Sun. Mar 8th, 2026

କେନାଲ ପୋଲ ପାଖରେ କାଠ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

203 Views

ଜୟପୁର: ଶନିବାର ସନ୍ଧ୍ୟାରେ ବୋରିଗୁମ୍ମା ଥାନା ଅଧୀନ ଡଙ୍ଗରା-ଦଣ୍ଡସେନା ରାସ୍ତାରେ ଜଣେ କାଠ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି। ନିହତ କାଠ ବ୍ୟବସାୟୀ ହେଉଛନ୍ତି ଡଙ୍ଗରା ଗ୍ରାମନିବାସୀ ୪୫ ବର୍ଷିୟ ମୋଦି ଗୁଣ୍ଠା। ଦଣ୍ଡସେନା ଗାଁରେ ବାହାଘର ଭୋଜି ଖାଇ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗୁଣ୍ଠା ବାଇକ ଚଳାଇ ଡଙ୍ଗରାକୁ ଫେରୁଥିବା ବେଳେ କେନାଲ ପାଖରେ ଅଜ୍ଞାତ ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡୁଛି।

ଗତରାତିରେ ଠିକଣା ସମୟରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ, କିନ୍ତୁ ତାଙ୍କର ସନ୍ଧାନ ମିଳି ନ ଥିଲା। ଶେଷରେ ସେମାନେ ରାତିରେ ଯାଇ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ।

ରିବିବାର ସକାଳୁ ସ୍ଥାନୀୟ ଲୋକମାନେ କେନାଲ ପୋଲ ପାଖରେ ଗୁଣ୍ଠାଙ୍କ ଶବ ପଡ଼ିଥିବାର ଦେଖି ତାଙ୍କ ପରିବାର ଓ ପୁଲିସକୁ ସୂଚନା ଦେଇଥିଲେ। ଏଥିସହ ତାଙ୍କ ଶବକୁ ନେଇ ତୁରନ୍ତ ରାବଣଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି। ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ଶବ ଜୟପୁର ଡାକ୍ତରଖାନାକୁ ନିଆଯିବ।

ଗୁଣ୍ଠା ବିଭିନ୍ନ ଲୋକଙ୍କ ଠାରୁ କାଠ ସଂଗ୍ରହ କରି କାଗଜକଳକୁ ଯୋଗାଇ ଦିଅନ୍ତି। ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ପରିବାର ଲୋକେ ଆଶଙ୍କା କରୁଛନ୍ତି।

By amfnews

Related Post