Wed. Mar 11th, 2026

କେନ୍ଦ୍ରୀୟ ପୂଜା କମିଟିର ବାର୍ଷିକ ପୁରସ୍କାର ଓ ମ୍ୟୁଜିକାଲ ନାଇଟ୍ ଅନୁଷ୍ଠିତ

259 Views

ରାଉରକେଲା : ରାଉରକେଲା କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ୨୦୧୭-୧୮ ବର୍ଷ ପାଇଁ ବାର୍ଷିକ ପୁରସ୍କାର ଉତ୍ସବ ଓ ରଙ୍ଗାରଙ୍ଗ ମ୍ୟୁଜିକାଲ ନାଇଟ୍ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର-୧୭ ସମଲେଶ୍ୱରୀ ପୂଜା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ପୂଜା କମିଟିର ସଭାପତି ତଥା ରାଉରକେଲା ଅତିରିକ୍ତ ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ଆର୍ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଓ ରାଉରକେଲା ଏସ୍ପି ଡ. ଉମାଶଙ୍କର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ପୂଜା କମିଟିର ସାଧାରଣ ସମ୍ପାଦକ ବିଜୟ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇ ଗତବର୍ଷ ଅତି ସରସ ସୁନ୍ଦର ଭାବେ ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜା ସମ୍ପନ୍ନ ହୋଇଥିବାରୁ ସହରବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ସେହିପରି ଚଳିତ ବର୍ଷ ମା’ଙ୍କ ପୂଜା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥି ପାଇଁ ସେ ସହରବାସୀଙ୍କ ସହଯୋଗ କାମନା କରିଥିଲେ । ପୂଜା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ସହତ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ସେ ବିଭିନ୍ନ ପୂଜା କମିଟି ସଦସ୍ୟମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଥିଲେ ।

ରଘୁନାଥପାଲି ବିଧାୟକ ଶ୍ରୀ ତରାଇ ଉଦ୍ବୋଧନ ଦେଇ କେବଳ ଜିଲା ନୁହେଁ ସାରା ରାଜ୍ୟରେ ରାଉରକେଲା କେନ୍ଦ୍ରୀୟ ପୂଜା କମିଟି ତା’ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସର୍ବଭାରତୀୟଙ୍କ ସହର ଭାବେ ମାନ୍ୟତା ପାଇଥିବା ରାଉରକେଲାରେ ଯେପରି ଶାନ୍ତିଶୃଙ୍ଖଳାର ସହିିତ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ସମ୍ପନ୍ନ ହୋଇ ପାରିବ ସେଥିପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଅନ୍ୟତମ ଅତିଥି ତଥା ଆର୍ଡିଏ ଅଧ୍ୟକ୍ଷ ଶ୍ରୀ ନାୟକ ବକ୍ତବ୍ୟ ରଖି ରାଉରକେଲାରେ ପୂଜାପାର୍ବଣର ମହକ ସଂପୂର୍ଣ୍ଣ ଅଲଗା ବୋଲି କହିଥିଲେ ।

ବିଗତବର୍ଷ ପରି ଚଳିତ ବର୍ଷ ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ ଶ୍ରୀ ନାୟକ ଅନୁରୋଧ କରିଥିଲେ । ଏସ୍ପି ଡ. ଦାସ ବକ୍ତବ୍ୟ ରଖି ଶୃଙ୍ଖଳିତ ପୂଜା ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଦୁୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜାରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ବିଭିନ୍ନ ପୂଜା କମିଟିଗୁଡ଼ିକୁ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ ବିଚିତ୍ରାର ଆୟୋଜନ କରାଯାଇଥିଲା । ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସୁଲଳିତ କଣ୍ଠଶ୍ୱରରେ ଦର୍ଶକ ମତୁଆଲା ହୋଇଥିଲେ । କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ପୂଜା କମିଟିର ରମେଶ ଚନ୍ଦ୍ର ପାତ୍ର, ରାମଚନ୍ଦ୍ର ଗୌଡ଼, ମନୋଜ ଘଡ଼େଇ, ସୁବାସ ପଣ୍ଡା, ଅରୁଣ କୁମାର ମହାପାତ୍ରଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।

By amfnews

Related Post