Tue. Apr 22nd, 2025

କାହା କବଜାକୁ ଯିବ ପାଟକୁରା ଗଡ଼ ? ଜାଣନ୍ତୁ କ’ଣ କହିଲେ ବିଜେପି ପ୍ରାର୍ଥୀ ବିଜୟ ଓ ତାଙ୍କ ପୂର୍ବତନ ପ୍ରତିନ୍ଦ୍ବନ୍ଦ୍ବୀ ଅତନୁ ସବ୍ୟସାଚୀ

By amfnews Jul 20, 2019 #Featured
207 Views

କେନ୍ଦ୍ରାପଡ଼ା  :  ପାଟକୁରାରେ କାହାର ହେବ ବିଜୟ? ଫଳାଫଳ ଜଣାପଡ଼ିବା ପୂର୍ବରୁ ଚାଲିଲା ରାଜନୀତି । ମୁହାଁମୁହିଁ ହେଲେ କେନ୍ଦ୍ରାପଡ଼ା ରାଜନୀତିର  ଦୁଇ ହେଭିୱେଟ ।  ପାଟକୁରାର ବିଜେପି ପ୍ରାର୍ଥୀ ବିଜୟ ମହପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଅତନୁ କହିଛନ୍ତି କି,  ବିଜୁ ବାବୁଙ୍କ ସ୍ୱାଭିମାନ ବଜାୟ ରଖି ଆସିଛି କେନ୍ଦ୍ରାପଡ଼ା ମାଟି । ଆଉ ବିଜୁ ବାବୁଙ୍କ ଆଦର୍ଶ ବିରୋଧୀ ହେଉଛନ୍ତି ବିଜୟ । ତେଣୁ ବାରମ୍ବାର ଦଳ ପରିବର୍ତ୍ତନ କରିଥିବା ବିଜୟ ବାବୁଙ୍କୁ ପାଟକୁରାବାସୀ ପ୍ରତ୍ୟାଖାନ କରିବେ । ପାଟକୁରାରେ ସାବିତ୍ରୀ ଜିତିବେ ଆଉ ପୁଣି ‘ଶଙ୍ଖ’ ଶୁଭିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଅତନୁ ।

ସେପଟେ  ବିଜୟ ମହାପାତ୍ର କହିଛନ୍ତି କି, ପାଟକୁରା ସମ୍ମାନର ଲଢ଼େଇରେ ପରିବର୍ତ୍ତନ ଚାହୁଁଛନ୍ତି ପାଟକୁରାବାସୀ । ଏହା ପାଟକୁରାର ଗାଁ ଗହଳିରେ ନିର୍ବାଚନ ତାରିଖ ଘୋଷଣା ଆରମ୍ଭରୁ ପରିଲକ୍ଷିତ ହେଉଛି । ବିଜେଡିର ପ୍ରଚୁର ଅର୍ଥବଳ ଏବଂ ମାଳମାଳ ମନ୍ତ୍ରୀ ବିଧାୟକ ପାଟକୁରାରେ ଡେରା ପକାଇବାକୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ତେଣୁ ଯେଉଁ ରାୟକୁ ଅପେକ୍ଷା କରିଛନ୍ତି ତାହା ଏକ ବୃହତ ପରିବର୍ତ୍ତନ ଆଣିବ। ଏପରିକି ବିଜେଡି ୧୯ ବର୍ଷରେ ପାଟକୁରାବାସୀଙ୍କୁ ପ୍ରତାରିତ କରିଥିବାର ଫଳାଫଳ ସାମ୍ନାକୁ ଆସିବ ବୋଲି କହିଛନ୍ତି ବିଜୟ।

ଅନ୍ୟପଟେ ଆସନ୍ତା ୨୪ ତାରିଖରେ ଆସିବାକୁ ଥିବା ଫଳାଫଳ ପୂର୍ବରୁ ଆରୋପ ପ୍ରତ୍ୟାରୋପ ରାଜନୀତି ବିଭିନ୍ନ ମହଲକୁ ଉଷ୍ମ କରିଛି । ଅପରପକ୍ଷେ ପାଟକୁରାବାସୀ ନିଜ ଅଞ୍ଚଳ ପାଇଁ ନେତା ବାଛିବାକୁ ମତଦାନ ସାବ୍ୟସ୍ତ କରୁଛନ୍ତି । ତେବେ କିଏ ପ୍ରକୃତରେ ପାଟକୁରା କିଙ୍ଗ୍ ହେବ ଆଉ କାହା ମୁଣ୍ଡରେ ପାଟକୁରା ତାଜ୍ ଶୋଭା ପାଇବ ତାହାକୁ ନେଇ ଏବେଠୁ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଦଳୀୟ ଶୀର୍ଷ ନେତାଙ୍କ ମଧ୍ୟରେ ଛନକା ପସିଛି ।

By amfnews

Related Post