Tue. May 13th, 2025

କାଠଯୋଡ଼ି ବ୍ରିଜ୍‌ରୁ ଡେଇଁ ପଡ଼ିଲେ ଯୁବକ

By amfnews Oct 9, 2019 #Featured
119 Views

କଟକ  : ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ନଦୀକୁ ଡେଇଁ ପଡିଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡ଼ି ବ୍ରିଜ୍‌ରେ। ଯୁବକ ଜଣଙ୍କ ସ୍ତ୍ରୀ ଓ ଛୁଆଙ୍କୁ ଧରି ଏକ ବାଇକ୍‌ରେ ଯାଉଥିଲେ। ତେବେ ବାଇକ୍ ଅଟକାଇ ସେ ହଠାତ୍ କାଠଯୋଡ଼ି ବ୍ରିଜ୍‌ରୁ ନଦୀକୁ ଡେଇଁ ପଡ଼ିଥିଲେ। ଖବର ଲେଖାଯିବା ସୁଦ୍ଧା ତାଙ୍କୁ ଠାବ କରାଯାଇପାରିନି।

ସେ କାହିଁକି ଏପରି ଚରମ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ନେଇ ତାଙ୍କ ସ୍ତ୍ରୀ କହିଥିଲେ।

ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଖୋଜାଖୋଜି କରୁଛି। ସେହି ଯୁବକଙ୍କ ସ୍ତ୍ରୀ ଓ ପିଲାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୁଲିସ୍‌।  ହେଲେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ଅନ୍ୟପକ୍ଷରେ ଉଦ୍ଧାର କରିବାକୁ ଆସିଥିବା ଓଡ୍ରାଫ୍‌ ଟିମ୍‌ର ବୋଟ୍ ଅନେକ ସମୟ ଧରି ଷ୍ଟାର୍ଟ ନ ହେବାରୁ ସେଠାରେ ଉପସ୍ଥିତ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।

ଘଟଣାସ୍ଥଳରେ ମୃତକଙ୍କ ଶ୍ୱଶୁର ପହଞ୍ଚିଥିଲେ। ୫ ବର୍ଷ ତଳେ ତାଙ୍କ ଝିଅ ବାହା ହୋଇଥିବା ନେଇ ସେ କହିଥିଲେ। ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ବୋଲି ସେ କହିଥିଲେ। ଝିଅ ହାଇସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଜ୍ୱାଇଁ ଟାଟା କମ୍ପାନୀରେ କାମ କରୁଥିଲେ ବୋଲି ସେ କହିଛନ୍ତି। ତେବେ ସେ କି କାମ କରୁଥିଲେ, ତାହା ସେ ଜାଣି ନାହାନ୍ତି ବୋଲି କହିଥିଲେ।

By amfnews

Related Post