Thu. Jan 16th, 2025

କଳାକାର ଏକତା ମଂଚର ବାର୍ଷିକ ଉତ୍ସବ: ଅନୁରୋଧକ୍ରମେ ମଂଚସ୍ଥ ହେବ ନାଟକ ଅବସର ପରେ’

By amfnews Sep 24, 2018 #Featured
145 Views

ରାଉରକେଲା, ୨୪ା୯  : ଆସନ୍ତା କାଲି ସଂଧ୍ୟାରେ ସ୍ଥାନୀୟ ସିଭିକ ସେଂଟର ଠାରେ ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ‘କଳାକାର ଏକତା ମଂଚ’ ର ବାର୍ଷିକ ଉତ୍ସବ ପାଳିତ ହେବ । ଏହି ଅବସରରେ ଓଡିଶାର କଳା ସଂସ୍କୃତି ସଂବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଉକ୍ତ ଆଲୋଚନା ଚକ୍ରରେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଉଥିଲା ବେଳେ ପୁଣ୍ୟଉତ୍କଳ ଅନୁଷ୍ଠାନର ଅଧ୍ୟକ୍ଷ ମନୋରଂଜନ ମହାପାତ୍ର ମୁଖ୍ୟବକ୍ତାଭାବେ ଯୋଗ ଦେବେ ।

ସେହିପରି ଲାଠିକଟା ପଂଚାୟତ ସମିତି ଅଧ୍ୟକ୍ଷା ରଂଜିତା ଖାଲଖୋ, ରାଉରକେଲାର ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଓ ରିମ୍ସ, ରାଉରକେଲାର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ସମ୍ମାନୀତ ଅତିଥି ଏବଂ ସିନେଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ, ବ୍ରଜ ସିଂ ଓ ରବିନାରାୟଣ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେବେ । ଏହି ଆଲୋଚନା ଚକ୍ରରେ ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ତଥା ରଘୁନାଥପାଲ୍ଲୀର ବିଧାୟକ ସଭାପତିତ୍ୱ କରିବେ ଏବଂ ଉତ୍ସବ ପାଳନ ଅବସରରେ ଏକ ସ୍ମରଣୀକା ଉନ୍ମଚନ ହେବ । ସେହିପରି କଳା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କିଛି କଳାକାରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯିବ ବୋଲି ଏହାର ସାଧାରଣ ସଂପାଦକ ପ୍ରଶାନ୍ତ ଷଡଙ୍ଗୀଙ୍କ ସୂତ୍ରରୁ ଜଣାପଡିଛି ।

ଆଲୋଚନା ପରେ ପରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ସୁପ୍ରସିଦ୍ଧ ନାଟକ ‘ଅବସର ପରେ’ ମଂଚସ୍ଥ କରାଯିବ । ପ୍ରକାଶଯୋଗ୍ୟ ଯେ ଏହି ନାଟକଟି ଅନୁଷ୍ଠାର ବରିଷ୍ଠ ସଦସ୍ୟ ରାମ ପ୍ରସାଦ ମହାନ୍ତିଙ୍କ ଦ୍ୱାରା ଲିଖିତ ହୋଇଥିଲାବେଳେ ଅନୁଷ୍ଠାନର ସାଧାରଣ ସଂପାଦକ ପ୍ରଶାନ୍ତ ଷଡଙ୍ଗୀ ନିର୍ଦ୍ଦେଶନା ଦେଇଛନ୍ତି ।

ଏହି ନାଟକଟି ଅତିତରେ ପୁରୀ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ନାଟକ ପ୍ରତିଯୋଗିତାରେ ବହୁ ପୁରସ୍କାରର ଅଧିକାରୀ ହୋଇଥିଲାବେଳେ ବିଗତ ଦିନରେ ସ୍ୱସ୍ତି ନାଟକ ଉତ୍ସବରେ ସିଭିକ ସେଂଟରଠାରେ ପ୍ରଦର୍ଶୀତ ହୋଇ ବେଶ ଲୋକାଦୃତ ହୋଇଥିଲା । ଏବେ ରାଉରକେଲାର ବହୁ କଳାପ୍ରେମୀଙ୍କ ଅନୁରୋଧ କ୍ରମେ ପୁଣି ଆସନ୍ତା କାଲି ବାର୍ଷିକ ଉତ୍ସବ ଅବସରରେ ମଂଚସ୍ଥ କରାଯିବ ବୋଲି ଶ୍ରୀ ଷଡଙ୍ଗୀଙ୍କ ଠାରୁ ପ୍ରକାଶ ।

By amfnews

Related Post