Sun. Mar 8th, 2026

ଗଜପତିଙ୍କ ମାସିକ ଭତ୍ତା ହେବ ଲକ୍ଷେ

261 Views

ପୁରୀ : ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାସିକ ଭତ୍ତା ହେବ ୧ ଲକ୍ଷ ଟଙ୍କା। ଏ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବାବେଳେ ଏହା ଅନୁମୋଦନ ପର୍ଯ୍ୟାୟରେ ରହିଛି। ସରକାରଙ୍କ ମୋହର ବାଜିବା ପରେ ଗଜପତିଙ୍କୁ ଭତ୍ତା ଆକାରରେ ଦିଆଯିବ ଲକ୍ଷେ ଟଙ୍କା।

ସୂଚନା ଅନୁଯାୟୀ, ଆଦ୍ୟ ସେବକ ଗଜପତି ମହାରାଜା ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ଅଧ୍ୟକ୍ଷ ରହିଛନ୍ତି। ଏବେ ଅଧ୍ୟକ୍ଷ ଭାବେ ତାଙ୍କୁ ମାସିକ ଭତ୍ତା ବାବଦରେ ମିଳୁଛି ମାତ୍ର ୩୦ ହଜାର ଟଙ୍କା। ଯଦିଓ ପାଟ୍ଟଯୋଶୀଙ୍କୁ ସେବା ବାବଦରେ ଦିଆଯାଉଛି ମାସିକ ୬୫ ହଜାର ଟଙ୍କା। ଏହାବ୍ୟତୀତ ଅନ୍ୟ କେତେକ ସେବକ ମଧ୍ୟ ଅଧିକ ପାଉଣା ପାଉଛନ୍ତି। ଗଜପତି ମହାରାଜା ମହାପ୍ରଭୁଙ୍କ ଆଦ୍ୟ ସେବକ ଓ ପରିଚାଳନା କମିଟି ଅଧ୍ୟକ୍ଷ ହୋଇଥିବାରୁ ତାଙ୍କ ମାସିକ ଭତ୍ତା ଅନ୍ୟୂନ ୧ ଲକ୍ଷ ଟଙ୍କା କରିବାକୁ ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ବିଭାଗ ସୁପାରିଶ କରିଥିଲା। ପରିଚାଳନା କମିଟି ସେହି ସୁପାରିଶକୁ ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗର ଅନୁମୋଦନ ପାଇଁ ପଠାଇଛି। ଏ କ୍ଷେତ୍ରରେ ସରକାରଙ୍କ ମୋହର ବାଜିଲେ ଗଜପତି ମହାରାଜା ମାସିକ ୧ ଲକ୍ଷ ଟଙ୍କା ଭତ୍ତା ପାଇବେ ବୋଲି ଜଣାପଡ଼ିଛି।

By amfnews

Related Post