ଭୁବନେଶ୍ୱର : କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱବାସୀ ଏବେ ଆତଙ୍କିତ ଅଛନ୍ତି। ଏହି ଭୂତାଣୁ ସଂକ୍ରମଣରେ ଚୀନ୍ରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି । ଏବେ ଏହା ବିଶ୍ୱର ୧୫ଟି ଦେଶକୁ ବ୍ୟାପିଥିବା ବେଳେ ୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଲେଣି। ଏହାକୁ ନେଇ କିପରି ସତର୍କତା ଅବଲମ୍ବନ କରାଯିବ ସେ ନେଇ ଭାରତ ସରକାରଙ୍କ ସମେତ ରାଜ୍ୟ ସରକାରମାନେ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି ।
ଏହି ଭୂତାଣୁଜନିତ ରୋଗର ମୁକାବିଲା ନିମନ୍ତେ ରାଜ୍ୟର ବଡ଼ ମେଡିକାଲ୍ଗୁଡ଼ିକରେ ଖୋଲିଛି ସ୍ୱତନ୍ତ୍ର ଓ୍ୱାର୍ଡ। ଏହାସହ ଏୟାରପୋର୍ଟ, ଷ୍ଟେସନ ଓ ପୋର୍ଟରେ ଯାତ୍ରୀଙ୍କ ଉପରେ ସତର୍କ ନଜର ରଖିବାକୁ ଜାରି ହୋଇଛି ଆଡଭାଇଜରି । ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ବିମାନବନ୍ଦରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଝାରସୁଗୁଡ଼ା ହସ୍ପିଟାଲ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ବିଭାଗକୁ ମଧ୍ୟ ଏନେଇ ନିର୍ଦ୍ଦେଶ ରହିଛି । ଏପଟେ କରୋନା ଭାଇରସକୁ ନେଇ ସାଧାରଣ ଲୋକେ ଏକପ୍ରକାର ଭୟଭୀତ ହୋଇପଡିଛନ୍ତି ।