ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଘର ମଧ୍ୟ ଭୁବନେଶ୍ୱରରେ।
ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରୁ ତାଙ୍କ ଠାରେ କରୋନା ଭୂତାଣୁ ପ୍ରବେଶ କରିଥିବା ଜଣାପଡ଼ିଛି। ଆର୍ଏମ୍ଆର୍ସିରେ ପରୀକ୍ଷା ପରେ ଏହା ଜଣାପଡ଼ିଥିବା ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟିନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ। ତେବେ ୧୩ ତାରିଖରୁ ଥଣ୍ଡା ଓ ଜ୍ୱର ନ ଛାଡ଼ିବାରୁ ସେ କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ। ତାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନିରୀକ୍ଷଣରେ ରଖାଯାଇଛି। ଏପରିକି ସଂପୃକ୍ତ ଯୁବକ ଆସିଥିବା ଟ୍ରେନ୍ର ଯାତ୍ରୀଙ୍କୁ ମଧ୍ୟ ଖୋଜାଯିବ ବୋଲି ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏ ନେଇ ସ୍ପଷ୍ଟ କରାଯାଇଛି। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର (ଆଇଇସି) ସୁବ୍ରତ ବାଗଚୀ ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, “ଜଣେ ୩୩ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଯୁବକ ଇଟାଲିରେ ଗବେଷଣା କରୁଥିଲେ। ୬ ତାରିଖରେ ଦିଲ୍ଲୀ ଫେରିଥିଲେ ଓ ୧୨ ତାରିଖରେ ଭୁବନେଶ୍ୱର ଆସିଥିଲେ। ୧୩ ତାରିଖରେ ଜଣେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ। ପରେ ୧୪ ତାରିଖରେ ଆଡମିଟ୍ ହୋଇଥିଲେ। ୧୫ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭି ଆସିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯେଉଁମାନଙ୍କ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ଖୋଜା ହେଉଛି।”