Sat. Mar 7th, 2026

କଣ୍ଟେନମେଣ୍ଟ ଜୋନ୍‌ ଲାଗି ଆସିଲା ନୂଆ ନିର୍ଦ୍ଦେଶନାମା

303 Views

ଭୁବନେଶ୍ୱର : କରୋନା ମୁକାବିଲା ଲାଗି ନିର୍ଦ୍ଧିଷ୍ଟ ଅଞ୍ଚଳରେ ହେଉଥିବା କଣ୍ଟେନମେଣ୍ଟ ଜୋନ୍ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ଲାଗି ହୋଇଥିବା କଣ୍ଟେନମେଣ୍ଟ ଜୋନ୍‌କୁ ସମ୍ପୂର୍ଣ୍ଣ ବ୍ୟାରିକେଡ୍ କରାଯାଇ ପ୍ରବେଶ ଏବଂ ପ୍ରସ୍ଥାନକୁ ନିଷିଦ୍ଧ କରାଯିବ।   ତେବେ ଜୋନ୍‌ରେ ଏକାକୀ ରହୁଥିବା ମହିଳାଙ୍କ ଘର, ବୟସ୍କ ବ୍ୟକ୍ତି ତଥା ଗର୍ଭବତୀ ରହୁଥିବା ଘର, ଗୁରୁତର ଆକ୍ରାନ୍ତ ବ୍ୟକ୍ତି ଏବଂ ଦିବ୍ୟାଙ୍ଗଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

ଅଙ୍ଗନଓ୍ୱାଡି, ANM, ସ୍ୱାସ୍ଥ୍ୟ କର୍ମୀ ଓ  ଶିକ୍ଷକଙ୍କ ଟିମ୍ କଣ୍ଟେନମେଣ୍ଟ ଜୋନ୍‌ରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବେ। ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଥିବା ସମସ୍ତ ବ୍ୟକ୍ତିଙ୍କ ନମୂନା ସଂଗ୍ରହ କରି ପରୀକ୍ଷା କରାଯିବ।

ସେହିପରି ସ୍ଥାନୀୟ ସଂକ୍ରମଣକୁ ରୋକିବା ଲାଗି ଲକ୍ଷଣ ଦେଖାଯାଉ ନ ଥିବା ବ୍ୟକ୍ତିଙ୍କ  ନମୂନା ମଧ୍ୟ  ସଂଗ୍ରହ କରାଯିବ। ଘରେ ଯେଭଳି ଜରୁରୀ ସାମଗ୍ରୀ ଓ ଆବଶ୍ୟକୀୟ ଔଷଧ ପହଞ୍ଚିବ ସେ ନେଇ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବେ।

ଜୋନ୍ ଅଞ୍ଚଳର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ହ୍ୱାଟସ୍‌ଆପ୍ ଗ୍ରୁପ୍ କରାଯିବ। ଏହି ଗ୍ରୁପ ଜରିଆରେ ଜୋନ୍ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇପାରିବ।

ଦୁଇ ରାଉଣ୍ଡ ସର୍ଭେ ପରେ ଯଦି ନୂଆ ପଜିଟିଭ କେସ୍ ନ ବାହାରିଲା ତେବେ ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯିବ।

ଏନେଇ ପୁଲିସ ଡିଜି, ସମସ୍ତ ଅତିରିକ୍ତ ସଚିବ ଓ  ପ୍ରମୁଖ ସଚିବ, ସବୁ ଜିଲ୍ଲାର ଜିଲ୍ଲାପାଳ, ପୁଲିସ କମିଶନର, ସବୁ ମ୍ୟୁନିସିପାଲ କମିଶନର ଏବଂ ପୌର ନିର୍ବାହୀ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚିଠି ଲେଖିଛନ୍ତି।

By amfnews

Related Post