Tue. Dec 24th, 2024

କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ନିର୍ମାଣରେ ସେଲର ଯୋଗଦାନର ଉଚ୍ଚ ପ୍ରଶଂସା ବିଗତ ଛଅ ଦଶନ୍ଧି ମଧ୍ୟରେ ସେଲ ଏକ ସମୟ ପ୍ରମାଣିତ ଇସ୍ପାତ ନିର୍ମାତା କମ୍ପାନୀର ୬୦ ବର୍ଷ ପୂର୍ତ୍ତି ପାଳନରେ ଉଦ୍ଘାଟନ

By amfnews Dec 31, 2018 #Featured
206 Views

ରାଉରକେଲା, ୩୧ା୧୨  : ମାନ୍ୟବର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଚୌଧରୀ ବିରେନ୍ଦ୍ର ସିଂହ ଡିସେମ୍ବର ୨୮ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ହେବିଟେଣ୍ଟ ସେଣ୍ଟର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ)ର ଉତ୍ପାଦନର ୬୦ ବର୍ଷ ପୂର୍ତ୍ତି ପାଳନର ଉଦଘାଟନ କରିଛନ୍ତି । ସେଲ ସାମୁଦାୟିକଙ୍କୁ ଏହି ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ମାନ୍ୟବର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆଧୁନିକ ଭାରତର ନିର୍ମାଣରେ କମ୍ପାନୀର ବହୁମୂଲ୍ୟ ଯୋଗଦାନର ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ବିଗତ ୬୦ ବର୍ଷ ଧରି ସେଲ ଇସ୍ପାତ ରେଳବାଇ, ପ୍ରତିରକ୍ଷା, ଜଳ ବିଦ୍ୟୁତ, ମହାକାଶ କାର୍ଯ୍ୟକ୍ରମ, ବୃହତ ଭିତ୍ତିଭୂମି ପ୍ରକଳ୍ପ ଭଳି ଦେଶର ସମସ୍ତ ପ୍ରମୁଖ ପ୍ରକଳ୍ପଗୁଡିକରେ ଉଲ୍ଲେଖନୀୟ ଯୋଗଦାନ ଦେଇଆସିବା ସଙ୍ଗେ ସଙ୍ଗେ ସରକାରଙ୍କ ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଓ ସ୍କିଲ ଇଣ୍ଡିଆ ଭଳି ଅନ୍ୟାନ୍ୟ ପ୍ରୟାସର ସହଭାଗିତା ମଧ୍ୟ କରିଆସୁଛି ।

ଉକ୍ତ ଉତ୍ସବରେ ମାନ୍ୟବର କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇ, ଇସ୍ପାତ ସଚିବ ଶ୍ରୀ ବିନୟ କୁମାର, ଇସ୍ପାତ ଯୁଗ୍ମ ସଚିବ, ଶ୍ରୀମତୀ ରୁଚିକା ଚୌଧୁରୀ ଗୋଭିଲ ତଥା ସେଲ ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ଚୌଧୁରୀ ଏବଂ କମ୍ପାନୀର ନିର୍ଦ୍ଦେଶକବୃନ୍ଦ ଉପସ୍ଥିତ ଥିଲେ । ସେଲର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସ, ‘ପାର୍ବତୀ’ ୧୯୫୯ ମସିହା ଫେବୃଆରୀ ୩ ତାରିଖରେ ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟକ୍ଷମ ହୋଇଥିଲା । ୨୦୧୯ ମସିହାରେ ଉକ୍ତ ଦିନ କମ୍ପାନୀର ଏହି ସ୍ମରଣୀୟ ଦିବସର ୬୦ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ସେଲ ହୀରକ ଜୟନ୍ତୀ ବର୍ଷ ପାଳନ ଅବସରରେ ଏହାର ବିଭିନ୍ନ ପ୍ଲାଣ୍ଟ ଓ ୟୁନିଟରେ ବିବିଧ କାର୍ଯ୍ୟକ୍ରମର ଆୟୋଜନ କରୁଛି ଯାହାମଧ୍ୟରେ ବିଭିନ୍ନ ସାଂସ୍କୃତିକ ଓ କ୍ରୀଡା କାର୍ଯ୍ୟକ୍ରମ ସାମିଲ ରହିଛି । ଗତ ସପ୍ତାହରେ ମାନ୍ୟବର ଇସ୍ପାତ ମନ୍ତ୍ରୀଙ୍କ ଦ୍ୱାରା ୨୦୧୯ ମସିହାର ସ୍ୱତନ୍ତ୍ର ସେଲ କ୍ୟାଲେଣ୍ଡର ଓ ନୋଟବୁକ ଉନ୍ମୋଚିତ ହୋଇଥିଲା । ଏଥିରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ସେଲର ବହୁମୂଲ୍ୟ ଯୋଗଦାନର ସମ୍ୟକ ଚିତ୍ରସୂଚନା ସ୍ଥାନ ପାଇଛି ।

ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହ କହିଥିଲେ ଯେ, ଏହି ଉତ୍ସବରେ ପାଳନ ମହାରତ୍ନ କମ୍ପାନୀ ସେଲ ଦ୍ୱାରା ହାସଲ ହୋଇଥିବା ବିଭିନ୍ନ ଉପଲବ୍ଧି ଓ ରାଷ୍ଟ୍ର ନିର୍ମାଣରେ ଏହାର ଅନ୍ୟାନ୍ୟ ଯୋଗଦାନ ତଥା ବିଗତ ଛଅ ଦଶନ୍ଧି ଧରି ସେଲର ସଫଳତାର ଯାତ୍ରାକୁ ଦର୍ଶାଉଛି । ସେ କହିଥିଲେ ଯେ, ‘ବାର୍ଷିକ ୨୧.୪ ନିୟୁତ ଟନ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ହାସଲ ନିମନ୍ତେ ସେଲ ଏହାର ଆଧୂନିକୀକରଣ ଓ ସଂପ୍ରସାରଣ ସମ୍ପୂର୍ଣ୍ଣ କରିଛି ଏବଂ ମୁଁ ଆଶା କରୁଛି ଯେ, କମ୍ପାନୀ ଖୁବ୍ଶୀଘ୍ର ଏହାର ଧାର୍ଯ୍ୟ କ୍ଷମତା ହାରରେ ଉତ୍ପାଦନ ହାସଲ କରିବ । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଦେଶର ଭିତ୍ତିଭୂମି ନିର୍ମାଣ ନିମନ୍ତେ ସେଲ ଇସ୍ପାତ ଭାରତର କୋଣଅନୁକୋଣରେ ପହଞ୍ôଚପାଇଛି” । ସେ ଆହୁରି ମଧ୍ୟ ଉଲ୍ଲେଖ କରି କହିଥିଲେ ଯେ, “ଜାତୀୟ ଇସ୍ପାତ ନୀତି ୨୦୩୦ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ୩୦୦ ନିୟୁତ ଟନ କ୍ଷମତା ହାସଲ ନିମନ୍ତେ ସେଲ ଏହାର କ୍ଷମତା ବିସ୍ତାର ମଧ୍ୟ କରୁଛି” । ଭାରତର ଦୂରଦୂରାନ୍ତର ପ୍ରାନ୍ତରେ ବିକାଶ କ୍ଷେତ୍ରରେ ମଧ୍ୟ ସେଲ ତାତ୍ପର୍ଯ୍ୟପୂର୍ଣ୍ଣ ଯୋଗଦାନ ଦେଇଆସୁଛି ।

ସେଲର ଏକ ସମୃଦ୍ଧ ଐତିହ୍ୟ ରହିଛି ଏବଂ ଏହା ଭବିଷ୍ୟତରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଜାରିରଖିବ ବୋଲି ମୁଁ ଦୃଢ ନିଶ୍ଚିତ ବୋଲି ସେ ଉଲ୍ଲେଖ କରିଥିଲେ । ଏହି ଅବସରରେ ମାନ୍ୟବର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓସାଇ କହିଥିଲେ ଯେ, “ଦେଶର କ୍ରମବର୍ଦ୍ଧିଷ୍ଣୁ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟଧାରା ପରିପ୍ରେକ୍ଷୀରେ ସେଲର ଭୂମିକା ବ୍ୟାପକ ହୋଇଛି” । ଏହି ଅବସରରେ ଇସ୍ପାତ ସଚିବ ଶ୍ରୀ ବିନୟ କୁମାର ସେଲ ପରିବାରକୁ ଦୀର୍ଘ ଛଅ ଦଶନ୍ଧିର ସଫଳତା ଯାତ୍ରା ନିମନ୍ତେ ଅଭିନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, “ଘରୋଇ ଓ ବିଶ୍ୱ ବଜାରରେ ପରିବର୍ତ୍ତିତ ଆବଶ୍ୟକତାକୁ ହୃଦୟଙ୍ଗମ କରିବା ତଥା ତଦନୁଯାୟୀ ନିଜକୁ ପ୍ରସ୍ତୁତ କରିବା ପାଇଁ ସମ୍ପ୍ରତି ସମୟ ଉପନୀତ ।

ବିଗତ ୬୦ ବର୍ଷ ଧରି ନିଜର କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଇ ଆସିଥିବା ସେଲ ଏହାର ଦାୟିତ୍ୱ ପୂର୍ବଭଳି ସମ୍ପାଦନ କରିବ ବୋଲି ମୁଁ ନିଶ୍ଚିତ”ା ସେଲ ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ଚୌଧୁରୀ ଉତ୍ସବରେ ଉଦ୍ବୋଧନ ଦେଇ କହିଥିଲେ ଯେ, “ଦେଶର ପ୍ରତ୍ୟେକ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ସେଲ ସର୍ବଦା ପ୍ରତିବଦ୍ଧ ରହିଛି । ଏହି ଅତୁଲ୍ୟ ସମର୍ପଣଭାବ କମ୍ପାନୀର ଦୃଢନିଷ୍ଠ ଓ ପରିଶ୍ରମୀ ଟିମ ସେଲ ଯୋଗୁଁ ସମ୍ଭବପର ହୋଇପାରିଛି” । ସେ ଆହୁରି ମଧ୍ୟ କହିଥିଲେ ଯେ, ବିଗତ ୬୦ ବର୍ଷ ମଧ୍ୟରେ ଦେଶର ପ୍ରତିଟି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପରେ ସେଲ ଷ୍ଟିଲ ଉପଯୋଗ ହୋଇଛି ଯାହା ମଧ୍ୟରେ ଢୋଲା-ସଦିୟା ସେତୁ, ଚେନାନୀ ନାଶ୍ରି ଟନେଲ, ସର୍ଦ୍ଦାର ସରୋବର ଡ୍ୟାମ ଏବଂ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟି’ ସାମିଲ ରହିଛି ।

ସେଲ ଦେଶର ଘରୋଇ ପ୍ରତିରକ୍ଷା ପ୍ରକଳ୍ପଗୁଡିକ ନିମନ୍ତେ ଇସ୍ପାତ ଯୋଗାଇଦେଉଛି ଏବଂ ଆମେ ଭାରତର ମହାକାଶ ଅଭିଯାନ ନିମନ୍ତେ ମଧ୍ୟ ଇସ୍ପାତ ଯୋଗାଇଦେଉଛି । ସେଲର ବିବିଧ ଉଚ୍ଚମାନର ଇସ୍ପାତର ପ୍ରଶଂସା କରି ସେ ଆହୁରି ମଧ୍ୟ କହିଥିଲେ ଯେ, କମ୍ପାନୀ ଏହାର ଉତ୍ପାଦନ ପରିମାଣର ବୃଦ୍ଧି ଆଣିବା ସହିତ ଧାର୍ଯ୍ୟ ଲକ୍ଷ୍ୟ ହାସଲ ସମେତ ବଜାର ଆବଶ୍ୟକତା ମୁତାବକ ମୂଲ୍ୟଯୁକ୍ତ ଇସ୍ପାତ ଉତ୍ପାଦନ ଉପରେ ଅଗ୍ରାଧିକାର ପ୍ରଦାନ କରୁଛି । ଏକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ହେବା ନିମନ୍ତେ ସେଲର ଧ୍ୟେୟ ପୂରଣ ନିମନ୍ତେ ଏହା ପ୍ରକୃଷ୍ଟ ସମୟ ବୋଲି ସେ ଉଲ୍ଲେଖ କରିଥିଲେ ।

ଏହି ଉତ୍ସବ ଅବସରେ ପୂର୍ବତନ ଇସ୍ପାତ ସଚିବ, ପୂର୍ବତନ ସେଲ ଅଧ୍ୟକ୍ଷ ଓ ନିର୍ଦ୍ଦେଶକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱ ଉପରେ ଆଧାରିତ ପୁସ୍ତକକୁ ମାନ୍ୟବର ଇସ୍ପାତ ମନ୍ତ୍ରୀ ଉନ୍ମୋଚନ କରିଥିଲେ । ସୂଚନାଯୋଗ୍ୟ ଯେ, ସେଲ ଏହାର ବିବିଧ ସିଏସଆର କାର୍ଯ୍ୟଧାରା ମାଧ୍ୟମରେ ଇସ୍ପାତ ସହର ଓ ଏହାର ଆଖପାଖ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ପରିମଳ, କୌଶଳ ବିକାଶ, କ୍ରୀଡା, କଳା ଓ ସଂସ୍କୃତି, ପରିବେଶ ଇତ୍ୟାଦି କ୍ଷେତ୍ରରେ ପ୍ରମୁଖ ଯୋଗଦାନ ଦେଇ ଲୋକଙ୍କ ଜୀବନଧାରଣ ମାନରେ ବହୁଳ ଯୋଗଦାନ ଦେଇଆସୁଛି । ସେଲ ସାମଗ୍ରିକ ବିକାଶ ଓ ଯଥାସମ୍ଭବ ଅଧିକରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରିବା ମନ୍ତ୍ରରେ ପ୍ରକୃତ ରୂପେ ଅନୁପ୍ରାଣିତ ।

By amfnews

Related Post