Thu. Dec 26th, 2024

କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍ କରାଇ ଚର୍ଚ୍ଚାରେ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର

By amfnews Jun 6, 2019 #Featured
113 Views

ପାଟଣାଗଡ : ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଉଠବସ୍ କରାଇ ଚର୍ଚ୍ଚାରେ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର । ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ, ପୂର୍ତ୍ତ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍ କରାଇଛନ୍ତି ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର । ବୁଧବାର ସନ୍ଧ୍ୟା ସମୟ । ପାଟଣାଗଡ ବେଲପଡା ଗସ୍ତରେ ଯାଇଥାନ୍ତି ନବନିର୍ବାଚିତ ବିଧାୟକ ସରୋଜ ମେହେର । ଆଉ ଏହି ସମୟରେ ସ୍ଥାନୀୟବାସୀଙ୍କ ସହ ବିଧାୟକଙ୍କ ଆଲୋଚନା ହୋଇଥିଲା । ତେବେ ମଣ୍ଡଲଠାରୁ ବେଲପଡା ଯାଏଁ ନିର୍ମାଣ ହେଉଥିବା ବାଇ ପାସ ରୋଡକୁ ନେଇ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟବାସୀ ।

ନିମ୍ନମାନର ରାସ୍ତାକାମ ହୋଇଥିବା ନେଇ ଅଭିଯୋଗ କରିଥିଲେ ସ୍ଥାନୀୟବାସୀ । ଏପରିକି ବିଧାୟକଙ୍କ ସାମ୍ନାରେ ନିମ୍ନମାନର କାମ ହୋଇଥିବା ନେଇ ମଧ୍ୟ ପ୍ରମାଣ ଦେଇଥିଲେ ଲୋକେ । ହାତରେ ଏବଂ କୋଡିରେ ରାସ୍ତାର ପିଚୁ କାଢିଥିଲେ । ଆଉ ରାସ୍ତାରୁ ଅତି ସହଜରେ ମଧ୍ୟ ପିଚୁ ଉଠିଯାଉଥିଲା ।ସ୍ଥାନୀୟବାସୀଙ୍କ ଅଭିଯୋଗ ପରେ ଆକ୍ସନ ମୋଡକୁ ଚାଲିଆସିଥିଲେ ବିଧାୟକ ସରୋଜ ମେହେର । ସଙ୍ଗେ ସଙ୍ଗେ ରାସ୍ତା ନିର୍ମାଣ କରୁଥିବା ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଘଟଣାସ୍ଥଳକୁ ଡାକିଥିଲେ ବିଧାୟକ । ନିମ୍ନମାନର ରାସ୍ତାକାମ ନେଇ ତାଙ୍କ ଠାରୁ କଇଫତ ମାଗିବା ସହ ୧୦୦ ଥର ଉଠବସ ହେବାକୁ କହିଥିଲେ । ଏପରିକି ସର୍ବସମ୍ମୁଖରେ ୩ରୁ ୪ ଥର ଉଠବସ ହୋଇଥିଲେ ଏହି ସରକାରୀ ଅଫିସର । ଏହି ଘଟଣାର ପୁରା ଭିଡିଓ ମଧ୍ୟ ମୋବାଇଲ ଫୋନରେ ରେକର୍ଡ ହୋଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ଏହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଧାୟକଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ କିଛି ମହଲରେ ସ୍ୱାଗତ କରାଯାଇଥିବା ବେଳେ ଜଣେ ଆଦିବାସୀ ଅଫିସରଙ୍କୁ ସର୍ବସମ୍ମୁଖରେ ଏଭଳି ଦଣ୍ଡ ଦେବା କେତେ ଦୂର ଯୁକ୍ତିଯୁକ୍ତ ଏବେ ସେନେଇ ପ୍ରଶ୍ନ ଉଠିଛି । ଏପରିକି ଏହି ଘଟଣାକୁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ବିଧାୟକଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ନାମରେ ଥାନାରେ ଏତଲା ଦାୟର କରାଯିବ ବୋଲି  ସୂଚନା ଦେଇଛନ୍ତି ସଂଘର ମହାସଚିବ ନିରଞ୍ଜନ ବିଶି । ଏପରିକି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

By amfnews

Related Post