Sat. Mar 7th, 2026

କେରଳରୁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଆସି ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚିଲେ ୫୦୦ ପ୍ରବାସୀ ଓଡ଼ିଆ

212 Views

ବ୍ରହ୍ମପୁର : କେରଳରୁ ଫେରିଲେ ପ୍ରବାସୀ ଓଡ଼ିଆ। ଆଜି ୫୦୦ ପ୍ରବାସୀ ଓଡ଼ିଆ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଆସି ବ୍ରହ୍ମପୁରର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚି ଥିବା ଜଣାପଡିଛି। ଓଡ଼ିଶାରେ ପହଞ୍ଚିଥିବା ଏହି ଟ୍ରେନ୍‌ରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ପ୍ରବାସୀ ଓଡ଼ିଆଙ୍କ ସମେତ ବୌଦ୍ଧ, ନବରଙ୍ଗପୁର, ରାୟଗଡ଼ାର ବହୁ ଶ୍ରମିକ ଆସିଛନ୍ତି । ପ୍ରାଥମିକ ଯାଞ୍ଚ ପରେ ସମସ୍ତଙ୍କୁ ନିଜ ନିଜ ଅଞ୍ଚଳରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ସୂଚନାଯୋଗ୍ୟ ଯେ, କେରଳରେ ରହିଥିବା ଓଡ଼ିଆମାନଙ୍କୁ ଫେରାଇ ଆଣିବା ଲାଗି ସ୍ଥାନୀୟ ସରକାର ସହିତ ଆଲୋଚନା ହୋଇଥିଲା। ଯାତ୍ରୀମାନେ ‌କିଭଳି ସମ୍ମାନ ଓ ସୁବିଧାର ସହ ଫେରିବେ ସେଥିଲାଗି ‘ଅପରେସନ୍ ଶୁଭଯାତ୍ରା’ର ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଏକ ୧୨ଜଣିଆ ଟିମ୍ ଗଠନ କରାଯାଇଥିଲା। ଏଥିରେ ରାଜସ୍ବ, ସ୍ବାସ୍ଥ୍ୟ, ପୁଲିସ ଓ ଅନ୍ୟ ବିଭାଗର ଅଧିକାରୀ ରହିଥିଲେ। ଯେଉଁ ଯାତ୍ରୀମାନେ ଆସିବେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଏକ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ଏପରିକି ଓଡ଼ିଶାକୁ ଫେରୁଥିବା ସମସ୍ତ ଯାତ୍ରୀଙ୍କ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ବିବରଣୀକୁ ରାଜ୍ୟ ସରକାରଙ୍କ ପୋର୍ଟାଲରେ ଯାଞ୍ଚ କରାଯାଇଥିଲା। ଆସୁଥିବା ସମସ୍ତ ଯାତ୍ରୀ ଏଥିରେ ନିଜର ପଞ୍ଜୀକରଣ କରିଥିବା ସ୍ପଷ୍ଟ ହୋଇଥିଲା। ଯାତ୍ରୀଙ୍କ ତାଲିକା ପାଇବା ପରେ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ବିଷୟରେ ସୂଚନା ଦିଆଯାଇଛି। ଜଗନ୍ନାଥପୁର ଷ୍ଟେସନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଘଟଣାସ୍ଥଳରେ ୬ ପ୍ଲାଟୁନ୍‌ ଫୋର୍ସ ମୁତୟନ କରା ଯାଇଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ କହିଛନ୍ତି।

By amfnews

Related Post