Sat. Nov 23rd, 2024

କନ୍ଧମାଳରେ ମାଓବାଦୀଙ୍କ ପୁଣି ବର୍ବରକାଣ୍ଡ: ଘରୁ ଡାକି ନେଇ ଠିକାଦାରଙ୍କୁ ଗୁଳି କରି ହତ୍ୟା

By amfnews Apr 29, 2019 #Featured
335 Views

ଫୁଲବାଣୀ: କନ୍ଧମାଳରେ ମାଓବାଦୀ ପୁଣି ବର୍ବରକାଣ୍ଡ କରିଛନ୍ତି। ରାତିରେ ଘରୁ ଡାକି ନେଇ ଠିକାଦାରଙ୍କୁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି। ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତ ଡମାଙ୍ଗପଦର ଗାଁରେ ଏଭଳି ଘଟଣା ଘଟିଛି। ଏହି ଗାଁର ଠିକାଦାର କୈଳାସ ଦିଗାଲଙ୍କୁ ପୁଲିସ ଇନଫରମର ସନ୍ଦେହରେ ପୂର୍ବରୁ ମାଓବାଦୀ ସତର୍କ କରାଇଥିଲେ। କୈଳାସ ଘରେ ପରିବାର ସହ ରାତିରେ ଶୋଇଥିଲେ। କେକେବିଏନ ମାଓ ସଂଗଠନର ୧୫ରୁ ୨୦ ଜଣ ତାଙ୍କର ଘରେ ପହଞ୍ଚି କବାଟ ବାଡେଇ ଥିଲେ। କୈଳାସ ନିଦରୁ ଉଠି କବାଟ ଖୋଲିବା ପରେ ତାଙ୍କୁ ମାଓବାଦୀ ଡାକି କିଛି ଦୂର ନେଇ ନିକଟରୁ ଗୁଳି କରି ଦେଇଥିଲେ। ସେଠାରେ କୈଳାସଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ପାଖରେ ପୋଷ୍ଟର ପକାଇ ମାଓବାଦୀ ସେଠାରୁ ପଳାଇ ଯାଇଥିଲେ। ପରିବାର ଲୋକ ରାତିସାରା ବହୁ ଖୋଜାଖୋଜି କରିଥିଲେ।

ଆଜି ସକାଳେ ଘରଠାରୁ ୨ଶହ ମିଟର ଦୁର ଜଙ୍ଗଲ ନିକଟରେ କୈଳାସଙ୍କ ଗୁଳିବିଦ୍ଧ ମୃତଦେହ ପଡିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ମାଓବାଦୀ ସଂଗଠନ ସହ ବିଶ୍ୱାସଘାତକତା କରି ପୁଲିସକୁ ସହଯୋଗ କରୁଥିବାରୁ କୈଳାସକୁ ମୃତ୍ୟୁଦଣ୍ଡ ଦିଆଗଲା। ଏହା ପରେ ଟାର୍ଗେଟରେ ଜଣେ ସରପଞ୍ଚ ଓ ଜଣେ ୱାର୍ଡମେମ୍ବର ଅଛନ୍ତି ବୋଲି ପୋଷ୍ଟରରେ ମାଓବାଦୀ ଉଲ୍ଲେଖ କରିଛନ୍ତି। କେଉଁ ପଞ୍ଚାୟତର ସରପଞ୍ଚ ଓ ୱାର୍ଡମେମ୍ବର ଟାର୍ଗେଟରେ ଅଛନ୍ତି। ପୋଷ୍ଟରରେ ଉଲ୍ଲେଖ ନଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଘଟଣା ସମ୍ପର୍କରେ ଖବର ପାଇଁ ପୁଲିସ ସେଠାରେ ପହଞ୍ଚି ନାହିଁ।

ପରିବାର ଲୋକ ଏକ ଅଟୋରେ କେଳାସଙ୍କ ମୃତ ଦେହକୁ ଆଣି ଫିରିଙ୍ଗିଆରେ ପହଞ୍ଚାଇଥିବା ଜଣା ପଡିଛି। ମୃତ କୈଳାସଙ୍କର ବିଧବା ପତ୍ନୀ ଓ ୨ ପିଲା ଅଛନ୍ତି। କୈଳାସଙ୍କ ମୃତ୍ୟୁ ପରେ ପରିବାର ବେସାହାରା ହୋଇ ପଡିଥିବା ବେଳେ ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଗତ ୧୭ ତାରିଖ ସକାଳେ ନିର୍ବାଚନ ପୂର୍ବ ଦିନ ମାଓବାଦୀ ସୁମେରବନ୍ଧ ପଞ୍ଚାୟତ ମିଙ୍ଗୁନପଦର ନିକଟରେ ବୁଥକୁ ଯାଉଥିବା ପୁଲିଂ ଦଳକୁ ଓହ୍ଲାଇ ୨ଟି ବୋଲେରୋ ଗାଡି ଓ ଗୋଟିଏ ବାଇକ ପୋଡି ଦେଇଥିଲେ। ସେ ଦିନ ଅପରାହ୍ନରେ ବାଲନ୍ଦପଡା ଯାଉଥିବା ପୁଲିଂ ଚେକିଂ ଟିମ ଗାଡି ଉପରକୁ ଗୁଳିମାଡ ସହ ଲ୍ୟାଣ୍ଡ ମାଇନ ବିସ୍ପୋରଣ କରିଥିଲେ, ଯେଉଁଥିରେ କି ମହିଳା ଜିଆରଏସ ସଂଯୁକ୍ତା ଦିଗାଲଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଇଟି ଘଟଣାକୁ ୧୦ ଦିନ ପୁରୁଣୁ ପୁଣି ମାଓବାଦୀ ଜଣେ ଠିକାଦାରଙ୍କୁ ଘରୁ ଡାକି ଗୁଳି କରି ହତ୍ୟା କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ପୁଲିସକୁ ଚ୍ୟାଲେଞ୍ଜ ଦେଇ କନ୍ଧମାଳରେ ମାଓବାଦୀ ସଂଗଠନକୁ ସୁଦୃଢ କରି ଚାଲିଥିବା ବେଳେ ବଡଧରଣର ହମଲା କରିବାକୁ ବ୍ଲୁପ୍ରିଣ୍ଟ ଚଳାଇଛନ୍ତି। ଆଜିର ଘଟଣା ପରେ ପୁଲିସ କୁମ୍ବି ଅପରେସକୁ ଜୋରଦାର କରିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

By amfnews

Related Post