Tue. Mar 10th, 2026

କୋର୍ଟରେ ଭେଟିଥିବା ଦୁର୍ଦ୍ଦାନ୍ତ ଅପରାଧୀକୁ ପ୍ରେମ କରି ବାହାହେଲେ ଉତ୍ତର ପ୍ରଦେଶ ମହିଳା ପୁଲିସ

192 Views

ନୂଆଦିଲ୍ଲୀ  : ଅଦାଲତରେ ସାକ୍ଷାତ୍‌ ହୋଇଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପ୍ରେମ କରି ବିବାହ କରିଛନ୍ତି ଉତ୍ତର ପ୍ରଦେଶ ଅନ୍ତର୍ଗତ ନଇଡ଼ାର ଜଣେ ମହିଳା ପୁଲିସ। ମାମଲା ଶୁଣାଣି ହେଉଥିବା ଏକ ଅଦାଲତରେ ପ୍ରଥମେ ପାୟଲ୍‌ ନାମ୍ନା ସେ ପୁଲିସ ୩୦ ବର୍ଷିୟ ରାହୁଳ ଥରସନ ନାମକ ଅପରାଧୀକୁ ଭେଟିଥିଲେ। ମନମୋହନ ଗୋୟାଲ୍‌ ନାମକ ଜଣେ ବ୍ୟବସାୟୀକୁ ହତ୍ୟା କରିଛନ୍ତି ବୋଲି ରାହୁଳଙ୍କ ନାମରେ ଅଭିଯୋଗ ଥିଲା। ୨୦୧୪ ମସିହା ମେ ୯ ତାରିଖ ଦିନ ତାଙ୍କୁ ଗିରଫ କରାଯାଇଥିଲା। ଏହାଛଡ଼ା ଡଜନାଧିକ ଲୁଟ୍‌ ଓ ନରହତ୍ୟା ମାମଲାରେ ସେ ଅଭିଯୁକ୍ତ ଥିଲେ।

ପ୍ରଥମେ ପାୟଲ୍‌ ରାହୁଳଙ୍କ ସୁରଜପୁର ଅଦାଲତରେ ଭେଟିଥିଲେ। ସେତେବେଳେ ସେଠାରେ ସେ ପୋଷ୍ଟିଙ୍ଗ୍‌ ହୋଇଥିଲେ। ପୁଲିସ ରିପୋର୍ଟ ଅନୁସାରେ, ସେବେଠାରୁ ରାହୁଳ ଜେଲ୍‌କୁ ଯିବା ଓ ମୁକୁଳିବା ଭିତରେ ମଧ୍ୟ ପାୟଲ୍‌ ତାଙ୍କ ସହ ଯୋଗାଯୋଗ ରଖିଥିଲେ।

ସମୟକ୍ରମେ ସେମାନଙ୍କର ପ୍ରେମ ସମ୍ପର୍କ ନିବିଡ଼ ହେଲା। ନିକଟ ଅତୀତରେ ରାହୁଳ ପୋଷ୍ଟ୍‍ କରିଥିବା ଗୋଟାଏ ଫଟୋରେ ସେ ଓ ପାୟଲ୍‌ ବରକନ୍ୟା ବେଶରେ ମଣ୍ଡପରେ ଥିବା ଦେଖାଯାଉଛି। କେବେ କୌଣସି ଗୋଟାଏ ଅଜ୍ଞାତ ସ୍ଥାନରେ ସେମାନଙ୍କ ବିବାହ ହୋଇଥିବା ଜଣାପଡୁଛି।
ପାୟଲ୍‌ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହାର ଭେଦ ପାଇ ପାରି ନାହାନ୍ତି। ବିବାହ ସମୟରେ ପାୟଲ୍‌ ଗୌତମବୁଦ୍ଧ ନଗର ଥାନାରେ ପୋଷ୍ଟିଙ୍ଗ୍‌ ହୋଇଥିଲେ। ଏବେ ତାଙ୍କର କେଉଁଠି ପୋଷ୍ଟିଙ୍ଗ୍‌ ହୋଇଛି ସେ ଥାନାର ଅଫିସର୍‌ମାନେ ବି ଜାଣି ନାହାନ୍ତି।

ଗ୍ରାମଞ୍ଚଳ ଏସ୍‌ପି ରଣବିଜୟ ସିଂହ କହୁଛନ୍ତି: ସେ ମହିଳା କେଉଁଠି ପୋଷ୍ଟିଙ୍ଗ୍‌ ହୋଇଛନ୍ତି ଆମେ ଯାଞ୍ଚ କରୁଛୁ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

By amfnews

Related Post