Fri. Mar 13th, 2026

ଓଡ଼ିଶା ଖଣିଜରେ ଛତିଶଗଡ଼ ଧନୀ

196 Views

ବରଗଡ଼ : ବରଗଡ଼ ଜିଲ୍ଲାରେ ବାଲି ଏବଂ ଖଣିଜ ପଦାର୍ଥ ଚୋରା କାରବାରରେ ଛତିଶଗଡ଼ ଧନୀ ପାଟଲିଛି। ସୀମାନ୍ତବର୍ତ୍ତୀ ବ୍ଲକ ବିଶେଷକରି ପଦ୍ମପୁର, ଝାରବନ୍ଧ ଏବଂ ଅମ୍ବାଭୋନା ଇଲାକାରେ ବ୍ୟାପକ ଲଘୁଖଣି ଲୁଟ୍‌ ଚାଲିଛି। ଉଭୟ ରାଜ୍ୟର ମାଫିଆଙ୍କ ସଲାସୁତୁରାରେ ଏହି କାରବାର ବର୍ଷ ତମାମ ଚାଲିଛି। ଏହି ମାଫିଆଗିରି ଉପରେ ରୋକ୍‌ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ କିଛି ବିହିତ ପଦକ୍ଷେପ ହୋଇନାହିଁ। ପଦ୍ମପୁର ଉପଖଣ୍ଡ ଛତିଶଗଡ଼ି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ସାନକୁଞ୍ଜାରି, ବଡ଼ କୁଞ୍ଜାରି, ପୁଟକା ଏବଂ ମହୁଲପାଲି ଆଖପାଖ ଅଂଚଳରେ ଚୋରା ଖଣି ଖନନ ଚାଲିଛି।

ଜଂଗଲ ଭିତରେ ଖଣି ଗୁଡ଼କରେ ବ୍ଲାଷ୍ଟିଂ କରି ଚୂନ ପଥର ଏବଂ ଲୁହା ପଥର ଚୋରା ଚାଲାଣ ହେଉଛି। ଆଖପାଖ ଗାଁ ଲୋକେ ଖଣି ପାଖକୁ ଗଲେ ମାଫିଆମାନେ ହତ୍ୟା ଧମକ ଦେଉଛନ୍ତି। ଫଳରେ ଭୟରେ କେହି ସେଠାକୁ ଯାଉନାହାନ୍ତି। ପୁଟକା ଗାଁ ସଂଲଗ୍ନ ଜଂଗଲରୁ ଦୀର୍ଘ ଦଶନ୍ଧି ହେଲା ଚୂନ ପଥର ଖୋଳା ଚାଲିଛି। ବିନା ପରମିଟ୍‌ରେ ଛତିଶଗଡ଼ର ଡମ୍ପର ଏଠାରୁ ମାଲ୍‌ ନେଇ ଜଂଗଲିଆ ରାସ୍ତାରେ ଛତିଶଗଡ଼ ସୀମାକୁ ନେଇଥାନ୍ତି। ଜଗଦଲପୁର ଅଂଚଳରେ ମଧ୍ୟ ଛତିଶଗଡ଼ି ମାଫିଆଙ୍କ ଆଖିରୁ ବାଦ୍‌ ପଡ଼ିନାହିଁ। ସୀମାନ୍ତବର୍ତୀ ଅଂଚଳରେ ପୁଲିସ୍‌ର ନିୟନ୍ତ୍ରଣ କମ୍‌ ଥିବାରୁ ମାଫିଆ ସକ୍ରିୟ ରହିଛନ୍ତି। ଅଂଗନଦୀ ଏମାନଙ୍କ ଯାତାୟତର ମାଧ୍ୟମ ପାଲଟିଥାଏ। ଏବେ ବର୍ଷା ଯୋଗୁଁ ନଦୀରେ ପାଣି ଥିବାରୁ ଖଣିଜ ପଥର ଚାଲାଣ ସାମାନ୍ୟ ହ୍ରାସ ପାଇଛି।

ଅଂଗ ନଦୀରୁ ପାଣି କମିବା ପରେ ପୁଣି ଏହି କାରବାର ସକ୍ରିୟ ହେବ। ବଣଜଂଗଲ ପରିବେଷ୍ଠିତ ଅଂଚଳରେ ମଧ୍ୟ ଲଘୁ ଖଣି ଚୋରି ବ୍ୟାପକ ଭାବେ ବଢ଼ିଛି। ଯେଉଁ ଦୁର୍ଗମ ଅଂଚଳକୁ ଲୋକେ ଯିବାକୁ ଭୟ କରୁଛନ୍ତି, ସେଠାରୁ ଲଘୁ ଖଣି ଖନନ ହୋଇ ଛତିଶଗଡ଼କୁ ରତ୍ପାନୀ କରାଯାଉଛି। ଅମ୍ବାଭୋନାର ସୀମାନ୍ତ ଅଂଚଳରୁ ସରକାରୀ ନିୟମକାନୁନକୁ ଖୋଲା ଉଲଂଘନ କରି ନିରନ୍ତର ଲଘୁ ଖଣି ଚୋରି ହେଉଥିବା ଅଭିଯୋଗ ବାରମ୍ବାର ସାମନାକୁ ଆସିଛି। ଅନ୍ୟପକ୍ଷରେ କିଛି ଲିଜ୍‌ଧାରୀ ପଥରକ୍ବାରୀ ଲିଜ୍‌ ନେଇ ବେଆଇନ୍‌ ଭାବେ ଅତିରିକ୍ତ ଖନନ କରି ଅତି କମ୍‌ ଦରରେ ପଥର ଛତିଶଗଡ଼ ଚାଲାଣ କରୁଛନ୍ତି।

ଛତିଶଗଡ଼ରେ ଏଗୁଡ଼ିକୁ ମେଟାଲ୍‌ରେ ପରିଣତ କରାଯାଉଛି। ଏହି ମେଟାଲ୍‌କୁ ସୀମାନ୍ତବର୍ତୀ ଗାଁ ଏବଂ ବ୍ଲକ ଗୁଡ଼ିକରେ ଚଢ଼ା ଦରରେ ବିକ୍ରି ହେଉଛି। କ୍ବାରୀ ଗୁଡ଼ିକରେ ନିୟମ ଉଲଂଘନ କରି ଉଚ୍ଚକ୍ଷମତା ବିଶିଷ୍ଟ ଡ୍ରିଲର ବ୍ୟବହାର ଏବଂ ବ୍ଲାଷ୍ଟିଂ ଚାଲୁଛି। ଲଘୁଖଣି ଖୋଲା ଲୁଟ୍‌ ଚାଲିଥିଲେ ହେଁ ଏହା ଉପରେ ଅଂକୁଶ ଲାଗିପାରୁ ନାହିଁ।

By amfnews

Related Post