Fri. Dec 27th, 2024

କେରଳ, ତାମିଲନାଡୁ ଓ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା

By amfnews Oct 5, 2018 #Featured
167 Views

ଥିରୁବନନ୍ତପୁରମ, ଅକ୍ଟୋବର ୦୫ : କେରଳ, କର୍ଣ୍ଣାଟକ, ପଣ୍ଡିଚେରୀ ଓ ତାମିଲନାଡୁରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ଦେଖାଯାଇଛି । ଗତ ଅଗଷ୍ଟ ମାସରେ କେରଳରେ ଭୟଙ୍କର ବନ୍ୟା ଯୋଗୁଁ ପ୍ରାୟ ୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଚାଷୀମାନେ କୃଷିକାମ କରିବାରେ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା କ୍ଷତି ସହ୍ୟ କରିଛନ୍ତି । ଦକ୍ଷିଣ-ପୂର୍ବ ଆରବ ସାଗରେ ଲଘୁଚାପ ଯୋଗୁଁ କେରଳ, କର୍ଣ୍ଣାଟକ, ପଣ୍ଡିଚେରୀ ଓ ତାମିଲନାଡୁରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଭାରତୀୟ ପାଣିପାଗର ଆକଳନ ଅନୁସାରେ କେରଳର ପଡୋଶୀ ତାମିଲନାଡୁରେ ଅକ୍ଟୋବର ୭ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସେହିପରି ରାଜ୍ୟରେ ପ୍ରବଳ ବର୍ଷା ଅନୁମାନ କରି କର୍ଣ୍ଣାଟକ ସରକାର ୧୨ଟି ଜିଲ୍ଲାର ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ଏକ ବୁଲେଟିନ ଜାରି କରିଛି ଯେ, ଲଘୁଚାପ ପ୍ରଭାବରେ ବାତ୍ୟା ପରିସ୍ଥିତି ସୃଷ୍ଟି ହେବ । ସେହିଭଳି ପ୍ରବଳ ବର୍ଷା ମଧ୍ୟ ହେବାର ପୂର୍ବାନୁମାନ କରାଯାଉଛି ।

ବୁଲେଟିନ ଅନୁସାରେ ଅକ୍ଟୋବର ୬ରେ ଲଘୁଚାପ ଅଞ୍ଚଳ ଜଣାପଡ଼ିଯିବ । ଏହା ୩୬ ଘଣ୍ଟା ମଧ୍ୟରେ ବାତ୍ୟା ପରିସ୍ଥିତି ସୃଷ୍ଟି କରିବ । ପବନର ଗତି ବଢ଼ିବ । ସେହି ସମୟରେ ସମୁଦ୍ର ଭିତରକୁ ପ୍ରବେଶ ନ କରିବା ପାଇଁ ମତ୍ସଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

 

By amfnews

Related Post