Mon. Nov 25th, 2024

‘କରୋନା’ ସଂକ୍ରମିତଙ୍କ ସଂଖ୍ୟା ୪୨କୁ ବୃଦ୍ଧି, ହେବ ୪୨୦୦ ସ୍ୱତନ୍ତ୍ର ବେଡ୍‌

By amfnews Apr 7, 2020 #Featured
105 Views

ଭୁବନେଶ୍ୱର : ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଥିବାବେଳେ ଏଥିରୁ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ୨ଜଣ ସୁସ୍ଥ ହୋଇ ଫେରିବା ପରେ ଏବେ ୩୯ଜଣ ସଂକ୍ରମିତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି।

ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆଜି ଦିନ ୧୨ଟା ସୁଦ୍ଧା ମୋଟ ୨୨୧୨ଟି ନମୂନା ପରୀକ୍ଷା ରିପୋର୍ଟ ମିଳିଛି। ଏଥିରୁ ପଜିଟିଭ୍ ବ୍ୟକ୍ତିଙ୍କ ସଂଖ୍ୟା ୪୨ ଥିବାବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମ୍ସରେ ୨ଦିନ ଧରି ଚିକିତ୍ସିତ ହେଉଥିବା ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୯ଥିବାବେଳେ ବିଭିନ୍ନ ହସ୍ପିଟାଲରେ ଏବେ ମୋଟ ୮୬ଜଣ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଚାଲିଛି। ଏବେ ରାଜ୍ୟର ୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ ହୋଇଥିବାବେଳେ ଏହାର ବେଡ୍ ସଂଖ୍ୟା ୧୪୯୭ ରହିଛି। ତେବେ ଖୁବଶୀଘ୍ର ରାଜ୍ୟରେ ୨୭ଟି କୋଭିଡ୍ ହସ୍ପିଟାଲ ଓ ଆଇସୋଲେସନ୍ ସୁବିଧା ଥିବା ୪୨୦୦ ବେଡ୍ କରୋନା ସଂକ୍ରମିତଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରାନ୍ତ କାର୍ଯ୍ୟର ତଦାରଖ ପାଇଁ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶ ବଳରେ ଅଧିକ ୬ଜଣ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି।

By amfnews

Related Post