Fri. Nov 22nd, 2024

ଗଣତନ୍ତ୍ର ଦିବସ: ଆଜି ଚାଷୀଙ୍କ ଟ୍ରାକ୍ଟର ରାଲି, ଦୁର୍ଗରେ ଛାଉଣୀ ହେବ ଦିଲ୍ଲୀ

By amfnews Jan 26, 2021 #Featured
179 Views

ନୂଆଦିଲ୍ଲୀ, ଜାନୁଆରୀ ୨୬ : ଦେଶ ଆଜି ୭୨ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ରାଜପଥରେ ଗଣତନ୍ତ୍ର ଦିବସ ଅବସରରେ ପରେଡ ଅନୁଷ୍ଠିତ ହେବ । ଅନ୍ୟପଟରେ ଦିଲ୍ଲୀର ସୀମାରେ ଗତ ନଭେମ୍ବର ୨୬ ତାରିଖଠାରୁ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଆଜି ଟ୍ରାକ୍ଟର ରାଲିରେ ବାହାରିବେ । ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ ସୀମାରେ ହଜାର ହଜାର ସଶସ୍ତ୍ର ସୁରକ୍ଷା କର୍ମୀ ମୁତୟନ କରାଯାଇଛି । ଦିଲ୍ଲୀରେ ପୂର୍ବରୁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 

କରୋନା କାରଣରୁ ଏଥର ପରେଡ ବିଜୟ ଛକରୁ ଆରମ୍ଭ କରାଯାଇ ନ୍ୟାସନାଲ ଷ୍ଟାଡିୟମରେ ଶେଷ ହେବ । ପୂର୍ବରୁ ଗଣତନ୍ତ୍ର ଦିବସ ପରେଡ ରାଜପଥରୁ ବାହାରି କିଲ୍ଲା ପର୍ଯ୍ୟନ୍ତ ଯାଉଥିଲା । ଗଣତନ୍ତ୍ର ଦିବସ ଅବସରରେ ଭାରତ ଆଜି ନିଜର ଶକ୍ତି ପ୍ରଦର୍ଶନ କରିବ । ଏହି କ୍ରମରେ ସେନା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ । 

ତିନି କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ସଂଗଠନ କହିଛନ୍ତି ଯେ, ମଧ୍ୟ ଦିଲ୍ଲୀରେ ପ୍ରବେଶ କରିବେ ନାହିଁ । ଗଣତନ୍ତ୍ର ଦିବସ ପାଇଁ ସରକାରୀ ପରେଡ ଶେଷ ହେବା ପରେ ସେମାନେ ନିଜର ଅଭିଯାନ ଆରମ୍ଭ କରିବେ । ସଂଗଠନ ଦାବି କରିଛି ଯେ, ତାଙ୍କର ପରେଡରେ ପାଖାପାଖି ୨ ଲକ୍ଷ ଟ୍ରାକ୍ଟର ସାମିଲ ହେବ ଏବଂ ଏହା ସିଂଘୁ ସୀମା, ଟିକରୀ ସୀମା ଓ ଗାଜିପୁର ସୀମାରୁ ଆରମ୍ଭ ହେବ । ଗଣତନ୍ତ୍ର ଦିବସରେ ଦିଲ୍ଲୀ ପୋଲିସକୁ ପ୍ରଥମ ଥର ପାଇଁ ଏକ ବଡ଼ଧରଣର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି । ରାଜପଥରେ ପରେଡ ଶେଷ ହେବା ପରେ ଯଥାଶୀଘ୍ର ଟ୍ରାକ୍ଟର ରାଲି ଉପରେ ନଜର ଦେବାକୁ ପଡ଼ିବ ।  

By amfnews

Related Post