Sun. Mar 8th, 2026

କାରଣ ନ ଦର୍ଶାଇ ୨୫ଟି ବିମାନ ଟିକେଟ୍‌ ବାତିଲ କରିଥିବାରୁ ୯୮ ହଜାରରୁ ଊର୍ଧ୍ୱ ଟଙ୍କା ଜରିମାନା ଦେବ ଗୋଏୟାର୍‌

281 Views

ମୁମ୍ବାଇ: ବିନା କାରଣରେ ବିମାନ ଯାତ୍ରା ବାତିଲ କରିଥିବାରୁ ଗୋଏୟାର୍‌ ବିମାନ କମ୍ପାନିକୁ ଖାଉଟି ଅଦାଲତ ଗତ ସପ୍ତାହରେ ମୁମ୍ବାଇର ଜଣେ ଅଭିଯୋଗକାରୀଙ୍କୁ ଅନୁକମ୍ପାମୂଳକ ରାଶି ଭାବେ ୯୮ ହଜାରରୁ ଊର୍ଧ୍ୱ ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇର ଭିଲେ ପାର୍ଲେରେ ରହୁଥିବା ଜୟସ୍‌ ପାଣ୍ଡ୍ୟା ନାମକ ବ୍ୟକ୍ତି ୨୦୧୪ ମସିହା ମେ ମାସରେ ଅହମ୍ମଦାବାଦ୍‌ରୁ ମୁମ୍ବାଇକୁ ଆସିବା ପାଇଁ ୫୦,୦୦୦ ଟଙ୍କା ଖର୍ଚ୍ଚ କରି ୨୫ଟି ବିମାନ ଟିକେଟ୍‌ କରିଥିଲେ।

ଝିଅ ବାହାଘରରେ ଅତିଥିମାନଙ୍କୁ ଯୋଗଦାନ ସକାଶେ ପାଣ୍ଡ୍ୟା ଏକାଥରରେ ଏତେଗୁଡ଼ାଏ ବିମାନ ଟିକେଟ କିଣିଥିଲେ। ୨୦୧୫ ମସିହା ଫେବ୍ରୁଆରି ୧୭ ତାରିଖରେ ଅତିଥିମାନେ ମୁମ୍ବାଇରେ ତାଙ୍କ ବିବାହ ଉତ୍ସବ ସ୍ଥାନରେ ପହଞ୍ଚିବେ ବୋଲି ଯୋଜନା ହୋଇଥିଲା। ଏପରିକି ଅତିଥିମାନଙ୍କ ପହଞ୍ଚିବାକୁ ଦୃଷ୍ଟିରେ ରଖି ସେ ପୂଜା ଆୟୋଜନ ବି କରିଥିଲେ। ମାତ୍ର ଶେଷ ମୂହୂର୍ତ୍ତରେ ସେ ବିମାନ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ଯାତ୍ରା ବାତିଲ କରି ଦିଆଯାଇଛି ବୋଲି ଶୁଣିବାକୁ ମିଳିଥିଲା। ତେବେ, ଏହା ପଛର କୌଣସି କାରଣ ଥିବା ନେଇ ବିମାନ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇନଥିଲେ। ବାଧ୍ୟ ହୋଇ ପାଣ୍ଡ୍ୟା ଅନ୍ୟ ଏକ ଏୟାର୍‌ଲାଇନ୍‌ରେ ୮୮,୮୧୬ ଟଙ୍କା ଖର୍ଚ୍ଚ କରି ଅତିଥିମାନଙ୍କ ପାଇଁ ଟିକେଟ୍‌ କରିଥିଲେ।

ପାଣ୍ଡ୍ୟା ୨୦୧୫ ମସିହା ଫେବ୍ରୁଆରି ମାସରେ ଗୋଏୟାର୍‌ରେ ଏ ସଂପର୍କରେ ଅଭିଯୋଗ ଆଣିବା ପରେ କମ୍ପାନି ପକ୍ଷରୁ ତାଙ୍କୁ ମାତ୍ର ୩ ହଜାର ଟଙ୍କାର କ୍ରେଡିଟ୍‌ ଭାଉଚର୍‌ ଦିଆଯିବା ସହ ଖୁବ୍‌ ଶୀଘ୍ର ତାଙ୍କ ଟଙ୍କା ଫେରସ୍ତ ହେବ ବୋଲି ସୂଚନା ମିଳିଥିଲା। ମାତ୍ର ବିଳମ୍ବ ହେବାରୁ ପାଣ୍ଡ୍ୟା .ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟକୁ  ୨୦୧୫ ଫେବ୍ରୁଆରି ୧୭ ତାରିଖରେ ଆର୍‌ଟିଆଇ ଜରିଆରେ ପ୍ରଶ୍ନ  କରିଥିଲେ। ପରେ ୨୦୧୬ ମସିହା ନଭେମ୍ବର ମାସରେ ଖାଉଟି ଅଦାଲତରେ କ୍ଷତିପୂରଣ ଲାଗି ପିଟିସନ୍ କରିଥିଲେ।

By amfnews

Related Post