Sat. Mar 7th, 2026

କଳା ଛତା ଧରି ୮ ଜିଲ୍ଲା ଯୋଜନା କମିଟି ସଦସ୍ୟଙ୍କ ଧାରଣା:ବୈଠକ ନୋହିଲା, ସର୍କିଟ ହାଉସରୁ ଫେରିଲେ କମିଟି ଅଧ୍ୟକ୍ଷ

300 Views

ସୋନପୁର, ଜାନୁଆରୀ ୨୩ : ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲା ଯୋଜନା କମିଟି ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାର ଥିଲା। ଗଣଣିକ୍ଷା ମନ୍ତ୍ରୀ ତଥା ସୁବର୍ଣ୍ଣପୁର ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ବଦ୍ରିନାରାୟଣ ପାତ୍ର ସୁବର୍ଣ୍ଣପୁରରେ ପହଞ୍ଚି ସର୍କିଟ ହାଉସରେ ଥିଲେ। ତେବେ ଜିଲ୍ଳା ଯୋଜନା କମିଟି ବୈଠକ ଆରମ୍ଭ ହେବା ପୂର୍ବରୁ ୧୩ ଜଣ ଜିଲ୍ଲା ଯୋଜନା କମିଟି ସଦସ୍ୟ, ସଦସ୍ୟାଙ୍କ ମଧ୍ୟରୁ ୮ ଜଣ ଏହି ବୈଠକକୁ ବିରୋଧ କରି ଡିଆରଡିଏ ସମ୍ମିଳନୀ କକ୍ଷ ସମ୍ମୁଖରେ କଳା ଛତା ଧରି ଧାରଣାରେ ବସିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାଇ ଗତ ମଇ ୯ ତାରିଖରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ଅର୍ଦ୍ଧାଧିକ ସସସ୍ୟଙ୍କ ସମର୍ଥନ ନଥାଇ ବେଆଇନ ଭାବରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାରିତ କରି ଦିଆଯାଇଥିଲା।

ଏହାକୁ ବିରୋଧ କରି ୮ ଜଣ ସଦସ୍ୟ ଉଚ୍ଚ ନ୍ୟାୟାଳୟରେ ରିଟ ପିଟିସନ ଦାଖଲ କରିଛନ୍ତି ଏବଂ ଏହାର ଜବାବ ଦାଖଲ ମଧ୍ୟ ଜିଲ୍ଳାପାଳ ଉଚ୍ଚ ନ୍ୟାୟାଳୟରେ କରିଛନ୍ତି। ଏହି ମାମଲା ବର୍ତ୍ତମାନ ଉଚ୍ଚ ନ୍ୟ‌ାୟାଳୟରେ ବିଚାରାଧୀନ ଅଛି ଏଣୁ ଏହି ମାମଲା ନ ସରିବା ପର୍ଯ୍ୟନ୍ତ କୌଣସି ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହେବାକୁ ଦେବୁ ନାହିଁ ବୋଲି ପ୍ରତିବାଦ କରି ୮ ଜଣ ସଦସ୍ୟ, ସଦସ୍ୟା ଧାରଣାରେ ବସିଥିଲେ। ଧାରଣାସ୍ଥଳକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏବଂ ପିଡି ଡିଆରଡିଏ ସୂର୍ଯ୍ୟନାରାୟଣ ଦାଶ ଆସି ସଦସ୍ୟ, ସଦସ୍ୟାଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ତାଙ୍କ ଜିଦରେ ଅଟଳ ରହିବାରୁ ଜିଲ୍ଲା ଯୋଜନା କମିଟି ବୈଠକ ଆଜି ବାତିଲ ହୋଇଥିଲା। ଜିଲ୍ଳା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଳା ଯୋଜନା କମିଟି ସଦସ୍ୟା ଉଷା କୁମାରୀ, ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ତଥ‌ା ଜିଲ୍ଳା ଯୋଜନା କମିଟି ସଦସ୍ୟ ରୁଦ୍ରକିଶୋର ମହଲାଙ୍କ ସମେତ ଗାୟତ୍ରୀ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ବିଶି, ଜୟନାରାୟଣ ନେଗୀ, ସଂଯୁକ୍ତା ଭୋଇ, ସୌଦାମିନି ଜାଲ, ସୁଶାନ୍ତ ପଣ୍ଡା ପ୍ରମୁଖ ସଦସ୍ୟ, ସଦସ୍ୟା ଧାରଣାରେ ବସିଥିଲେ। ଜିଲ୍ଳା ଯୋଜନା କମିଟି ବୈଠକ ହେଇନପାରିବାରୁ ଗଣଶିକ୍ଷା‌ ମନ୍ତ୍ରୀ ତଥା ସୁବର୍ଣ୍ଣପୁର ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ବଦ୍ରିନାରାୟଣ ପାତ୍ର ସର୍କିଟ ହାଉସରୁ ଫେରି ଯାଇଥିଲେ।

By amfnews

Related Post