Sat. Mar 7th, 2026

କାଜୁ ଜଙ୍ଗଲରେ ମହିଳାଙ୍କୁ ହତ୍ୟା

249 Views

ଖଲ୍ଲିକୋଟ/ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତାଳପଡ଼ା ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଆଜି ଜଣେ ବିବାହିତାଙ୍କ କ୍ଷତବିକ୍ଷତ ଶବ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ମହିଳା ଜଣକ ହେଉଛନ୍ତି, ଗୋଳନ୍ଥରା ଥାନା ଗୋବିନ୍ଦନଗର ଗ୍ରାମର ଲକ୍ଷ୍ମୀ ସାହୁ (୩୫)। ଗତକାଲି ଲକ୍ଷ୍ମୀ ବ୍ରହ୍ମପୁରସ୍ଥିତ ମୁଥୁଟ୍ ଫାଇନାନସ କଂପାନିର କାର୍ଯ୍ୟାଳୟକୁ ଯାଉଛି ବୋଲି କହି ଘରୁ ବାହାରି ଆଉ ଫେରି ନଥିଲେ। ଆଜି ସକାଳ ୧୦ଟାରେ ତାଙ୍କର ଶବ ଉକ୍ତ କାଜୁ ଜଙ୍ଗଲରୁ ମିଳିଥିଲା। ଛତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାଶ, ଖଲ୍ଲିକୋଟ ଥାନା ଅଧିକାରୀ ସୁନିଲ କୁମାର ବେହେରା ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ଲକ୍ଷ୍ମୀଙ୍କ ପେଟ ସମେତ ଶରୀରର ୧୧ଟି ସ୍ଥାନକୁ ଛୁରୀ କିମ୍ବା ଅନ୍ୟ ଧାରୁଆ ଅସ୍ତ୍ରରେ ଆଘାତ ଦିଆଯାଇଥିବା ଦେଖିବାକୁ ମିଳିଥିବା ବେଳେ ଶବକୁ ବ୍ରହ୍ମପୁର ବଡ଼ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏନେଇ ଖଲ୍ଲିକୋଟ ଥାନାରେ କେସ ନମ୍ବର ୧୧୩ ଅନୁସାରେ ହତ୍ୟା ମାମଲା ରୁଜୁ ପରେ ତଦନ୍ତ ଜାରି ରହିଛି।

By amfnews

Related Post