Sat. Nov 2nd, 2024

ଖାଲି ବସି ଦରମା ନେଉଛନ୍ତି ୭୫ ବିଶେଷଜ୍ଞ ଡାକ୍ତର

By amfnews Sep 1, 2019 #Featured
219 Views

କଟକ : ରାଜ୍ୟରେ ଡାକ୍ତର ଅଭାବ କଥା କୁହାଯାଉଥିବା ବେଳେ ଦୁଇ ମାସ ହେଲା ୭୫ରୁ ଅଧିକ ଡାକ୍ତର ବିନା କାମରେ ଦରମା ନେଉଛନ୍ତି। ସେମାନଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଯେଉଁ କାଉନସେଲିଂ ବ୍ୟବସ୍ଥା ରହିଛି, ସେ ସଂପର୍କିତ ବିଜ୍ଞପ୍ତି ବି ପ୍ରକାଶ ପାଉନି। ଏଭଳି ସ୍ଥିତିରେ ଯଦି ଏବେ ବି କାଉନସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ ପାଏ ତେବେ ନିଯୁକ୍ତି ପାଇଁ ହୁଏତ ଆଉ ମାସେ ସମୟ ଲାଗିଯିବ। ଦୁଇ ମାସ ଭିତରେ ପ୍ରାୟ ଦେଢ କୋଟିରୁ ଅଧିକ ଦରମା ରାଜକୋଷରୁ ଯାଉଥିବା ବେଳେ ଡାକ୍ତର ମାନଙ୍କୁ ପୋଷ୍ଟିଂ ଦେବାରେ ସମୟ ଗଡ଼ିବା ଘଟଣା ପ୍ରତିକ୍ରିୟାର କାରଣ ହୋଇଛି। ସରକାରଙ୍କ ‘୫ ଟି’ ମଧ୍ୟରୁ ଗୋଟିଏ ‘ଟି’ ଠିକ ସମୟ (ଟାଇମ)କୁ ଦର୍ଶାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଏଭଳି ଅଯଥା ବିଳମ୍ବର କାରଣକୁ ନେଇ ପ୍ରଶ୍ନ ଉଠୁଛି।

ସୂଚନା ଅନୁଯାୟୀ ବିଭିନ୍ନ ବିଭାଗରେ ସ୍ନାତକୋତ୍ତର (ପିଜି) କରୁଥିବା ଡାକ୍ତରୀ ଛାତ୍ରଙ୍କ ତାଲିମ-ପାଠପଢ଼ା ଜୁଲାଇ ପ୍ରଥମ ସପ୍ତାହରୁ ‌ଶେଷ ହୋଇ ଯାଇଛି। ୨୦୧୬ରୁ ପିଜିରେ ନାମ ଲେଖାଇଥିବା ୧୪୦ ଜଣଙ୍କ ମଧ୍ୟରେ ୭୫ ଜଣ ଇନସର୍ଭିସ ଡାକ୍ତର ଓ ବାକି ୬୫ ଜଣ ସିଧାସଳଖ ପ୍ରବେଶିକା ପରୀକ୍ଷା ଦେଇ ନାମଲେଖାର ସୁଯୋଗ ପାଇଥିଲେ। ସରକାରଙ୍କ ୨୦୧୬ର ବିଜ୍ଞପ୍ତି ଅନୁଯାୟୀ ଯେଉଁ ଇନସର୍ଭିସ ଡାକ୍ତରମାନେ ପିଜି ଶେଷ କରିଛନ୍ତି, ସେମାନଙ୍କର କାଉନସେଲିଂ ଜରିଆରେ ପୋଷ୍ଟିଂ ହେବା କଥା।‌ ସେମାନେ ପିଜି କରିବା ପୂର୍ବରୁ କେଉଁ କେଉଁ ଅଗମ୍ୟ ଅଞ୍ଚଳରେ କାର୍ଯ୍ୟ କରିଛନ୍ତି, ତାହା ବିଚାର କରି ସେମାନଙ୍କର ପୋଷ୍ଟିଂ ସ୍ଥାନ ନିର୍ଦ୍ଧାରଣ କରାଯାଇଥାଏ। କିନ୍ତୁ ଜୁଲାଇରୁ ପିଜି ଶେଷ ହୋଇଥିଲେ ବି ୭୫ ଜଣ ଇନସର୍ଭିସ ଡାକ୍ତର ଏଯାଏ କୌଣସି ସ୍ଥାନରେ ନିଯୁକ୍ତି ପାଇ ନାହାନ୍ତି।

ସେମାନେ ସ୍ବାସ୍ଥ୍ୟ ବିଭାଗରେ କେବଳ ଜଏନିଂ ରିପୋର୍ଟ ଦେଇ ଦରମା ପାଉଛନ୍ତି। ଜଣେ ଜଣେ ଇନସର୍ଭିସ ଡାକ୍ତର ହାରାହାରି ଭାବେ ୭୦ ହଜାର ଟଙ୍କା ଦରମା ପାଉଥିବା ବେଳେ ଜୁଲାଇ ଓ ଅଗଷ୍ଟରେ ସେମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ବି ମିଳି ନାହିଁ। ବ୍ୟବସ୍ଥା ଅନୁଯାୟୀ ସିଧାସଳଖ ପିଜି କରିବାର ସୁଯୋଗ ପାଇଥିବା ୬୫ ଜଣ ଡାକ୍ତର ଓପିଏସସି ଦ୍ବାରା ମନୋନୀତ ହେବା ପରେ ଯାଇ ନିଯୁକ୍ତି ସୁଯୋଗ ପାଇବେ। କିନ୍ତୁ ଏହି ୭୫ ଜଣ ସରକାରଙ୍କଠାରୁ ଦରମା ପାଉଥିବା ବେଳେ ସେମାନଙ୍କ ନିଯୁକ୍ତି ପାଇଁ କାହିଁକି ଦୁଇ ମାସ ଗଡ଼ି ଗଲାଣି, ତାହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ରାଜ୍ୟରେ ଡାକ୍ତର ଅଭାବକୁ ନେଇ ଅନେକ ସମୟରେ ସରକାରଙ୍କ ପକ୍ଷରୁ ବି ସଫେଇ ଆସୁଥିବା ବେଳେ ୭୫ ଜଣ ବି‌େ‌ଶଷଜ୍ଞ ଡାକ୍ତର ଦୁଇ ମାସ ହେଲା ଖାଲି ବସି ଦରମା ନେବା ଘଟଣା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଛି।

By amfnews

Related Post