Sat. Mar 7th, 2026

କୋର୍ଟ ଚାଲାଣ ପୂର୍ବରୁ ନାବାଳିକା ଚାଲାଣକାରୀ ଦଲାଲର ଥାନାରେ ଆତ୍ମହତ୍ୟା

137 Views

ସୁନ୍ଦରଗଡ଼ : ଗତକାଲି ପୁଲିସ୍ ଦ୍ବାରା ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନାରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ସୁନୀଲ ଲୋଧି ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଛି। ଏସଂପର୍କରେ ସୁନ୍ଦରଗଡ଼ ଏସଡିପିଓ ବଳଭଦ୍ର ଦୀପ ଆଜି ସକାଳେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୁନୀଲ ଲୋଧିର ବେକରେ ଦାଗ ଅଛି। ଏହି ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।ତାକୁ ନାବାଳିକା ଅପହରଣ ମାମଲାରେ ପୁଲିସ ମଧ୍ୟ ପ୍ରଦେଶରୁ ଗିରଫ କରିଥିଲା । ତେବେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ସ୍ମରଣଯୋଗ୍ୟ ଯେ ଗତ କିଛି ଦିନ ତଳେ ଧାରୁଆଡିହି ଥାନା ଅନ୍ତର୍ଗତ ମନମୁଣ୍ଡାର ଜଣେ ନାବାଳିକାକୁ ଚାକିରି ଦେବାକୁ କହି ଦୁଇ ଜଣ ଦଲାଲ ତାକୁ ମଧ୍ୟ ପ୍ରଦେଶରେ ବିକ୍ରି କରି ଦେଇଥିଲେ । ଏହି ମାମଲାରେ ପୁଲିସ ଦୁଇଜଣ ସ୍ଥାନୀୟ ଦଲାଲ ଯୁଗଳ ଓରାମ ଓ ସବିତା ଦୁବେ ସହ ସୁନୀଲ ଲୋଧିକୁ ଗିରଫ କରିଥିଲା । ଗତକାଲି ସୁନୀଲକୁ ଧାରୁଆଡିହି ଥାନାକୁ ଅଣାଯାଇଥିଲା । ଆଜି ଉଭୟ ସୁନୀଲ ଏବଂ ସବିତାକୁ କୋର୍ଟ ଚାଲାଣ କରାଯିବାର ଥିଲା। ମାତ୍ର ତାହା ପୂର୍ବରୁ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି।

By amfnews

Related Post