କାଳିଆପାଣି , ନଭେମ୍ବର, ୬: ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସରକାର ଓ ପୋଲିସ ଆହ୍ବାନ ଦେଉଛନ୍ତି। ସେମାନଙ୍କୁ ଆର୍ଥିକ ସହାୟତା ଓ ଥଇଥାନର ପ୍ରଲୋଭନ ଦେଖାଉଛନ୍ତି। କିନ୍ତୁ ବାସ୍ତବରେ ଏହା କାର୍ଯ୍ୟକାରୀ ହେଉନି। ସିପିଆଇ (ମାଓବାଦୀ) ସଂଗଠନର ସକ୍ରିୟ କ୍ୟାଡର ତଥା ମାଓ ଦମ୍ପତି ଝୁମୁରା ହେମ୍ବ୍ରମ୍ ଓ ଜମାଦାର ହେମ୍ବ୍ରମ ୮ ବର୍ଷ ତଳେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। କେବଳ ଜମାଦାରଙ୍କୁ ଆର୍ଥିକ ସହାୟତା ମିଳିଲା। କିନ୍ତୁ ଝୁମୁରାଙ୍କୁ ଆଜି ସୁଦ୍ଧା ଟଙ୍କାଟିଏ ଆର୍ଥିକ ସହାୟତା ମିଳିନାହିଁ କିମ୍ବା ସରକାରଙ୍କ କୌଣସି ଯୋଜନାରେ ସାମିଲ ମଧ୍ୟ କରାଯାଇ ନାହିଁ। ଏହି ଦମ୍ପତି ଏବେ ଦୟନୀୟ ଭାବେ ବଞ୍ଚୁଛନ୍ତି। ଝୁମୁରା ପର ଘରେ କାମଧନ୍ଦା କରି ଏପରିକି ବାସନ ମାଜି ଅତି ଦୁଃଖ କଷ୍ଟରେ ଚଳୁଛନ୍ତି।
ତତ୍କାଳୀନ ଏସ୍ପି ଡିଏସ୍ କୁଟ୍ଟେଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କଲାବେଳେ ପୁଲିସ୍ ଏମାନଙ୍କୁ ସରକାରୀ ପ୍ୟାକେଜ୍ ଲୋଭ ଦେଖାଇଥିଲା। ଝୁମୁରାଙ୍କ କ୍ଷୋଭ ହେଲା, ପୁଲିସ୍ ଆହ୍ବାନରେ ଅନୁପ୍ରାଣିତ ହୋଇ ସେ ମାଓ ଶିବିର ଛାଡ଼ିଥିଲେ ମଧ୍ୟ ତାଙ୍କୁ ଏଯାବତ୍ କୌଣସି ସହାୟତା ମିଳିନି। ପୁଲିସ୍ ସହାୟତାରେ ବ୍ୟାଙ୍କ ଜମାଖାତା ଖୋଲା ଯାଇଥିଲେ ମଧ୍ୟ ଏଥିରେ ଟଙ୍କାଟିଏ ବି ଜମା ହୋଇ ନାହିଁ। ତାଙ୍କୁ ଇନ୍ଦିରା ଆବାସ, ମୋ କୁଡ଼ିଆ, ଖଣି ପ୍ରଭାବିତ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସରେ ସାମିଲ କରାଯାଇ ନାହିଁ। ମନରେଗା ଯୋଜନାରେ ଉଭୟଙ୍କ ପାଖରେ ଜବ୍ କାର୍ଡ ମଧ୍ୟ ନାହିଁ। ଗାଁ ପାଖ ରଗଦା ଡ୍ୟାମ୍ରୁ ସାମୟିକ ମାଛ ମାରିବା ଏବଂ ପର ଘରେ କାମଧନ୍ଦା କରି ଅଭାବ ଓ ଅନଟନ ମଧ୍ୟରେ ଦୁଇଟି ସନ୍ତାନକୁ ନେଇ ଏମାନେ ବହୁ କଷ୍ଟରେ ଚଳୁଥିବା କହିଛନ୍ତି ଝୁମୁରା।
ଏମାନେ ଶିବିରରେ ଉଭୟ ସୁରେଶ ଓ ଲତା ନାଁରେ ପରିଚିତ ଥିଲେ। ଶିମିଳିପାଳ ଅଭୟାରଣ୍ୟ ବନ କାର୍ଯ୍ୟାଳୟ ହମଲା, ପାଲଲହଡ଼ା ଚା ବଗିଚା ହମ୍ଲା, ରେବଣା ପଳାସପାଳ ଜମିଦାର ସୁନାରାମ ଟୁଡ଼ୁଙ୍କ ଘର ଉପରେ ଆକ୍ରମଣ ଓ ବାଂଶପାଳ ଫାଣ୍ଡି ପୋଡ଼ି ଘଟଣାରେ ଜମାଦାର ସଂପୃକ୍ତ ଥିବାବେଳେ ଝୁମୁରା ଗାଁ ଗାଁ ବୁଲି ସଂଗଠନ ସପକ୍ଷରେ ପ୍ରଚାର କରୁଥିଲେ।