Sat. Mar 7th, 2026

କଟକଣା କୋହଳ ପରେ କଶ୍ମୀରରେ ବିଶାଳ ବିକ୍ଷୋଭ, ଓମାର ଓ ଫାରୁକଙ୍କ ଭଉଣୀ ଅଟକ

196 Views

ଶ୍ରୀନଗର: ଅଗଷ୍ଟ ୫ରୁ ଲାଗୁ ହୋଇଥିବା କଟକଣା କୋହଳ ପରେ ଆଜି ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ମହିଳା ସଭିଲ୍‌ ସୋସାଇଟ୍‌ ପକ୍ଷରୁ ବିଶାଳ ବିକ୍ଷୋଭ ଆୟୋଜନ କରାଯାଇଛି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଭଉଣୀ ସୈଫିଆ ଅବଦୁଲ୍ଲା ଓ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ସୁରାୟା ଅବଦୁଲ୍ଲା ଭାଗ ନେଇଥିଲେ। ତେବେ ସୁରକ୍ଷାକର୍ମୀମାନେ ଉଭୟଙ୍କୁ ବିକ୍ଷୋଭ ସ୍ଥଳରୁ ଉଠାଇ ନେଇ ଅଟକ ରଖିଛନ୍ତି।

ଏମାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟ ବିଚାରପତି ବାଶିର ଅହମ୍ମଦ ଖାନ୍‌ଙ୍କ ପତ୍ନୀ ହାୱା ବଶିରଙ୍କୁ ମଧ୍ୟ ପୁଲିସ୍‌ ଅଟକ ରଖିଛି। ସେମାନେ କହିଛନ୍ତି, ଆମକୁ ଅଗଷ୍ଟ ୫ରୁ ଗୃହବନ୍ଦୀ କରି ରଖାଯାଇଥିଲା। ଆମ ଇଚ୍ଛା ବିରୋଧରେ ଧାରା ୩୭୦କୁ ଉଚ୍ଛେଦ କରାଯାଇଛି। ଏହାକୁ ଆଦୌ ଗ୍ରହଣ କରାଯିବ ନାହିଁ।

ଏହି ବିକ୍ଷୋଭ ସମାବେଶରେ ଶତାଧିକ କଶ୍ମୀର ମହିଳା ଭାଗ ନେଇଥିଲେ। ଏହି ମହିଳାମାନେ ଲାଲଚୌକ ଠାରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ପୁଲିସ୍‌ ଏହି ବିକ୍ଷୋଭକୁ ଭଣ୍ଡୁର କରିଦେବା ସହ ଆନ୍ଦୋଳକାରୀମାନଙ୍କୁ ଅଟକ ରଖିଛି।

ଏହି ଅଟକ ଥିବା ମହିଳାଙ୍କ ମଧ୍ୟରେ ଅନେକ ପୂର୍ବତନ ପ୍ରଫେସର ଓ ଏକାଡେମୀସିଆନ୍‌ମାନେ ରହିଛନ୍ତି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିଥିବାରୁ ମହିଳାମାନେ ଏହାକୁ ବିରୋଧ କରିଛନ୍ତି। ଏମାନେ ହାତରେ ବ୍ୟାନର ଓ ପୋଷ୍ଟର ଧରି କେନ୍ଦ୍ର ବିରୋଧରେ ବର୍ଷିଥିଲେ। ତେବେ ପରିସ୍ଥିତି ଅଣାୟାତ୍ତ ହେବା ପୂର୍ବରୁ ସୁରକ୍ଷାକର୍ମୀମାନେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲେ।

କେନ୍ଦ୍ର ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ସେବେଠାରୁ ଓମାର ଅବଦୁଲ୍ଲା, ଫାରୁକ ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ଭଳି ଏକ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି। ଧୀରେଧୀରେ କଶ୍ମୀର ସ୍ଥିତି ସ୍ୱାଭାବିକ ହେଉଥିବାରୁ ପ୍ରଶାସନ ବିଭିନ୍ନ ସ୍ଥାନରେ ଲାଗୁ କରିଥିବା କଟକଣାକୁ ପ୍ରତ୍ୟାହାର କରିଛି। ଏପରି କି ଗତକାଲି ଠାରୁ ଲୋକଙ୍କୁ ପୋଷ୍ଟପେଡ୍‌ ମୋବାଇଲ ସେବା ମଧ୍ୟ ଯୋଗାଇ ଦିଆଯାଇଛି। ହେଲେ ଆଜି ପ୍ରଥମଥର ପାଇଁ ମହିଳାମାନେ ଏକାଠି ହୋଇ ଆନ୍ଦୋଳନ କରିବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

By amfnews

Related Post