Sat. Mar 7th, 2026

କରୋନା: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୮, ୧୯ ଜଣଙ୍କ ମୃତ୍ୟୁ

218 Views

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଦେଖିବାକୁ ମିଳିଛି। ଗୋଟିଏ ଦିନରେ ୧୯୪ ଜଣଙ୍କଠାରେ କରୋନା ପଜିଟିଭ୍‌ ରହିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ଘଟି ସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ତଥ୍ୟ ଅନୁଯାୟୀ ୬୭ ରୋଗୀ ଠିକ୍‌ ହୋଇସାରିଲେଣି। ତେଲେଙ୍ଗାନାରେ ଆଜି ପ୍ରଥମ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ରାଜ୍ୟରେ ଆଜିର ୬ ଜଣଙ୍କୁ ମିଶାଇ ମୋଟ ୬୫ ଜଣଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇସାରିଛି।କେବଳ ମହାରାଷ୍ଟ୍ରରେ ଆଜି ୨୮ ଜଣଙ୍କଠାରେ କରୋନା ଚିହ୍ନଟ କରାଯିବା ପରେ ଏହି ସଂଖ୍ୟା ୧୮୧କୁ ବୃଦ୍ଧି ଘଟିଛି।

ଜମ୍ମୁ-କଶ୍ମୀରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ଏଥିରୁ ୨୧ କଶ୍ମୀର ଡିଭିଜନ୍‌ର ଏବଂ ୪ଟି ଜମ୍ମୁ ଡିଭିଜନ୍‌ର। ମଧ୍ୟପ୍ରଦେଶରେ ଜଣେ ସେନା ଅଧିକାରୀଙ୍କ ସମେତ ୩୪ ଜଣଙ୍କଠାରେ କରୋନା ଚିହ୍ନଟ କରାଯାଇସାରିଛି। ଗୁଜରାଟରେ ଏହି ସଂଖ୍ୟା ୪୩ ରହିଛି। ଦିଲ୍ଲୀ ଓ ହରିଆଣାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୧୯ ଏବଂ ୧୬ ଜଣ ରହିଛି। ଆନ୍ଧ୍ରପ୍ରଦେଶରେ ୧୨ ଜଣଙ୍କୁ ଆକ୍ରାନ୍ତ ଭାବେ ଚିହ୍ନଟ କରାଯାଇଛି।

ବିଭିନ୍ନ ରାଜ୍ୟରୁ ଯାଇ ବାହାରେ କାମ କରୁଥିବା ଶ୍ରମିକଙ୍କ ସ୍ଥିତି ଚିନ୍ତାଜନକ ଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୨୯ ହଜାର କୋଟି ଟଙ୍କାର ଖର୍ଚ୍ଚରେ ଏମାନଙ୍କ ରହିବା, ଖାଇବା ଏବଂ ଅନ୍ୟ ସୁବିଧା କରାଯାଇ ପାରିବ ବୋଲି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ସତ୍ତ୍ୱେ ଦିଲ୍ଲୀର ଆନନ୍ଦ ବିହାରରେ ଥିବା ବସ୍‌ ଟର୍ମିନାଲରେ ବହୁ ସଂଖ୍ରାରେ ଶ୍ରମିକ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ଥିତି ସମୀକ୍ଷା ପାଇଁ ଉଚ୍ଚ ସ୍ତରୀୟ ବୈଠକ ଡକାଇଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସିଏମ୍‌ଡିମାନଙ୍କ ସହ ଜଣ ଜଣ କରି କଥା ହୋଇଛନ୍ତି। ଶାଖାଗୁଡ଼ିକରେ, ଏଟିଏମ୍‌ରେ ଏବଂ ଅନ୍ୟ କ୍ଷେତ୍ରରେ ନଗଦ ଟଙ୍କା ଯଥେଷ୍ଟ ଉପଲବ୍ଧ କରାଇବା ପାଇଁ ସେ କଥା ହୋଇଛନ୍ତି। ଏହା ପୂର୍ବରୁ ଅର୍ଥମନ୍ତ୍ରୀ ଏମ୍‌ପିଲାଡ୍‌ ଫଣ୍ଡରୁ ୧ କୋଟି ଟଙ୍କା କରୋନା ମୁକାବିଲା ପାଇଁ ଦେଇଥିଲେ।

କେବଳ କରୋନା ସମ୍ପର୍କିତ ଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ପିଏମ୍‌ କେୟାର୍‌ସ ଫଣ୍ଡ’ ବାବଦରେ ଘୋଷଣା କରିଛନ୍ତି। ଏହା ପରେ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଟଙ୍କା ଏହି ଫଣ୍ଡକୁ ଦାନ କରିଛନ୍ତି। ସେହିଭଳି ଟାଟା ଟ୍ରଷ୍ଟ କରୋନା ଲଢ଼େଇରେ ୫୦୦ କୋଟି ଦେବ ବୋଲି ଏହା ମୁଖ୍ୟ ରତନ ଟାଟା ଆଜି ଘୋଷଣା କରିଥିଲେ। ସେ କେଉଁ ସବୁ ବାବଦକୁ ଖର୍ଚ୍ଚ ହେବ ସେ ବିଷୟରେ ମଧ୍ୟ କହିଥିଲେ। ଅନ୍ୟପକ୍ଷରେ ଟାଟା ସନ୍ସ ମଧ୍ୟ ଅତିରିକ୍ତ ଭାବେ ୧୦୦୦ କୋଟି ଦେବାକୁ ଘୋଷଣା କରିଛି।

ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗରେ କେବଳ କେରଳରେ ଆଜି ୧୫୮ ଜଣଙ୍କୁ ଗିରଫ କରାଯାଇ ସାରିଛି। ଅନ୍ୟପକ୍ଷରେ ୭୯୨ଟି ଗାଡ଼ି ଜବତ କରାଯାଇଛି। ୫ ଦିନର ଲକ୍‌ଡାଉନ୍‌ରେ କେରଳରେ ୮୩୧୧ ମାମଲା ରୁଜୁ ହୋଇ ସାରିଛି।

By amfnews

Related Post