Mon. Nov 25th, 2024

କରୋନା ମୁକାବିଲା ପାଇଁ ଭାରତକୁ ୭୬ ହଜାର କୋଟି ଦେଲା ବିଶ୍ୱବ୍ୟାଙ୍କ

By amfnews Apr 3, 2020 #Featured
84 Views

ନୂଆଦିଲ୍ଲୀ: କରୋନା ଭଳି ମହାମାରୀର ମୁକାବିଲା କରିବା ପାଇଁ ବିଶ୍ୱବ୍ୟାଙ୍କ ଭାରତକୁ ଜରୁରୀକାଳୀନ ଭିତ୍ତିରେ ୧ ବିଲିଅନ ଡଲାର (୭୬ ହଜାର କୋଟି) ଟଙ୍କା ଦେଇଛି। ପ୍ରାଥମିକ ଭାବରେ ବିଶ୍ୱ ବ୍ୟାଙ୍କ ୨୫ଟି ଦେଶକୁ ୧.୯ ବିଲିଅନ ଡଲାର (୧,୪୪,୨୫,୭୫,୦୦,୦୦୦ ଟଙ୍କା) ଦେଇଛି। ଯେଉଁଥିରୁ ଭାରତକୁ ୫୦ ପ୍ରତିଶତରୁ ଅଧିକ ଟଙ୍କା ଦେଇଛି ବିଶ୍ୱବ୍ୟାଙ୍କ।

ଏହି ଟଙ୍କାରେ ଭାରତ କରୋନା ପାଇଁ ସ୍କ୍ରନିଂ ବ୍ୟବସ୍ଥା, ପରୀକ୍ଷାଗାର, ଚିକିତ୍ସା ଉପକରଣ, ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ସୁରକ୍ଷା ଉପକରଣ କିଣିବା ସହିତ ଆଇସୋଲେସନ ଓ୍ୱାର୍ଡ ତିଆରି ହେବ। ଗୁରୁବାର ଦିନ ବୋର୍ଡ ମିଟିଂ ପରେ ଏଭଳି ମତ ରଖାଯାଇଛି ବିଶ୍ୱ ବ୍ୟାଙ୍କ ତରଫରୁ।

ସେହିପରି ବିଶ୍ୱବ୍ୟାଙ୍କ ଦକ୍ଷିଣ ଏସିଆରେ ଥିବା ପାକିସ୍ତାନକୁ ୨୦୦ ମିଲିଅନ ଡଲାର (୧୫,୧୮,୮୫,୦୦,୦୦୦ ଟଙ୍କା), ଆଫଗାନିସ୍ତାନକୁ ୧୦୦ ମିଲିଅନ ଡଲାର (୭,୫୮,୧୭,୫୦,୦୦୦ ଟଙ୍କା), ମାଳଦ୍ୱୀପକୁ ୭.୩ ମିଲିଅନ ଡଲାର (୫୫,୩୪,୬୭,୭୫୦ ଟଙ୍କା), ଶ୍ରୀଲଙ୍କାକୁ ୧୨୮.୬ ମିଲିଅନ ଡଲାର (୯,୭୫,୦୧,୩୦,୫୦୦ ଟଙ୍କା) ଆର୍ଥିକ ସହାୟତା କରିଛି। ଆଗାମୀ ୧୫ ମାସ ଭିତରେ ମହାମାରୀ କରୋନାର ମୁକାବିଲା କରିବା ପାଇଁ ବିଶ୍ୱବ୍ୟାଙ୍କ ୧୬୦ ବିଲିଅନ ଡଲାର (୧,୨୧,୩୦,୮୦,୦୦,୦୦ ଟଙ୍କା) ଅନୁମୋଦନ ଦେଇଛି। ଯାହାକି ଅର୍ଥନୀତିକ କ୍ଷତିରେ ସୁଧାର ଆଣିବା ସହିତ ସ୍ୱାସ୍ଥ୍ୟାବସ୍ଥାର ସୁଧାର କରିବ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଛି। ଏହି ଜରୁରୀ କାଳୀନ ଟଙ୍କା ଜରିଆରେ କ୍ଷୁଦ୍ର ଶିଳ୍ପ, ଗରିବ ଲୋକଙ୍କୁ ଆର୍ଥିକ ସହଯୋଗ କରାଯିବ ବୋଲି ଜଣାପଡ଼ିଛି।

ମହାମାରୀ କରୋନାର ମୁକାବିଲା କରିବା ପାଇଁ ବିଶ୍ୱବ୍ୟାଙ୍କ ସମସ୍ତ ଦିଗ ଉପରେ ସମୀକ୍ଷା କରୁଛି। ୬୫ଟି ଦେଶକୁ ଏବେ ଫୋକସରେ ରଖାଯାଇଛି। ପ୍ରଥମେ କରୋନାର ମୁକାବିଲା ତା’ପରେ ଆର୍ଥିକ ସୁଧାର ବାବଦରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ବିଶ୍ୱ ବ୍ୟାଙ୍କ ଗ୍ରୁପର ସଭାପତି ଡାଭିଡ ମଲପାସ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨ଟି ଦେଶକୁ ଏବେ ଏହି ମହାମାରୀ ବ୍ୟାପିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪୩ ରହିଛି। ୭୨ ଜଣଙ୍କର ମୃତ୍ୟୁ ଘଟିଛି। ୧୯୧ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୨,୨୮୦ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ବିଶ୍ୱରେ ମୋଟ୍ ୧,୦୧୫,୭୨୮ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୩, ୨୦୨ ଟପିଛି। ସୁସ୍ଥ ହୋଇ ଫେରିଛନ୍ତି ୨୧୨,୯୯୧। ଏବେ ୭୪୯,୫୩୫ ଆକ୍ରାନ୍ତ ରହିଛନ୍ତି।

By amfnews

Related Post