Sun. Jan 12th, 2025

ଗୁଣଗ୍ରାହୀ କଳାପ୍ରେମୀଙ୍କ ନିମନ୍ତେ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସଦାସର୍ବଦା ଏକ ମହୋଲ୍ଲାସ : ସିଇଓ

By amfnews Nov 8, 2018 #Featured
213 Views

ରାଉରକେଲା, ୮ା୧୧  : “ଗୁଣଗ୍ରାହୀ କଳାପ୍ରେମୀଙ୍କ ନିମନ୍ତେ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସଦାସର୍ବଦା ଏକ ମହୋଲ୍ଲାସ” ବୋଲି ରାଉରକେଲା ଇସ୍ପାତ କାରଖାନାର ସିଇଓ ଶ୍ରୀ ଅଶ୍ୱିନୀ କୁମାର ଭଞ୍ଜଭବନ ମୁକ୍ତ ମଞ୍ଚ ଠାରେ ନଭେମ୍ବର ୫ ତାରିଖ ଦିନ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ଓ ଲୋକନୃତ୍ୟ ଉତ୍ସବରେ ମାନ୍ୟତା ହାସଲ କରିଥିବା ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ- ୨୦୧୮ର ଉଦଯାପନୀ ସନ୍ଧ୍ୟାରେ ଅଭିଭାଷଣ ଦେଇ ଉଲ୍ଲେଖ କରିଛନ୍ତି । ଉତ୍ସବରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା ସବିତା କୁମାରୀ ଓ ବିଶିଷ୍ଟ ନାଟ୍ୟ ବିଶେଷଜ୍ଞ ସତ୍ୟ ରଞ୍ଜନ ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

ଏହି ଅବସରରେ ଆରଏସପିର ବହୁ ବରିଷ୍ଠ ଅଧିକାରୀ ଓ ଇସ୍ପାତ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ନିଜର ବକ୍ତବ୍ୟରେ ଅଶ୍ୱିନୀ କୁମାର ଓଡିଶାର ଋଦ୍ଧିମନ୍ତ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରସାର ପାଇଁ ଏଭଳି ଏକ ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଭଞ୍ଜ କଳାକେନ୍ଦ୍ରର ସକ୍ରିୟ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ । “ସାଂସ୍କୃତିକ ଐତିହ୍ୟ ନିମନ୍ତେ ଓଡିଶାର ସ୍ୱତନ୍ତ୍ର ପରିଚୟ ରହିଛି ଏବଂ ଭଞ୍ଜ କଳା କେନ୍ଦ୍ର ଭଳି ଅନୁଷ୍ଠାନ ଓ ରାଉରକେଲା ଇସ୍ପାତ କାରଖାନାର ନିରନ୍ତର ପ୍ରୟାସ ଯୋଗୁଁ ରାଉରକେଲା ଏହି ସାଂସ୍କୃତିକ ଗତିଧାରାର ପ୍ରାଣକେନ୍ଦ୍ର ରୂପେ ଉଭା ହୋଇଛି” ବୋଲି ସେ ଉଲ୍ଳେଖ କରିଥିଲେ ।

ଏଥିପୂର୍ବରୁ ଶଙ୍ଖ ଧ୍ୱନି ମଧ୍ୟରେ ଅତିଥିମାନଙ୍କୁ ଫୁଲ ଚନ୍ଦନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ବୀଣାପାଣି ରଥଙ୍କ ନିର୍ଦ୍ଦେଶନାରେ ଭଞ୍ଜ କଳା କେନ୍ଦ୍ରର ବିଦ୍ୟାର୍ଥୀଙ୍କ ଦ୍ୱାରା ହିନ୍ଦୁସ୍ତାନୀ ବୃନ୍ଦ ଗାୟନ ସମସ୍ତଙ୍କ ମନକୁ ଛୁଇଁଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରିଥିଲେ । ବିଶିଷ୍ଟ କୁଚିପୁଡି ନୃତ୍ୟଗୁରୁ ହାଇଦ୍ରାବାଦର ସୁଶ୍ରୀ ଲକ୍ଷ୍ମୀ ଶଙ୍କର ଏବଂ ତାଙ୍କର ଅନୁଷ୍ଠାନ ନୃତ୍ୟଦୀକ୍ଷାଳୟର କଳାକାରମାନେ ଏହି ସନ୍ଧ୍ୟାରେ ଚିତ୍ତାକର୍ଷକ କୁଚିପୁଡି ନୃତ୍ୟ ପରିବେଷଣ କରିଥିଲେ ।

ସେମାନେ ବିଭିନ୍ନ ପର୍ଯ୍ୟାୟରେ ଗଣପଥିନୀ, ନନ୍ଦକାଧାର ଓ ଗୋଲ୍ଲାପଲ୍ଲେଲୋ ପରିବେଷଣ କରିଥିଲେ ଯାହା ଦର୍ଶକଙ୍କର ମନକୁ ବେଶ ଛୁଇଁଥିଲା । ପରେ ପରେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ସାଥି କଳାକାରଙ୍କ ଦ୍ୱାରା ତାଳବାଦ୍ୟର ପରିବେଷଣ ଉତ୍ସବରେ ରୋମାଞ୍ଚ ଭରିଦେଇଥିଲା । ଶେଷରେ ବିଶ୍ୱର ବିଭିନ୍ନ ଦେଶରେ ପଶୁମୁଖା ନୃତ୍ୟ ପରିବେଷଣ କରି ଯଶ ଅର୍ଜ୍ଜନ କରିଥିବା ନାରାୟଣ ମହାରଣା ଏବଂ ସାଥି କଳାକାରମାନେ ଘୁମୁସରରେ ପ୍ରସିଦ୍ଧ ପଶୁମୁଖା ନୃତ୍ୟ ପରିବେଷଣ କରିଥିଲେ ।

ଏଥିରେ ସମସ୍ତ ପ୍ରାଣୀ ଜଗତ ଶାନ୍ତି ଓ ସୌହାର୍ଦ୍ଦ ମଧ୍ୟରେ ଅବସ୍ଥାପନ କରିବାର ବାର୍ତ୍ତା ସେ ନୃତ୍ୟ ମାଧ୍ୟମରେ ପ୍ରସାରିତ କରିଥିଲେ । ଉତ୍ସବରେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ । ଭଞ୍ଜ କଳା କେନ୍ଦ୍ର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ତଥା ଆରଏସପି ପ୍ରକଳ୍ପ ବିଭାଗର ଡିଜିଏମ ଅସୀମ ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଆରଏସପି ଲୋକସମ୍ପର୍କ ବିଭାଗର ଶଶାଙ୍କ ପଟ୍ଟନାୟକ ଏବଂ ସୁଶ୍ରୀ କୋଏନା ଦସ୍ତାଦାର ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ବହୁ ସଂଖ୍ୟାରେ କଳା ସଂସ୍କୃତିପ୍ରେମୀ ରାଉରକେଲାବାସୀ ଉପସ୍ଥିତ ରହି ଏହି ସନ୍ଧ୍ୟାରେ ସୁନ୍ଦର ନୃତ୍ୟ ପରିବେଷଣର ଆନନ୍ଦ ନେଇଥିଲେ ।

By amfnews

Related Post