Sat. Mar 7th, 2026

କର୍‌ତାର୍‌ପୁର କରିଡର୍‌ ଜେନେରାଲ୍‌ ବାଜଓ୍ଵାଙ୍କ ସୃଷ୍ଟି, ଏକଥା ଭାରତକୁ ଚିରଦିନ ଆଘାତ ଦେଉଥିବ: ପାକିସ୍ତାନୀ ମନ୍ତ୍ରୀ

233 Views

ଲାହୋର: ଐତିହାସିକ କର୍‌ତାର୍‌ପୁର କରିଡର୍‌ ଫିଟାଇବା ବୁଦ୍ଧି ହେଉଛି ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ୍‌ କମର ଜାେଓ୍ଵଦ୍‌ ବାଜଓ୍ଵାଙ୍କର ଏବଂ ଏକଥା ଭାରତକୁ ଚିରଦିନ ବ୍ୟଥିତ କରିବ ବୋଲି ଶନିବାର ଦିନ ଜଣେ ଶୀର୍ଷସ୍ତରୀୟ ପାକିସ୍ତାନୀ ମନ୍ତ୍ରୀ ଦାବି କରିଛନ୍ତି।

ଶିଖ୍‌ବାଦର ସଂସ୍ଥାପକ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ପରିପ୍ରେକ୍ଷୀରେ ନଭେମ୍ବର ୯ ତାରିଖ ଦିନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କର୍‌ତାର୍‌ପୁର କରିଡର୍‌କୁ ଉନ୍ମୋଚନ କରି ସମବେତ ୧୨୦୦୦ ଭକ୍ତଙ୍କୁ କହିଥିଲେ: ଏ ସ୍ଥାନର ଏଡ଼େ ମହିମା ଥିବା କଥା ମୁଁ ଜାଣି ନ ଥିଲି। ବର୍ଷେ ତଳେ ଜାଣିଲି। ଆପଣମାନଙ୍କ ପାଇଁ ଏ ସବୁ କରିପାରିଥିବାରୁ ମୁଁ ଆନନ୍ଦିତ।

ପାକିସ୍ତାନର ତେହରୀକ୍‌-ଏ-ଇନ୍‌ସାଫ୍‌ ସରକାର ଏହାକୁ ପ୍ରଧାନମନ୍ତ୍ରୀ ଖାଁଙ୍କ ଉପକ୍ରମ କହୁଥିବା ବେଳେ ପାକିସ୍ତାନର ରେଳବାଇ ମନ୍ତ୍ରୀ ଶେଖ୍‌ ରଶିଦ୍‌ ଶନିବାର ଦିନ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କରିଡର୍‌ ଫିଟାଇବା ବୁଦ୍ଧି ହେଉଛି ସେନା ମୁଖ୍ୟ ଜେନେରାଲ୍‌ ବାଜଓ୍ଵାଙ୍କର ଏବଂ ଏକଥା ଭାରତକୁ ଚିରକାଳ ବ୍ୟଥା ଦେଉଥିବ।

ସେ କହିଛନ୍ତି: କର୍‌ତାର୍‌ପୁର କରିଡର୍‌ ଫିଟାଇ ଜେନେରାଲ୍‌ ବାଜ୍‌ଓ୍ଵା ଯେଉଁ କ୍ଷତ ସୃଷ୍ଟି କରିଛନ୍ତି ଭାରତ ତାହାକୁ ଚିରକାଳ ମନେରଖିବ। କରିଡର୍‌ ଫିଟାଇ ଜେନେରାଲ୍‌ ବାଜ୍‌ଓ୍ଵା ଭାରତକୁ ଶକ୍ତ ଆଘାତ ଦେଇଛନ୍ତି। ଏଇ ପ୍ରକଳ୍ପ ଜରିଆରେ ପାକିସ୍ତାନ ଶାନ୍ତିର ଗୋଟାଏ ନୂତନ ବାତବରଣ ସୃଷ୍ଟି କରିଛି ଏବଂ ଶିଖ୍‌ ସମ୍ପ୍ରଦାୟଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଛି। କିନ୍ତୁ, ଭାରତୀୟ ଗଣମାଧ୍ୟମ ଜେନେରାଲ୍‌ ବାଜ୍‌ଓ୍ଵାଙ୍କ ଚାକିରିକାଳ ସମ୍ପ୍ରସାରିତ ସଂକ୍ରାନ୍ତରେ ଅସମ୍ମାନଜନକ ଖବର ପରିବେଷଣ କରିଛି।

ଇମ୍ରାନ୍‌ ଖାଁ ସରକାରଙ୍କର ଆଉ ତିନି ବର୍ଷ ଅଛି ଏବଂ ବାଜ୍‌ଓ୍ଵାଙ୍କ ଚାକିରିକାଳ ତିନି ବର୍ଷ ବଢ଼ିଛି, ଛଅ ମାସ ନୁହେଁ। ତେଣୁ ଆମ ସରକାର ନିଜର କାର୍ଯ୍ୟକାଳ ପୂରଣ କରିବ।

ବିବାଦୀୟ ନ ହେବାକୁ ଜେନେରାଲ୍‌ ବାଜ୍‌ଓ୍ଵା କର୍‌ତାର୍‌ପୁର କରିଡର୍‌ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ନ ଥିଲେ ବୋଲି କୁହାଯାଉଛି।

By amfnews

Related Post