ରାଉରକେଲା, ୬ା୯ : ଦେଶର କ୍ରୀଡା ପ୍ରତିଭାଙ୍କ ପୃଷ୍ଠପୋଷଣ ତଥା ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଅଧିକ ସଂଖ୍ୟକ ପଦସ ଆଶାୟୀ କ୍ରୀଡାବିତ୍ଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଇସ୍ପାତ ମନ୍ତ୍ରଣାଳୟ ଏହାର ଅଧିନସ୍ଥ ସାର୍ବଜନିକ ଇସ୍ପାତ ଉଦ୍ୟୋଗଗୁଡିକ ନିମନ୍ତେ ପ୍ରଥମ ଥର ପାଇଁ ଏକ କ୍ରୀଡାନୀତିର ଆରମ୍ଭ କରିଛି । ଏହି ଚୂଡାନ୍ତ କ୍ରୀଡାନୀତିକୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହ ନୂଆଦିଲ୍ଲୀ ସ୍ଥିତ ସ୍କୋପ୍ ମିନାରରେ ଆୟୋଜିତ ଉତ୍ସବରେ ଉନ୍ମୋଚିତ କରିଛନ୍ତି । ଏହି ଅବସରରେ ଏନ୍ଏମ୍ଡିସି ଲିମିଟେଡର ସିଏମ୍ଡି ତଥା ଇସ୍ପାତ ମନ୍ତ୍ରଣାଳୟର କ୍ରୀଡା କମିଟି ଅଧ୍ୟକ୍ଷ ଏନ୍. ବୈଜେନ୍ଦ୍ର କୁମାର, ଇସ୍ପାତ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଓ ଅର୍ଥ ପରାମର୍ଶଦାତା ତଥା ସେଲ୍ ଅଧ୍ୟକ୍ଷ ସରସ୍ୱତୀ ପ୍ରସାଦ, ଆଇଏଏସ୍ ଏବଂ ଇସ୍ପାତ ମନ୍ତ୍ରଣାଳୟ ଓ ସିପିଏସ୍ଇଗୁଡିକର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ନିଜର ଉଦ୍ବୋଧନରେ କେନ୍ଦ୍ର ଇସ୍ପାତମନ୍ତ୍ରୀ କହିଲେ ଯେ, ସମ୍ପ୍ରତି କ୍ରୀଡା, ସାମାଜିକ ପରିବର୍ତ୍ତନର ଅନ୍ୟତମ ବାର୍ତ୍ତାବହ ସାଜିଛି ଏବଂ ଏହାକୁ ସମୟ ଅପଚୟ ମନୋଭାବ ବଦଳରେ କ୍ୟାରିୟର ବିକଳ୍ପ ଭାବେ ଅନେକ ଗ୍ରହଣ କରୁଛନ୍ତି । କ୍ରୀଡା ଜାତୀୟ ବିକାଶର ଏହି ମାପଦଣ୍ଡ ବୋଲି ଉଲ୍ଲେଖ କରିଥିଲେ ଏବଂ କ୍ରୀଡାର ପ୍ରସାର ପାଇଁ ସମସ୍ତ ପ୍ରତିଷ୍ଠାନ ଆଗଭର ହେବା ଆବଶ୍ୟକ ବୋଲି କହିଥିଲେ । ଭାରତର ଇସ୍ପାତ ଉଦ୍ୟୋଗ ଜିଡିପିରେ ୨%ରୁ ଅଧିକ ଯୋଗଦାନ ଦେଉଛି, ତେଣୁ ଇସ୍ପାତ ଉଦ୍ୟୋଗ କ୍ରୀଡା କ୍ଷେତ୍ରରେ ମଧ୍ୟ ଅନୁରୂପ ଯୋଗଦାନ ଦେଇପାରିବ ।
ସାର୍ବଜନିକ ଇସ୍ପାତ ଉଦ୍ୟୋଗ ଗୁଡିକର ପ୍ରୋତ୍ସାହନ ଫଳରେ କ୍ରୀଡା କ୍ଷେତ୍ରରେ ଦେଶକ ଅନେକ ପଦସ ହାସଲ ହୋଇଥିବା ଏବଂ ଭିତ୍ତିଭୂମିରେ ଉନ୍ନତି ସାଧନକୁ ନେଇ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିପୂର୍ବରୁ ଏନ୍. ବୈଜେନ୍ଦ୍ର କୁମାର କହିଲେ ଯେ, କ୍ରୀଡା ନୀତି କ୍ରୀଡାବିତ୍ଙ୍କୁ ଉନ୍ନତତର ସୁବିଧା ହାସଲରେ ସହାୟକ ହେବ ଏବଂ ସେମାନେ ସାମଗ୍ରୀକ ତାଲିମ୍, ସୁସ୍ୱାସ୍ଥ୍ୟ, ପ୍ରତିଯୋଗିତାମୂଳକ ଉକ୍ରର୍ଷତା, ଜୀବିକା, ସାମାଜିକ ସଙ୍ଗତି ଓ ସଦିଚ୍ଛା ଲାଭ ପୂର୍ବକ ଉପକୃତ ହୋଇପାରିବେ ।
ସରସ୍ୱତୀ ପ୍ରସାଦ ନିଜର ବକ୍ତବ୍ୟରେ କହିଲେ, ନୂତନ କ୍ରୀଡାନୀତି ସମାଜରେ ପରିବର୍ତ୍ତନ ଆଣିବ । ଦେଶର ବିଭିନ୍ନ ଭାଗରେ କ୍ରୀଡାକୁ ପ୍ରୋତ୍ସାହନ ପ୍ରଦାନ ପାଇଁ ସେଲ୍ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏନ୍ଏମ୍ଡିସିଆର୍ କାର୍ମିକ ବିଭାଗ ନିର୍ଦ୍ଦେଶକ ସନ୍ଦୀପ ତୁଲା ନିଜର ସ୍ୱାଗତ ଭାଷଣରେ ନୂତନ କ୍ରୀଡାନୀତି ସମ୍ପର୍କରେ ଆଲୋକପାତ କରିଥିଲେ । ସେଲ୍ କର୍ପୋରେଟ୍ ବ୍ୟାପାର ନିର୍ବାହୀ ନିର୍ଦ୍ଦେଶକ ଏମ୍.ସି. ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ କ୍ରୀଡାବିତ୍ ପ୍ରେମ ସିଂହ ଏବଂ ମାରାଥନ ଧାବକ ଡ.ସୁନୀତା ଗୋଡ୍ରା ତଥା ଅନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।