Sun. Nov 24th, 2024

କରୁଣାନିଧିଙ୍କ ପରଲୋକ

By amfnews Aug 8, 2018 #Featured
129 Views

ଚେନ୍ନାଇ: ତାମିଲ ରାଜନୀତିରେ ଏକ ଯୁଗର ଅବସାନ ଘଟିଛି। ପରଲୋକରେ ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁର ୫ଥରର ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧି। ଚେନ୍ନାଇର କାବେରୀ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ନିଧନ ହୋଇଛି। ସଂଧ୍ୟା ୬ଟା ୧୦ରେ ପରଲୋକ ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁବେଳକୁ କରୁଣାନିଧିଙ୍କୁ ୯୪ ବର୍ଷ ହୋଇଥିଲା।

କରୁଣାନିଧିଙ୍କ ପରଲୋକ ସମ୍ପର୍କିତ ଖବର ପ୍ରଚାର ହେବା ମାତ୍ରେ କାବେରୀ ହସ୍ପିଟାଲ ଆଗରେ ପ୍ରଶଂସକ ଓ ସମର୍ଥକଙ୍କ ଭିଡ଼ ଜମିଯାଇଛି ଏବଂ ଶୋକର ଛାୟା ଖେଳି ଯାଇଛି। କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଜୁଲାଇ ୨୮ରୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମିତିକି ତାଙ୍କୁ ଭେଟିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ ଯାଇଥିଲେ।

ତେବେ ଦୁଇ ଦିନ ହେଲା କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯାଇଥିଲା। ତାଙ୍କ ଶରୀରର ପ୍ରମୁଖ ଅଙ୍ଗପ୍ରତ୍ୟଙ୍ଗ କାମ କରୁନଥିବା ମେଡିକାଲ ପକ୍ଷରୁ ଜାରି ହେଲ୍‌ଥ ବୁଲେଟିନ୍‌ରେ ଦର୍ଶାଯାଇଥିଲା। କରୁଣାନିଧିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ତାମିଲ ରାଜନୀତିର ଜଣେ ତୁଙ୍ଗ ନେତା ଭାବେ ପରିଚିତ ଏମ. କରୁଣାନିଧି  ପ୍ରାୟ ୫୦ବର୍ଷରୁ ଅଧିକ ସମୟ ଧରି ଡିଏମକେ ଦଳର ସଭାପତି ଭାବେ କାର୍ଯ୍ୟ କରିଥିଲେ। ୧୯୬୯ରେ ଦଳର ଦାୟିତ୍ୱ ନେବା ପରଠାରୁ ଆଉ ସେ ପଛକୁ ଚାହିଁ ନାହାନ୍ତି। ମାତ୍ର ୩୩ବର୍ଷ ବୟସରେ କରୁଣାନିଧି ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୧ରେ ଡିଏମକେର କୋଷାଧ୍ୟକ୍ଷ ଦାୟିତ୍ୱ ନେଇଥିଲେ। ୧୯୬୭ରେ ପ୍ରଥମ ଥର ପାଇଁ ତାଙ୍କୁ ମନ୍ତ୍ରୀପଦ ମିଳିଥିଲା। ସେ ପୂର୍ତ୍ତ ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ।

ଆନ୍ନାଦୁରାଇଙ୍କ ମୃତ୍ୟୁପରେ ୧୯୬୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ କରୁଣାନିଧି। ଅଶୀ ଦଶକରେ ମଧ୍ୟ କିଛି ସମୟ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ ସେ। ଏହାପରେ ୧୯୯୬ ଓ ୨୦୦୬ରେ ମୁଖ୍ୟମନ୍ତ୍ରୀ ଭାବେ ତାମିଲନାଡୁର ଶାସନ ଭାର ସମ୍ଭାଳିଥିଲେ। ୯୪ବର୍ଷ ବୟସରେ ବି କରୁଣାନିଧି ତାମିଲନାଡୁର ତିରୁଭାରୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ। ଥରେ କି ଦୁଇ ଥର ନୁହେଁ ୧୩ଥର ପାଇଁ ସେ ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

By amfnews

Related Post