ଭୁବନେଶ୍ବର, ଜାନୁଆରୀ ୨୧ : ଆହୁରି ୪୮ ଘଣ୍ଟା କଲବଲ କରିବ କୁହୁଡ଼ି। ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ କୁହୁଡ଼ି ହେବ। ସନ୍ଧ୍ୟା ୭ଟାରୁ କୁହୁଡ଼ି ଆରମ୍ଭ ହୋଇ ଧୀରେ ଧୀରେ ତାହା ବୃଦ୍ଧି ପାଇବ। ମଧ୍ୟ ରାତି ବେଳକୁ କୁହୁଡ଼ି ଅସହ୍ୟ ହୋଇପଡ଼ିବ। ରାସ୍ତାରେ ଯିବା କଷ୍ଟକର ହୋଇପଡ଼ିବ। ୨୦୦ ମିଟର ପରେ ଆଉ କିଛି ଦୃଶ୍ୟମାନ ହେବନି।
ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଖୋର୍ଧା, ପୁରୀ, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ ପ୍ରବଳ କୁହୁଡ଼ି ହେବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ରାତି ୯ଟାରୁ ସକାଳ ୧୧ଟା ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ଅଧିକ ପରିଲକ୍ଷିତ ହେବ। ଅନ୍ୟ ଅଞ୍ଚଳ ଅପେକ୍ଷା କଟକ-ଭୁବନେଶ୍ବରରେ ସ୍ଥିତି ଟିକିଏ ଭଲ ରହିବ। ଏହି ଦୁଇ ସହରରେ ରାତି ୧୧ଟା ପର୍ଯ୍ୟନ୍ତ ଅଧିକ ଗାଡ଼ି ଚଳାଚଳ କରୁଥିବାରୁ କୁହୁଡ଼ିର ମାତ୍ରା ଏତେ ରହିବନି। କିନ୍ତୁ ଭୋର ସମୟରେ ଅଧିକ ପ୍ରଭାବ ପଡ଼ିବ। ଜାତୀୟ ରାଜପଥ ୧୬ରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ୨୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପଡ଼ିବ। ୨୪ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ହୋଇପାରେ। କୁହୁଡ଼ି ମାତ୍ରା କମିବା ସହ ରାତିର ତାପମାତ୍ରା ଗୋଟିଏ ଦୁଇ ଡିଗ୍ରି ବଢ଼ିବ।

