Sun. Jun 8th, 2025

କ୍ରିକେଟ ଖେଳୁ ଖେଳୁ ଚାଲିଗଲା ଜୀବନ

By amfnews May 28, 2019 #Featured
346 Views

କାଲିମେଳା : ଅପରାହ୍ନ ସମୟରେ ଜଣେ ଯୁବକ ଗାଁ ପଡ଼ିଆରେ କ୍ରିକେଟ ଖେଳୁ ଖେଳୁ ଆରପାରିକୁ ଚାଲିଯିବା ପରି ଦୁଃଖଦ ଖବର ସାମନାକୁ ଆସିଛି। ଖବରରୁ ଜଣାପଡ଼ିଛି ଯେ କାଲିମେଳା ବ୍ଲକର ଗିରକାନପାଲୀ ପଞ୍ଚାୟତ ଅନ୍ତର୍ଗତ ପ୍ରେମାଗୁଡ଼ା ଗ୍ରାମର ରାଜା କୁଂଜଙ୍କ ପୁଅ ସୁନିଲ କୁଂଜ(୧୮) ଆଜି ଗାଁ ପଡ଼ିଆରେ ସାଙ୍ଗସାଥୀଙ୍କ ସହିତ କ୍ରିକେଟ ଖେଳିବାକୁ ଯାଇଥିଲା। ତେବେ ଖେଳୁଥିବା ସମୟରେ ସେ ତଳେ ବେହୋସ ହୋଇ ପଡ଼ିଯାଇଥିଲା। ଏହା ଦେଖି ତାର ସାଙ୍ଗମାନେ ଘରକୁ ଖବର ଦେଇଥିଲେ। ଘର ଲୋକ ଉକ୍ତ ସ୍ଥାନକୁ ଯାଇ ଦେଖିଲାବେଳକୁ ସୁନିଲ ମାଟି ଉପରେ ବେହୋସ ହୋଇ ପଡ଼ିରହିଥିଲା। ସୁନିଲକୁ ଉଦ୍ଧାର କରି ଘରକୁ ଆଣି ମୁହଁରେ ପାଣି ଛାଟିବା ସହିତ ବହୁତ ଚେଷ୍ଟା କରି ବିଫଳ ହେବା ପରେ ସଂଧ୍ୟାବେଳେ କାଲିମେଳା ମେଡ଼ିକାଲକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ। ସେତେବେଳକୁ ତାର ପ୍ରାଣବାୟୁ ଉଡ଼ିଯାଇଥିଲା। ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ସୂଚନା ଯୋଗ୍ୟ ଯେ  ସକାଳେ ସୁନିଲ ଛତିଶଗଡ଼ ଦର୍ନାପାଲ ହାଟକୁ ଆମ୍ବ ବିକ୍ରି କରିବାକୁ ଯାଇ ଦିନ ୧୧ଟା ସୁଧା ଘରକୁ ଫେରିଆସିଥିଲା। ପରେ ନଦୀରେ ଗାଧୋଇସାରି ଅପରାହ୍ନ ସମୟରେ ଗାଁ ଖେଳ ପଡ଼ିଆକୁ ସବୁଦିନ ପରି କ୍ରିକେଟ ଖେଳିବାକୁ ଯାଇଥିଲା। ସୁନିଲ କାଲିମେଳା ହାଇସ୍କୁଲରେ ପାଠ ପଢୁଥିବାବେଳେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବାର ତାର ପରିବାର ଲୋକ ପ୍ରକାଶ କରିଛନ୍ତି। ସୁନିଲର ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post