Sat. Mar 7th, 2026

କେରଳ ବନ୍ୟା ବିତ୍ପାତ; ଆଜି ୩୩ ଜଣଙ୍କ ମୁତ୍ୟୁ ପରେ ମୁତ୍ୟୁ ସଂଖ୍ୟା ପହଞ୍ଚିଲା ୩୫୭ରେ, ଜଳପଥରେ ନୌସେନାର ପୋତରେ ପହଞ୍ଚିଲା ରିଲିଫ୍‌ ସାମଗ୍ରୀ

401 Views

ଥିରୁବନନ୍ତପୁରମ୍‌/ ତ୍ରିଭେନ୍ଦମ୍‌: କେରଳରେ ସୃଷ୍ଟି ହୋଇଥିବା ବନ୍ୟା ବିତ୍ପାତ ଥମିବାର ନାଁ ନେଉନାହିଁ। କେବଳ ମାତ୍ର ରାଜଧାନୀ ତ୍ରଭେନ୍ଦମ୍‌କୁ ଛାଡ଼ିଦେଲେ ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ଚଳିତ ପ୍ରଳୟଙ୍କରୀ ବନ୍ୟାରେ ସଂପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି। ସରକାରୀ ଭାବେ ଗତ ୨୪ ଘଣ୍ଟା କେରଳ ବନ୍ୟାରେ ୩୩ ଜଣଙ୍କର ମୁତ୍ୟୁ ଘଟିବା ପରେ ଏବେ ମୁତ୍ୟୁ ସଂଖ୍ୟା ଆସି ସରକାରୀ ଭାବେ ୩୫୭ରେ ପହଞ୍ଚିଛି। ତେବେ, ବେସରକାରୀ ଭାବେ ମୁତ୍ୟୁ ସଂଖ୍ୟା ଆହୁରି ବହୁ ଅଧିକ ହେବ ବୋଲି କୁହାଯାଉଛି।ଏବେ ବି ଲକ୍ଷ ଲକ୍ଷ ଲୋକ ବନ୍ୟାପାଣିରେ ଫସି ରହିବା ସହ ସାହାଯ୍ୟକୁ ଅପେକ୍ଷା କରି ରହିଛନ୍ତି। ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟକୁ ସଡ଼କ ପଥ, ରେଳପଥ, ଆକାଶପଥରେ ଗମନାଗମନ ସଂପୂର୍ଣ୍ଣ ରୂପେ ଠପ୍‌ ହୋଇ ପଡ଼ିଛି। ଫଳରେ ଆଜି ଭାରତୀୟ ନୌସେନା ପକ୍ଷରୁ ଏକ ଯୁଦ୍ଧ ପୋତରେ କେରଳକୁ ଅତ୍ୟାବଶ୍ୟକୀୟ ରିଲିଫ୍‌ ସାମଗ୍ରୀ ପଠାଯାଇଛି।

ବନ୍ୟା ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟରେ ସେନା ବାହିନୀର ସ୍ଥଳସେନା, ବାୟୁସେନା, ନୌସେନା, କୋଷ୍ଟଗାର୍ଡ, ଏନ୍‌ଡିଆରଏଫ୍‌କୁ ନିୟୋଜିତ କରାଯାଇଛି। ୩୮ଟି ହେଲିକପ୍ଟଟର, ୨୦ଟି ବିମାନ ଏବଂ ୩୨୦ଟି ମୋଟର ବୋଟ ନିୟୋଜିତ ହୋଇଛି। ଏଯାବତ୍‌ ୫୦ହଜାର ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇ ଥିବା ବେଳେ ଆହୁରି ୧୦,୦୦୦ ଲୋକ ଉଦ୍ଧାର ହେବା ଅପେକ୍ଷାେରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦ୍ୱିତୀୟ ଦିନ ପାଇଁ ଆକାଶମାର୍ଗରୁ କେରଳ ବନ୍ୟାଞ୍ଚଳ ପରିଦର୍ଶନ କରବା ସହ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରି ପ୍ରାଥମିକ ପର୍ଯ୍ୟାୟରେ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।

By amfnews

Related Post