Sat. Jan 4th, 2025

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡିଏ ସରକାର ଗତ ୪ ବର୍ଷ ମଧ୍ୟରେ ଓଡିଶାରେ ବିଭିନ୍ନ କ୍ଷେତ୍ରରେ ମୋଟ ୨,୮୬,୮୩୬ କୋଟି ଟଙ୍କାର ପୁଂଜି ନିବେଶ ଲାଗି ପ୍ରତିବଦ୍ଧ ହୋଇଛନ୍ତି ।

By amfnews Jun 7, 2018 #Featured
331 Views

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡିଏ ସରକାର ଗତ ୪ ବର୍ଷ ମଧ୍ୟରେ ଓଡିଶାରେ ବିଭିନ୍ନ କ୍ଷେତ୍ରରେ ମୋଟ ୨,୮୬,୮୩୬ କୋଟି ଟଙ୍କାର ପୁଂଜି ନିବେଶ ଲାଗି ପ୍ରତିବଦ୍ଧ ହୋଇଛନ୍ତି । ସେଥିମଧ୍ୟରୁ କେବଳ ପେ ଓଡିଶାରେ ପେଟ୍ରୋଲିୟମ ଶିଳ୍ପର ବିକାଶ ସମ୍ପର୍କରେ ଅବତାରଣା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ପାରାଦୀପ ତୈଳ ବିଶୋଧନାଗାରରେ ଏବେ ଇଣ୍ଡମାକ୍ସ ଟେକ୍ନୋଲଜିର ବ୍ୟବହାର କରାଯାଉଛି ଯାହାକି ଏଲପିଜି ଉତ୍ପାଦନକୁ ବହୁ ପରିମାଣରେ ବଢ଼ାଇବ । ବିଶୋଧନ କ୍ଷମତାକୁ ବାର୍ଷିକ ୨୧ ନିୟୁତ ଟନକୁ ବୃଦ୍ଧି କରିବା ଲାଗି ଆଉ ୨୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ହେବ । ସେହିପରି ପେଟକୋକ ବାଷ୍ପିକରଣ ଏବଂ ଆନୁସଙ୍ଗିକ ସିନ୍ଥେଟିକ ଇଥାନଲ ପ୍ରସ୍ତୁତି ପାଇଁ ୧୧ ହଜାର କୋଟି ଟଙ୍କା ନିବେଶ କରାଯିବ । ଏବେ ପାରାଦୀପ ପ୍ଲାଷ୍ଟିକ ପାର୍କରେ ୮୦ଟି ବିନିର୍ମାଣ ୟୁନିଟ ଚାଲିଛି ଏବଂ ଏହାଦ୍ୱାରା ୧୫ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ।

ପୂର୍ବ ଭାରତରେ ବୟନ ଉଦ୍ୟୋଗର ବିକାଶ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଭଦ୍ରକଠାରେ ବୟନ ପାର୍କ ପ୍ରତିଷ୍ଠା କରାଯାଉଛି । ପାରାଦୀପରେ ଚାଲିଥିବା ବିଭିନ୍ନ ପଲିମର ଓ ୟାର୍ରନ ୟୁନିଟରୁ ଏଥିଲାଗି କଂଚାମାଲ ଯୋଗାଇ ଦିଆଯିବ । ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ୨ ଲକ୍ଷ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଥିଲେ । ଓଡିଶାରେ ଏଲଏନଜି ଟର୍ମିନାଲ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା କାର୍ଯ୍ୟକ୍ରମ ଅଧିନରେ ଧାମରା ଏଲଏନଜି ଟର୍ମିନାଲ ଓଡିଶା ପାଇଁ ପ୍ରାକୃତିକ ବାଷ୍ପ ଯୋଗାଣାର ବୃହତ ଉତ୍ସ ହେବ । ଏହାର ପୁନଃ ବାଷ୍ପିକରଣ କ୍ଷମତା ବାର୍ଷିକ ୫ ନିୟତ ମେଟ୍ରିକ ଟନ ହେବ ଏବଂ ଏଥିରେ ୫,୫୦୦ କୋଟି ଟଙ୍କା ବିନିଯୋଗ କରାଯାଉଛି । କେବଳ କଟକ ଓ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସିଟି ଗ୍ୟାସ ବିତରଣ ନେଟୱାର୍କ ପ୍ରତିଷ୍ଠା ଲାଗି ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏବେ ୨ଟି ଜିଲ୍ଲା ସିଟି ଗ୍ୟାସ ବିତରଣ ନେଟୱାର୍କ ଅଧିନରେ ଆସୁଥିବା ବେଳେ ଆଉ ୧୭ଟି ଜିଲ୍ଲାକୁ ଏହା ସମ୍ପ୍ରସାରିତ କରାଯିବ । ଏଥିଲାଗି ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ୩ ହଜାର କୋଟି ଟଙ୍କା ବିନିଯୋଗ ହେବ ।

ଉର୍ଜା ଗଙ୍ଗା ଯୋଜନା ଅଧିନରେ ଓଡିଶାର ୧୩ଟି ଜିଲ୍ଲା ଦେଇ ୭୬୯ କିଲୋମିଟର ଗ୍ୟାସ ପାଇପ ଲାଇନ ବିଛା ଯାଉଛି । ଏହି ଜିଲ୍ଲାଗୁଡିକ ହେଲା – ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଏବଂ ଜଗତସିଂହପୁର । ସେହିପରି ଏହି ଗ୍ୟାସ ପାଇପ ଲାଇନ ନେଟୱାର୍କ ୧୧ଟି ଶିଳ୍ପାଂଚଳକୁ ସ୍ପର୍ଶ କରିବ । ଏହି ଶିଳ୍ପାଂଚଳଗୁଡିକ ହେଲା – ଖୋର୍ଦ୍ଧା, ଝାରସୁଗୁଡା, ରାଉରକେଲା, ସମ୍ବଲପୁର, ଭୁବନେଶ୍ୱର, କଟକ, ଅନୁଗୁଳ, ଢ଼େଙ୍କାନାଳ, କଳିଙ୍ଗନଗର, ଯାଜପୁର ଏବଂ ପାରାଦୀପ । ଏଥିଲାଗି ୩,୮୫୧ କୋଟି ଟଙ୍କାର ପୁଂଜି ନିବେଶ ହେବ ।

ତାଳଚେର ସାର ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, କୋଇଲା ବାଷ୍ପିକରଣ ଭିତିକ ସାର କାରଖାନା ଲାଗି ପେଟକୋକ ମିଶ୍ରଣ ଉପଯୋଗ କରାଯିବ । ଏହା ପରିବେଶ ଅନୁକୂଳ ମଧ୍ୟ । ଏଥିରେ ୧୧,୬୧୧ କୋଟି ଟଙ୍କା ବିନିଯୋଗ କରାଯାଇ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ ୟୁରିଆ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ୪,୫୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ପାରାଦୀପକୁ ଏକ ବନ୍ଦର ଭିତିକ ସ୍ମାର୍ଟ ସିଟି କରିବା ଲାଗି କେନ୍ଦ୍ର ସରକାର ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଛନ୍ତି । ୨୦୨୦ ସୁଦ୍ଧା ବନ୍ଦର କ୍ଷମତା ୩୩୨ ନିୟୁତ ଟନକୁ ବୃଦ୍ଧି କରାଯିବ ଏବଂ ୯ଟି ବନ୍ଦର ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଯେଉଁଥି ସହ ଜାତୀୟ ରାଜପଥ, ଜାତୀୟ ଜଳପଥର ବିକାଶ ସାଧନ ସଙ୍ଗେ ମହାନଦୀ ମୂହାଣର ବିକାଶ କରାଯିବ । ଏଥିରେ ପ୍ରାୟ ୧୩,୬୯୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହି କାର୍ଯ୍ୟକ୍ରମ ଅଧିନରେ ପାରାଦୀପ ଆଖପାଖ ଅଂଚଳରେ ଏକ ବହୁମୂଖୀ ଲଜିଷ୍ଟିକ ପାର୍କ, କାଠ ପାର୍କ ଏବଂ ଖାଦ୍ୟ ପାର୍କ ନିର୍ମାଣ କରାଯିବ । ପାରାଦୀପର କ୍ରମବର୍ଦ୍ଧିଷ୍ଣୁ ସହରାଂଚଳକୁ ଦୃଷ୍ଟିରେ ରଖି ୪୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ନିର୍ମିତ ହେବ । ତା’ଛଡା ଦୈନିକ ୧୦୦ନିୟୁତ ଲିଟର କ୍ଷମତା ବିଶିଷ୍ଟ ଏକ ଲବଣ ପରିଷ୍କରଣ ପ୍ଲାଂଟ ତଥା ୧୦ଟି ଉପକୂଳ ଗୋଷ୍ଠୀ ବିକାଶ ପ୍ରକଳ୍ପ ହାତକୁ ନିଆଯିବ । ଏଥିରେ ପ୍ରାୟ ୪,୭୯୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ କହିଥିଲେ ।

କେନ୍ଦ୍ର ସରକାର ଓଡିଶାକୁ ଅଧିକ ଗୁରୁତ୍ୱ ଦେଉଥିବା ସୂଚନା ଦେଇ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଏବେ ଓଡିଶାର ୧୦ଟି ଜିଲ୍ଲାକୁ ଅତିବ ମହତ୍ୱାକାଂକ୍ଷୀ ଅଭିଳାଷୀ ଜିଲ୍ଲା ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା – ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ ଏବଂ ଢ଼େଙ୍କାନାଳ । ପ୍ରଧାନମନ୍ତ୍ରୀ ନିଜେ ଏହି ଜିଲ୍ଲାଗୁଡିକର ବିକାଶ କାର୍ଯ୍ୟର ଅଗ୍ରଗତିକୁ ନିୟମିତ ପ୍ରଗତି କାର୍ଯ୍ୟକ୍ରମ ଜରିଆରେ ସମୀକ୍ଷା କରୁଛନ୍ତି । ଓଡିଶାରେ ତଫସିଲଭୁକ୍ତ ଜାତିର ବିକାଶ ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସେ କହିଥିଲେ ଯେ, ଏନଡିଏ ସରକାର ଗତ ୪ ବର୍ଷ ମଧ୍ୟରେ ର ଜୀବନ ଜ୍ୟୋତି ବୀମା ଯୋଜନାରେ ୯,୨୭,୮୪୧ ହିତାଧିକାରୀ ଏବଂ ଅଟଳ ପେନସନ ଯୋଜନାରେ ୬, ୫୯, ୯୨୬ ହିତାଧିକାରୀ ସାମିଲ ହୋଇଛନ୍ତି । ଏପରିକି ମୁଦ୍ରା ଯୋଜନା ଅଧିନରେ ଓଡିଶାର ୮୪,୨୦,୩୪୨ ଛୋଟ ଓ ନାମମାତ୍ର ଉଦ୍ୟୋଗୀଙ୍କୁ ୨୫,୧୪୫.୧୧ କୋଟି ଟଙ୍କା ଋଣ ସହାୟତା ମଂଜୁର କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମାଂଚଳ)ରେ ୟୁପିଏ ସରକାର ବେଳେ ୬,୬୭,୨୫୬ ଘର ନିର୍ମାଣ ପାଇଁ ୩,୮୩୭ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଚଳିତ ଏନଡିଏ ସରକାରଙ୍କ ୪ ବର୍ଷ ସମୟରେ ୮,୯୨,୧୭୭ ଘର ନିର୍ମାଣ ପାଇଁ ୬,୨୮୫.୪୪ କୋଟି ଟଙ୍କା ମଂଜୁର ହୋଇଛି । ସହରାଂଚଳ ପାଇଁ ଗତ ୪ ବର୍ଷ ମଧ୍ୟରେ ୧,୩୬୭ କୋଟି ଟଙ୍କା ମଂଜୁର କରାଯାଇଛି, ଯେଉଁଥିରେକି ୮୫,୪୫୧ ଘର ନିର୍ମାଣ କରାଯାଉଛି । ୟୁପିଏ ସରକାର ବେଳେ ଏହି ସଂଖ୍ୟା ମାତ୍ର ୨୩,୯୪୦ ଥିଲା । ଓଡିଶାରେ ଗ୍ରାମ୍ୟ ବିଦ୍ୟୁତକରଣର ଚିତ୍ର ପ୍ରଦାନ କରି ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ୪୦ ଲକ୍ଷ ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଦିଆଯିବ । ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ୧୪,୨୨୨ ଗ୍ରାମକୁ ଆଲୋକିତ କରାଯାଇଛି । ସେହିପରି ଉଜ୍ଜଳା ଯୋଜନାରେ ରାଜ୍ୟରେ ୧.୩ କୋଟି ଏଲଇଡି ବଲ୍ୱ ଓ ଫ୍ୟାନ ବଂଟନ କରାଯାଇଛି ।

ରାଜ୍ୟରେ ଉଜ୍ଜଳା ଯୋଜନାର ଅଗ୍ରଗତି ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ୨୦୧୪ରେ ଏନଡିଏ କ୍ଷମତାକୁ ଆସିବା ବେଳେ ଦେଶରେ ୬୦ ବର୍ଷ ମଧ୍ୟରେ ମାତ୍ର ୨୦ ଲକ୍ଷ ଏଲପିଜି ସଂଯୋଗ ରହିଥିଲା । ଏବେ ଗତ ୪ ବର୍ଷ ମଧ୍ୟରେ ଏନଡିଏ ସରକାର ୬୨ ଲକ୍ଷ ଏଲପିଜି ସଂଯୋଗ ପ୍ରଦାନ କରିଛନ୍ତି । ଏହାଫଳରେ ଏଲପିଜି ସଂଯୋଗ ହାତ ୫୮.୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ କେବଳ ଉଜ୍ଜଳା ଯୋଜନାରେ ଗତ ବର୍ଷକ ମଧ୍ୟରେ ୨୫.୫ ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି । ତଫସିଲଭୁକ୍ତ ଜାତି ଓ ଉପଜାତିର ଲୋକଙ୍କୁ ୧୨.୮ ଲକ୍ଷ ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ୩୬.୨୮ ଲକ୍ଷରୁ ଅଧିକ ବ୍ୟକ୍ତିଗତ ଶୈାଚାଳୟ ଓ ୨,୩୫୭ ଗୋଷ୍ଠୀ ଶୈାଚାଳୟ ନିର୍ମାଣ କରାଯାଇଛି । ରାଜ୍ୟରେ ପରିମଳ କଭରେଜ ମଧ୍ୟ ୧୦.୬୧ ପ୍ରତିଶତରୁ ୫୪.୦୧ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ସ୍ୱଚ୍ଛ ଭାରତ ମିଶନ ଅଧିନରେ ଓଡିଶାକୁ ୨,୩୧୦.୪୫ କୋଟି ଟଙ୍କା ମଂଜୁର କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ ।

ମନରେଗା ଅଧିନରେ ମଧ୍ୟ ଓଡିଶାକୁ ଗତ ୪ ବର୍ଷ ମଧ୍ୟରେ ୭,୭୬୨ କୋଟି ଟଙ୍କା ମଂଜୁର ହୋଇଛି । ପୂର୍ବରୁ ୟୁପିଏ ସରକାର ଅମଳରେ ୨୦୧୦ ରୁ ୨୦୧୪ ମଧ୍ୟରେ ୩,୯୮୧ କୋଟି ଟଙ୍କା ମଂଜୁର ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା କ୍ରମେ ଆରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ବୋଲି ବର୍ଣ୍ଣନା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଦାନ କହିଥିଲେ, ଓଡିଶାରେ ଏହାଦ୍ୱାରା ୪୮ ଲକ୍ଷ ଗରିବ ପରିବାର ଉପକୃତ ହେବାକୁ ଯାଉଛନ୍ତି । ପୋଷଣ ଅଭିଯାନରେ ମଧ୍ୟ ରାଜ୍ୟର ୨୫ଟି ଜିଲ୍ଲାରେ ୨୮୨ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛ । ଏହ ଅଭିଯାନ ମାଧ୍ୟମରେ ୯୦୪୬ କୋଟି ଟଙ୍କା ବିନିଯୋଗ ହୋଇ ଅପପୃଷ୍ଟି, ରକ୍ତହିନତା ଏବଂ କମ୍ ଓଜନର ଶିଶୁ ଜନ୍ମ ସମସ୍ୟାର ପ୍ରତିକାର ଲାଗି ପ୍ରୟାସ କରାଯାଉଛି । କୃଷି କ୍ଷେତ୍ର ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ଏପର୍ଯ୍ୟନ୍ତ ୩୧,୫୦,୧୮୬ ଟି ମୃତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି ଏବଂ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ୧୯୬.୫୩ କୋଟି ଟଙ୍କା ବିନିଯୋଗ ହେବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଏନଡିଏ ସରକାର ସଙ୍ଘିୟ ଗଣତନ୍ତ୍ରରେ ବିଶ୍ୱାସ କରି ଟିକସ ବଂଟନ ଢ଼ାଂଚାକୁ ଅଧିକ ରାଜ୍ୟମୂଖୀ କରିଛନ୍ତି । ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ରାଜ୍ୟମାନଙ୍କୁ ୪୨ ପ୍ରତିଶତ ଟିକସ ରାଜସ୍ୟ ଆବଂଟନ କରାଯାଇଛି । ୨୦୧୧ ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ରାଜ୍ୟମାନଙ୍କୁ ୮୨,୧୮୫ କୋଟି ଟଙ୍କାର ଅନୁଦାନ ଦେଇଥିବା ବେଳେ ଏନଡିଏ ସରକାର ୨୦୧୬ ରୁ ୨୦୧୯ ମଧ୍ୟରେ ରାଜ୍ୟମାନଙ୍କୁ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ଆଧାରରେ ୧,୯୬,୬୩୨ କୋଟି ଟଙ୍କା ବଂଟନ କରିବେ । ଏହାଛଡା ଖଣି ଇ-ନିଲାମି ଦ୍ୱାରା ଓଡିଶାକୁ ୭୧,୭୮୩ କୋଟି ଟଙ୍କା ମିଳିବ । ଅଧିକନ୍ତୁ ଜିଲ୍ଲା ମିନେରାଲ ଫାଉଣ୍ଡେସନ ପ୍ରତିଷ୍ଠା ମାଧ୍ୟମରେ ଓଡିଶାରେ ଏପର୍ଯ୍ୟନ୍ତ ୪୩୦୦ କୋଟି ଟଙ୍କାର ଡିଏମଏଫ ପାଣ୍ଠି ପ୍ରତିଷ୍ଠା କରାଯାଇଛି । ପୂର୍ବରୁ ଓଡିଶା କେବଳ ଏ ବାବଦରେ ରୟାଲିଟି ପାଉଥିଲା ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।

ଭୁବନେଶ୍ୱର ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ବ୍ୟାପକ ଯୋଜନା କରିଥିବା ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଖୋର୍ଦ୍ଧା ନିକଟରେ ଆନ୍ତର୍ଜାତିକସ୍ତରର ବିମାନ ବନ୍ଦର ଲାଗି ଜାଗା ଚିହ୍ନଟ ହୋଇଛି ଏବଂ ସେ ଏ ବିଷୟରେ ବିମାନ ବନ୍ଦର ପ୍ରାଧିକରଣ ସହ ଆଲୋଚନା କରିଛନ୍ତି । ଉଡାଣ ଯୋଜନାରେ ୨୮୮ କୋଟି ଟଙ୍କା ବିନିଯୋଗ ହୋଇ ଝାରସୁଗୁଡା, ରାଉରକେଲା, ଉତ୍କେଲା ଓ ଜୟପୁରଠାରେ ବର୍ତମାନର ଏୟାରଷ୍ଟ୍ରିପଗୁଡିକୁ ଉନ୍ନତି କରାଯିବ । ସେହିଭଳି ଝାରସୁଗୁଡାରେ ନୂଆ ବିମାନ ବନ୍ଦର ରନ୍ୱେ ନିର୍ମାଣ କରାଯିବ । ଓଡିଶାର ବିଭିନ୍ନ ଅଂଚଳକୁ ଶସ୍ତାରେ ବିମାନ ସେବା ଯୋଗାଇଦେବା ଲାଗି ଉଡାଣ ଯୋଜନା ଅଧିନରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ ।

By amfnews

Related Post