Wed. Dec 25th, 2024

ଗୃହ ଯୋଗାଇ ଦେବା ନାଁରେ ଆର୍ଏସ୍ପିର ଶୋଷଣ ପ୍ରସଙ୍ଗ : ଆଇନ୍ଗତ ଦିଗ ଆଧାରରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ – ରାଜସ୍ୱ ମନ୍ତ୍ରୀ

rklsanchar@gmail.com' By J.N. Pradhan Jul 14, 2018 #Featured
261 Views

ରାଉରକେଲା, ୧୪/୭ : ରାଜ୍ୟ ସରକାରଙ୍କ ଅଗୋଚରରେ ଗୃହ ଯୋଗାଇ ଦେବା ନାଁରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ବେଆଇନ୍ ଭାବରେ କୋଟି କୋଟି ଟଙ୍କା ଆଦାୟ କରୁଥିବା ପ୍ରସଙ୍ଗକୁ ନେଇ ଆଇନ୍ଗତ ଦିଗ ଆଧାରରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାରଙ୍କ ଅଗୋଚରରେ ପରିବାରର ଭରଣ ପୋଷଣ ପାଇଁ ପରିଶ୍ରମ କରି ରାଉରକେଲା ଇସ୍ପାତ କାରଖାନାର ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ଠାରୁ ବିଭିନ୍ନ ଉପାୟରେ କାରଖାନା କର୍ତ୍ତୃପକ୍ଷ କୋଟି କୋଟି ଟଙ୍କା ଆଦାୟ କରିଚାଲିଛନ୍ତି । ଏହି ଅଭିଯୋଗ ଆଧାରରେ ଗତକାଲି ପୂର୍ବ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସଚିବାଳୟ ସ୍ଥିତ ରାଜସ୍ୱ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରମୁଖ ଶାସନ ସଚିବ ଚନ୍ଦ୍ରଶେଖର କୁମାରଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା ।

ଆଲୋଚନା ବେଳେ ରଘୁନାଥପାଲୀ ବିଧାୟକ ତଥା ସୁନ୍ଦରଗଡ ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ କହିଲେ ଯେ, କେନ୍ଦ୍ର ସରକାରଙ୍କ ପରିଚାଳନାଧିନ ଭାରତୀୟ ଇସ୍ପାତ ପ୍ରାଧିକରଣ ନିଗମର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଗତ ୨୦୦୦ ମସିହାରେ କାରଖାନାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦୀର୍ଘମିଆଦୀ ସୂତ୍ରରେ ସବ୍ଲିଜ୍ ମାଧ୍ୟମରେ ଗୃହ ଯୋଗାଇ ଦେବା ନିମନ୍ତେ ନିର୍ଦ୍ଦେଶ ଆସିଥିଲା । ଏହି ନିର୍ଦ୍ଦେଶନାମା ଆଧାରରେ ଗୃହ ଯୋଗାଇ ଦେବା ପାଇଁ କାରଖାନା କର୍ତ୍ତୃପକ୍ଷ ଓଡିଶା ସରକାରଙ୍କ ଠାରୁ ଅନୁମତି ଲୋଡିଥିଲେ । ବିଗତ ୨୦୦୩ ମସିହାରେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ପାଇଲା ପରେ କାରଖାନା କର୍ତ୍ତୃପକ୍ଷ ମାତ୍ର ୩୯୫ଟି ଘର ଯୋଗାଇ ଦେଇଥିଲେ ।

ପରବର୍ତ୍ତୀ ସମୟରେ ଏହି ଆଧାରରେ ଘର ନ ଯୋଗାଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୧୧/୨୨/୩୩ ମାସ ପାଇଁ ରାଜ୍ୟ ସରକାରଙ୍କ ଅଜ୍ଞାତରେ ଲାଇସେନ୍ସ ମାଧ୍ୟମରେ ଗୃହ ଆବଣ୍ଟନ କରି ବିଭିନ୍ନ ଉପାୟରେ କୋଟି କୋଟି ଟଙ୍କା ଅନ୍ୟାନ୍ୟ ଭାବେ ଆଦାୟ କରିଚାଲିଛନ୍ତି । କେବଳ ସେତିକି ନୁହେଁ କ୍ଷମତାର ଦୁରୁପଯୋଗ କରି କେତେବେଳେ ଘରଗୁଡିକରୁ ବିଦ୍ୟୁତ୍ ସଂଯୋଗ କାଟି ଦେଇଛନ୍ତି ତ ଆଉ କେତେବେଳେ ବେଆଇନ୍ ଭାବେ ଗୃହ ଖାଲି କରିବାକୁ ନୋଟିସ୍ ଦେଉଛନ୍ତି । ସମ୍ପ୍ରତି କାରଖାନାର ଆର୍ôଥକ ସଂକଟର ବୋଝ କମାଇବା ପାଇଁ ନିଜ ଅପାରଗତାକୁ ଲୁଚାଇ କାରଖାନାର ରାଜସ୍ୱ ବୃଦ୍ଧି ପାଇଁ   ଲାଭଖୋର ମନୋବୃତ୍ତି ନେଇ ପରିଣତ ବୟସରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ହଇରାଣ ହରକତ କରିଚାଲିଛନ୍ତି ।

ଏହି ସମସ୍ୟା ନେଇ ବିଭିନ୍ନ ସମୟରେ ରାଉରକେଲା ଇସ୍ପାତ କରାଖାନା କର୍ତ୍ତୃପକ୍ଷ ଓ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ଉପସ୍ଥିତିରେ ଜିଲା ପ୍ରଶାସନିକ ଅଧିକାରୀଙ୍କ ସହ ଆୟୋଜିତ ବୈଠକର ନିଷ୍ପତ୍ତି ଅନୁଯାୟୀ କାରଖାନାର ୩ ଜଣ ଅଧିକାରୀ ଏବଂ ଜିଲା ପ୍ରଶାସନର ୩ ଜଣ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଏହି କମିଟିର ନିଷ୍ପତ୍ତି ଅନୁଯାୟୀ ଗୃହଗୁଡିକୁ ସବ୍ଲିଜ୍ ଜରିଆରେ ଆବଣ୍ଟନ କରାଯିବ । ମାତ୍ର ଅତ୍ୟନ୍ତ ପରିତାପର ବିଷୟ କାରଖାନା କର୍ତ୍ତୃପକ୍ଷ ଏହି ନିଷ୍ପତ୍ତିକୁ ମଧ୍ୟ ଭ୍ରୁକ୍ଷେପ କରିନାହାନ୍ତି ।

ବରଂ ପ୍ରତିବାଦଳରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଠାରୁ ଲୁଟି ଚାଲିଛନ୍ତି । ଆଜିକାର ଆୟୋଜିତ ବୈଠକରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଗୃହ ସମସ୍ୟାକୁ ନେଇ ବିଭିନ୍ନ ଆଲୋଚନା ହେବା ପରେ ମନ୍ତ୍ରୀ ଶ୍ରୀ ମହାନ୍ତି ପ୍ରତିଉତ୍ତରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ କୁମାରଙ୍କୁ ନିର୍ଦ୍ଦେଶ ଦେଇ କହିଲେ ଯେ, ଜିଲାପାଳ ତଥା ଜିଲା ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରି ଏହି ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କର । ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପର୍ଯ୍ୟନ୍ତ ଇସ୍ପାତ କାରଖାନା କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇପାରିବେ ନାହିଁ ।

ଗତକାଲି ଆୟୋଜିତ ବୈଠକରେ ବିଧାୟକ ଶ୍ରୀ ତରାଇଙ୍କ ସମେତ ବିଭାଗୀୟ ଯୁଗ୍ମ ସଚିବ ଅଭୟ କୁମାର ନାୟକ, ସୁନ୍ଦରଗଡ ଅତିରିକ୍ତ ଜିଲାପାଳ ଭାସ୍କର ତୁରୁଖ, ରାଉରକେଲା ତହସିଲଦାର ବିଶ୍ୱରଞ୍ଜନ ରଥ, ଇସ୍ପାତ କାରଖାନାର ନିର୍ବାହୀ ନିର୍ଦ୍ଦେଶକ କାଙ୍ଗାଳି ଚରଣ ବାରିକ, ଆର୍.ଏନ୍. ପ୍ରଧାନ, ଶିଶିର କୁମାର ଦାସ, କୁତବୁଦିନ ଖାନ, ଏସ୍. ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Related Post