ଖୋର୍ଦ୍ଧା : ପ୍ରଶାସନର କଟକଣା, ଏସ୍ଟିଏଫ୍ର ଚଢ଼ଉ ପରେ ବି ରାସ୍ତାଘାଟ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ମେଟାଲ୍ ଓ ନିର୍ମାଣ ପଥର ଆଉ ଅଳ୍ପ କେତେ ବର୍ଷ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ଶେଷ ହୋଇଯିବ। ଜିଲ୍ଲାରେ ଯେତିକି ନିର୍ମାଣ ପଥର ମହଜୁଦ ରହିଥିବା ଆକଳନ କରାଯାଇଥିଲା ସେଥି ମଧ୍ୟରୁ ଅର୍ଦ୍ଧାଧିକ ପରିମାଣର ନିର୍ମାଣ ପଥର ଖୋଳା ସରିଥିବା ଖୋଦ୍ ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି।
୨୦୧୯ରେ ଖୋର୍ଦ୍ଧା ଜିଲ୍ଲାରେ ବାଲି, ଗୋଡ଼ି, ମେଟାଲ୍ ଆଦି ଲଘୁ ଖଣିଜ ଦ୍ରବ୍ୟର ଅଭାବ ଯୋଗୁଁ ସଂଖ୍ୟାଧିକ ନିର୍ମାଣ କାର୍ଯ୍ୟ ଅଟକି ରହିଥିବା ନେଇ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକାଧିକ ପତ୍ରରେ ସ୍ବୀକାର କରାଯାଇଛି। ବର୍ତ୍ତମାନ ଜିଲ୍ଲାରେ ଖଣି (ଲଘୁଖଣିଜ ଦ୍ରବ୍ୟ)ର ନିଲାମ ପାଇଁ ପ୍ରସ୍ତୁତ ହୋଇଥିବା ରିପୋର୍ଟ ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ଖୋର୍ଦ୍ଧା, ଟାଙ୍ଗୀ ଓ ବୋଲଗଡ଼ ଅଞ୍ଚଳରେ ଯେତିକି ନିର୍ମାଣ ପଥର ମହଜୁଦ ରହିଛି ସେଗୁଡ଼ିକ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଖୋଳା ହୋଇ ବିନିଯୋଗ ହୋଇସାରିଛି। ସମଗ୍ର ଖୋର୍ଦ୍ଧା ଜିଲ୍ଲା ଓ ଗଞ୍ଜାମର କିଛି ଅଂଶର ନିର୍ମାଣ କାର୍ଯ୍ୟ ପାଇଁ ଯେତିକି ନିର୍ମାଣ ପଥରର ଆବଶ୍ୟକ ହୁଏ, ତାହା ଖୋର୍ଦ୍ଧା, ଟାଙ୍ଗୀ ଓ ବୋଲଗଡ଼ରୁ ବ୍ୟବସ୍ଥା କରାଯାଇଥାଏ। ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲାରେ ମେଟାଲ୍, ନିର୍ମାଣ ପଥର, କଳା ମୁଗୁନି ପଥର, ଖଣ୍ଡୋଲାଇଟ୍ର ମୋଟ ମହଜୁଦ ପରିମାଣ ୭କୋଟି ୯୫ଲକ୍ଷ ୫୧ ହଜାର ୭୭୧ ଘନ ମିଟର। ଯଦି କେବଳ ଗତ ୪ ବର୍ଷର ନିର୍ମାଣ ପଥରର ଖନନକୁ ହିସାବ କରାଯାଏ ତେବେ, ୫ଲକ୍ଷ ଘନ ମିଟର କେବଳ ଖୋର୍ଦ୍ଧା, ଟାଙ୍ଗୀ ଓ ବୋଲଗଡ଼ରୁ ଉତ୍ତୋଳନ କରାଯାଇଛି। ୨୦୧୫–୧୬ରେ ବୋଲଗଡ଼ରୁ ୨୪୧୪ ଘନ ମିଟର, ୨୦୧୬–୧୭ ୩୧,୨୦୨ ଘନ ମିଟର, ୨୦୧୭–୧୮ରେ ୨୬୯୮ ଘନମିଟର, ୨୦୧୮–୧୯ରେ ୪୦,୫୭୧ ଘନ ମିଟର ପଥର ଉତ୍ତୋଳନ କରାଯାଇଛି। ସେହିଭଳି ଖୋର୍ଦ୍ଧାରୁ ୨୦୧୬–୧୭ରେ ୬୫୫୨୪ ଘନମି, ୨୦୧୭–୧୮ରେ ୬୮୩୬୭ ଘନମି, ୨୦୧୮–୧୯ରେ ୭୦୨୬୧ ଘନମି ପଥର, ଟାଙ୍ଗୀରୁ ୨୦୧୫–୧୬ରେ ୨୦୧୬୯, ୨୦୧୬–୧୭ରେ ୩୧୨୦୨, ୨୦୧୭–୧୮ରେ ୪୦୩୦୦, ୨୦୧୮–୧୯ରେ ୪୦୫୭୧ ଘନ ମିଟର ପଥର ଉତ୍ତୋଳନ କରାଯାଇଛି। ଏହି ସମସ୍ତ ପଥର ଉତ୍ତୋଳନ ଅନୁମତି ପ୍ରାପ୍ତ ହୋଇଥିବା ୧୨ଟି ଖଣିରୁ ଉତ୍ତୋଳନ କରାଯାଇଥିବା ବେଳେ ବଳକା ବେଆଇନ ଭାବେ ଚାଲିଥିବା ୪୯ଟି ଖଣିରୁ ଆନୁମାନିକ ଏହାଠାରୁ ୪ଗୁଣ ଅର୍ଥାତ୍ ୨୦ଲକ୍ଷ ଘନ ମିଟର ପଥର ଖୋଳିଦିଆଯାଇଛି।
ସେହିଭଳି ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ମିଳିଥିବା ସୂଚନାରେ ୨୦୧୫–୧୬ରୁ ୨୦୧୮–୧୯ ମଧ୍ୟରେ ଜିଲ୍ଲାର ୧୦ଟି ବ୍ଲକ୍, ଭୁବନେଶ୍ବର ରାଜପଥ ଡିଭିଜନ୍, ଭୁବନେଶ୍ବର ରେଳବାଇ ଡିଭିଜନ୍, ଟାଙ୍ଗୀ–ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥ, ଆର୍ ଆଣ୍ଡ୍ ବି ଭୁବନେଶ୍ବର ଡିଭିଜନ୍–୧,୨,୩,୪,୫, ନିମାପଡ଼ା ଜଳସେଚନ ଡିଭିଜନ୍, ପ୍ରାଚୀ ଡିଭିଜନ୍ରେ ୧କୋଟି ୮୦ଲକ୍ଷ ଘନ ମିଟର ନିର୍ମାଣ ପଥର, ମେଟାଲ୍ ବ୍ୟବହୃତ ହୋଇଛି। ଉପରୋକ୍ତ ହିସାବକୁ ଯଦି ଗ୍ରହଣ କରାଯାଏ ତେବେ ସରକାରୀ କାମରେ ପ୍ରାୟ ୨କୋଟି ଘନ ମିଟର ବ୍ୟବହୃତ ହୋଇଥିବା ବେଳେ ହିସାବକୁ ନିଆଯାଇନଥିବା ବେସରକାରୀ/ଘରୋଇ ନିର୍ମାଣରେ ବ୍ୟବହୃତ ପଥର ପରିମାଣକୁ ମିଶାଇ ୩କୋଟି ଘନ ମିଟର ହେବା ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ଜିଲ୍ଲାର ମହଜୁଦ ଥିବା ଅର୍ଦ୍ଧାଧିକ ନିର୍ମାଣ ପଥର ଶେଷ ହୋଇଯାଇଥିବା ବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଳକା ମହଜୁଦ ପଥର ଆଉ କେତେ ବର୍ଷ ଯିବ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି।