Sun. Mar 2nd, 2025

ଗାନ୍ଧୀ ଜୟନ୍ତୀରୁ ୫ ମହାନଗର ସମେତ ପୁରୀରେ ପ୍ଲାଷ୍ଟିକ୍‌ ନିଷିଦ୍ଧ

By amfnews Sep 6, 2018 #Featured
261 Views

ଭୁବନେଶ୍ୱର : ଆସନ୍ତା ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୫ଟି ମହାନଗର ସମେତ ପୁରୀରେ ପ୍ଲାଷ୍ଟିକର ବ୍ୟବହାରକୁ ନିଷିଦ୍ଧ ଘୋଷଣା କରାଯାଇଛି। ଯାହାଫଳରେ ଏହି ୬ଟି ସ୍ଥାନରେ ମ୍ୟୁନସିପାଲଟି ପକ୍ଷରୁ ଧାର୍ଯ୍ୟ ସୀମା ବାହାରେ ପ୍ଲାଷ୍ଟିକ୍‌ର ବିକ୍ରି, ଉତ୍ପାଦନ, ଆମଦାନୀ, ରପ୍ତାନୀ କିମ୍ବା ବଣ୍ଟନ ହୋଇପାରିବ ନାହିଁ। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏ ନେଇ ବିଧିବଦ୍ଧଭାବେ ଡ୍ରାଫ୍‌ଟ ପ୍ରକାଶ ପାଇଛି।

ନିର୍ଦେଶନାମାରେ କୁହାଯାଇଛି ଯେ, ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀର କେତେକ ନିର୍ଦ୍ଦିଷ୍ଟ ତୀର୍ଥ ଓ ପର୍ଯ୍ୟଟନସ୍ଥଳୀ ନିକଟରେ ପ୍ଲାଷ୍ଟିକ୍‌ର ବ୍ୟବହାର ହୋଇପାରିବ ନାହିଁ। କେବଳ କମ୍ପୋଷ୍ଟେବୁଲ ପଲିଥିନ୍‌ କ୍ୟାରି ବ୍ୟାଗ୍‌କୁ ବାଦ୍‌ ଦେଲେ ଅନ୍ୟ କୌଣସି ପ୍ରକାର ପଲିଥିନ, ପଲିଥିନ୍‌ ଟେରେପାଥଲେଟ୍‌(ପିଇଟି/ପିଇଟିଇ)ରେ ପ୍ରସ୍ତୁତ ଅଧ ଲିଟରରୁ କମ୍‌ ପାଣି ବୋତଲ, ଥର୍ମୋକୁଲରେ ପ୍ରସ୍ତୁତ ଥାଳି/ଥାଳିଆ, ପ୍ଲାଷ୍ଟିକ ପାତ୍ର, ଚାମଚ, କପ୍‌, ପ୍ଲେଟ, ଗ୍ଲାସ ଓ ପାଉଚ୍‌ ବ୍ୟବହାର ଉପରେ ରୋକ ଲଗାଯାଇଛି। ଏପରିକି ଥର୍ମୋକୁଲରେ ପ୍ରସ୍ତୁତ ହୋଇଥିବା ଫୁଲ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ବ୍ୟବହାର ହୋଇପାରିବ ନାହିଁ।

ତେବେ ଦୋକାନୀମାନେ ଅତିକମ୍‌ରେ ୫୦ ମାଇକ୍ରନ୍‌ରୁ ଅଧିକ ପଲିଥିନ୍‌ ବ୍ୟବହାର କରିପାରିବେ।ଧର୍ମାନୁଷ୍ଠାନ, ବିଭିନ୍ନ ପ୍ରତିଷ୍ଠାନ, ହୋଟେଲ, ରେସ୍ତୋରାଁ ଓ ବିବାହ ମଣ୍ଡପ, କାର୍ଯ୍ୟାଳୟ ଓ ଅନ୍ୟ ପ୍ରତିଷ୍ଠାନ ଗୁଡ଼ିକରେ ମାଲିକ/କର୍ତୃପକ୍ଷ ପ୍ଲାଷ୍ଟିକ ଅବର୍ଜନା ସଂଗ୍ରହ ପାଇଁ ସ୍ୱତନ୍ତ୍ର ସ୍ଥାନ ରଖିବେ ଓ ସେସବୁକୁ ସଂପୃକ୍ତ ନିର୍ମାଣକାରୀ ସଂସ୍ଥା, ରିଟେଲରକୁ ଫେରାଇବେ। ସେହିପରି ପ୍ଲାଷ୍ଟିକ ପାଣି ବୋତଲ(ପିଇଟି/ପିଇଟିଇ) ଓ କ୍ଷୀର ପ୍ରସ୍ତୁତକାରୀ ୟୁନିଟ୍‌ଗୁଡ଼ିକ ବ୍ୟବହୃତ ପାଣି ବୋତଲ ଓ ଅନ୍ୟ ପ୍ଲାଷ୍ଟିକ୍‌କୁ ସଂପୃକ୍ତ ଖୁଚୁରା ସଂସ୍ଥାକୁ ଫେରାଇବାକୁ ନିର୍ଦେଶ ଦିଆଯାଇଛି। ଏହି ୬ଟି ସ୍ଥାନର ମ୍ୟୁନସିପାଲଟି କମିସନର କିମ୍ବା ନିର୍ବାହୀ ଅଧିକାରୀ ନିର୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ସିନେମା ହଲରେ ଆସନ୍ତା ୧ବର୍ଷ ପାଇଁ ପ୍ଲାଷ୍ଟିକ୍‌ ନିଷିଦ୍ଧ ସଂପର୍କିତ ସ୍ଲାଇଡ ଦେଖାଇବେ। ଏହାସହ ଯେଉଁ ପ୍ଲାଷ୍ଟିକ ପ୍ରସ୍ତୁତକାରୀ ଶିଳ୍ପାନୁଷ୍ଠାନଗୁଡ଼ିକ ଏହି ସର୍ତର ଖିଲାପ କରିବେ ସେମାନଙ୍କୁ ତୁରନ୍ତ ବନ୍ଦ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦେଶ ଦିଆଯାଇଛି।

By amfnews

Related Post