Sat. Mar 7th, 2026

କାର୍‌ ପଛରେ କୁକୁରକୁ ବାନ୍ଧି ଘୋଷାରି ନେଇଥିବା ବ୍ୟକ୍ତି ଗିରଫ

193 Views

ଜୟପୁର: ରାଜସ୍ଥାନର ଉଦୟପୁର ଜିଲ୍ଲା ଅନ୍ତର୍ଗତ କେଲ୍‌ଓ୍ଵା ଅଞ୍ଚଳରେ ଗୋଟାଏ କୁକୁରକୁ କାର୍‌ ପଛରେ ବାନ୍ଧି କେତେ ମିଟର୍‌ ଘୋଷାରି ନେଇଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ‘ପ୍ରିଭେନ୍‌ସନ୍‌ ଅଫ୍‌ କ୍ରୁଏଲ୍‌ଟି ଟୁ ଆନିମଲ୍‌ ଆକ୍ଟ୍‌’ରେ ଗିରଫ କରାଯାଇଛି।

ପାଞ୍ଚ ଦିନ ତଳେ ସହରର ଶୋବାଗପୁର ଅଞ୍ଚଳରେ ଉତ୍ତୋଳିତ ଏହି ଦୃଶ୍ୟସମ୍ବଳିତ ଭିଡିଓଟି ଭାଇରାଲ୍‌ ହେବା ପରେ ପୁଲିସ ଖବର ପାଇଥିଲା। ଶୁକ୍ରବାର ରାତିରେ ସେହି ଅଞ୍ଚଳରୁ କୁକୁରର ନିର୍ଜୀବ ଶରୀରଟି ମିଳିଥିଲା।

ପୁଲିସ କହିବା ଅନୁସାରେ, ଅଭିଯୁକ୍ତ ବାବୁ ଖାଁ କହିଛନ୍ତି ଯେ ତାଙ୍କ ଗ୍ୟାରେଜ୍‌ ବାହାରେ ସେ ମଲା କୁକୁରଟାଏ ପଡ଼ିଥିବାର ଦେଖିଥିଲେ। କାର୍‌ ପଛରେ ତାକୁ ବାନ୍ଧି ନେଇ ବଣରେ ପୋତିବାକୁ ଯାଉଥିବା ବେଳେ କେହି ଜଣେ ଭିଡିଓ ଉଠାଇ ଦେଇଛି।

କିନ୍ତୁ କେତେକ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଘଟଣା ସମୟରେ କୁକୁରଟି ବଞ୍ଚି ଥିଲା।

ମଙ୍ଗଳବାର ଦିନ କେଲ୍‌ଓ୍ଵା ଥାନା ହାଉସ୍‌ ଅଫିସର୍‌ ଡିପି ଦଦିଚ କହିଛନ୍ତି ଯେ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ କୁକୁରଟି ମାନସିକ ଆଘାତ ଯୋଗୁଁ ମରିଛି। ସେ କହିଛନ୍ତି: କାର୍‌ ପଛରେ କେତେ ମିଟର୍‌ ଘୋଷରା ହୋଇଯିବା ଯୋଗୁଁ ମାନସିକ ଆଘାତ ଓ ସେପ୍ଟିସେମିଆରେ କୁକୁରଟିର ମୃତ୍ୟୁ ହୋଇଥିବା କଥା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରବିବାର ଦିନ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପରେ ସ୍ଥାନୀୟ ଅଦାଲତ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି।

By amfnews

Related Post