିବାକୁ ପାଇଥିଲେ।

ଏହାପରେ ପରିବାର ଲୋକେ ତାଙ୍କୁ ଜିଏମସିଏଚର ୩୨ରେ ଏମରଜେନ୍ସି ଓ୍ୱାର୍ଡରେ ଭର୍ତ୍ତି କରାଇଥିଲେ। ହେଲେ ଚିକିତ୍ସାର ଦୁଇ ଘଣ୍ଟା ପରେ ଡାକ୍ତର ପୁଣି ଥରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରୀ ଭାଷାରେ ଏହାକୁ ଲାଜରୁସ ଘଟଣା ବୋଲି କୁହନ୍ତି।

ପୃଥିବୀରେ ଏଭଳି ଘଟଣା ୩୮ଟି ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ଭାରତରେ ଏହି ଲାଜରୁସ ରୋଗର ଜଣେ ଶିକାର ହୋଇଛି ବୋଲି ଜିଏମସିଏଚ-୩୨ର ଫରେନସିକ ମେଡିସିନର ମୁଖ୍ୟ ଡାକ୍ତର ଦଶରୀ ହରୀଶ କହିଛନ୍ତି।

ଜିଏମଏସଏଚ-୧୬କୁ ଯେତେବେଳେ ଏହି ମହିଳାଙ୍କୁ ନିଆଯାଇଥିଲା ସେତେବେଳେ ସେ ଫୁସଫୁସ ରୋଗରେ ଆକ୍ରାନ୍ତ ଥିଲେ। ଯେଉଁଥିପାଇଁ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ମୃତ ଘୋଷିତ ହୋଇଥିଲେ। ଏହାପରେ ସେମାନେ ଦ୍ୱିତୀୟ ଥର ଜିଏମସିଏଚ ୩୨ରେ ଭର୍ତ୍ତି କରାଇଥିଲେ। ହେଲେ ସେ ପୂର୍ବରୁ ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିଲେ ବୋଲି ପରିବାର ଲୋକେ ଜିଏମସିଏଚ ହସ୍ପିଟାଲକୁ କହିନଥିଲେ। ଏଭଳି ମୃତ୍ୟୁକୁ ନେଇ ଏକ ଗବେଷଣା ଟିମ୍ ଗଠନ କରାଯାଇଥିବା ସୂଚନା ରହିଛି।

୨୦୧୫ରେ ଅନ୍ତିମଥର ପାଇଁ ଡେନମାର୍କରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିଲା। ହସ୍ପିଟାଲରେ ତାଙ୍କ ମୃତ ଶରୀର ଥିଲା। ପାଖାପାଖି ୨୨ ଘଣ୍ଟା ପରେ ସେ ପୁଣିଥରେ ଜୀବତ ହୋଇଥିଲେ। ଏମିତିକି ସେ ସୁପ୍ ମଧ୍ୟ ପିଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ରହିଛି।

By amfnews

Related Post