Sat. Mar 7th, 2026

କେରଳ ବନ୍ୟା: ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଲା, ରିଲିଫ୍‌ ସହାୟତା ପାଇଁ ସେନାବାହିନୀକୁ ନିର୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

233 Views

କୋଚି: ଭୀଷଣ ବର୍ଷା ଯୋଗୁଁ କେରଳର ୧୪ଟି ଜିଲ୍ଲାରେ ବିଶେଷକରି ପତାନମ୍‌ତିତ୍ତା ଜିଲ୍ଲାରେ ଗୁରୁବାର ଦିନ ମଧ୍ୟ ବନ୍ୟା ପରିସ୍ଥିତି ପ୍ରବଳ ହେବାରୁ ପ୍ରତିରକ୍ଷା ବଳ, ଏନ୍‌ଡିଆର୍‌ଏଫ୍‌ ଏବଂ ସ୍ଥାନୀୟ ଉଦ୍ଧାରକାରୀ ଦଳ ପାଣିଘେରରୁ ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି।ଏ ପର୍ଯ୍ୟନ୍ତ ୭୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ।

କେରଳ ଷ୍ଟେଟ୍‌ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ଅଥରିଟିଙ୍କ ଅନୁରୋଧରେ ସଦର୍ଣ୍ଣ ନାଭାଲ୍‌ କମାଣ୍ଡ୍‌ ତା’ର ସମସ୍ତ ତାଲିମ୍‌ କାର୍ଯ୍ୟକଳାପ ବାତିଲ କରିଛି। ଏର୍ଣ୍ଣାକୁଲମ୍‌ ଏବଂ ଟ୍ରିଚୁର୍‌ ଠାରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ସମସ୍ତେ ଏକଜୁଟ ହୋଇ ଯାଇଛନ୍ତି।ଏ ଶତାବ୍ଦୀରେ କେରଳରେ ସବୁଠୁ ବଡ଼ ବନ୍ୟା କୁହାଯାଉଥିବା ଏହି ପ୍ରାକୃତିକ ଦୁର୍ବିପାକରୁ ହେଲିକାପ୍ଟର୍‌ ଯୋଗେ ବିଭିନ୍ନ ସ୍ଥାନରୁ ରାତି ସାର ଲୋକମାନଙ୍କୁ ଉଦ୍ଧାର କରାଯାଇଛି।

ସମଗ୍ର କେରଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଆହୁରି ଆଗେଇ ନେବାକୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ମନ୍ତ୍ରାଳୟକୁ ନିର୍ଦେଶ ଦେଇଛନ୍ତି। ଆଜି ସକାଳେ ସେ ପୁଣି ଥରେ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ଙ୍କ ସହ କଥାବାର୍ତ୍ତା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଟୁଇଟ୍‌ କରି କହିଛନ୍ତି ଯେ କେନ୍ଦ୍ର ମଧ୍ୟ ଅତିରିକ୍ତ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଉଛି।

କସରାଗୋଡ଼ ଜିଲ୍ଲାକୁ ଛାଡ଼ି ବାକି ସବୁଆଡ଼େ ଗୁରୁବାର ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। କଲେଜ ଓ ବିଶ୍ୱବିଦ୍ୟାଳୟ ସମସ୍ତ ପରୀକ୍ଷା ବନ୍ଦ ରଖିଛନ୍ତି।

By amfnews

Related Post