ନୂଆଦିଲ୍ଲୀ, ଅଗଷ୍ଟ ୧୯ : ଓଡ଼ିଶା, ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ ସ୍ଥାନରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । ଆଜି ଭୋର ସକାଳୁ ଦିଲ୍ଲୀ ଓ ଭୁବନେଶ୍ୱରରେ ବର୍ଷା ହୋଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବୁଧବାର ଓ ଗୁରୁବାର ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଶୁକ୍ରବାର ସାମାନ୍ୟ ଠାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶନିବାର ପାଣିପାଗ ଶୁଖିଲା ରହିବ । କେରଳରେ ମଙ୍ଗଳବାର ଆହୁରି ୩ ଜଣଙ୍କର ମୃତଦେହ ଉଦ୍ଧାର ହେବା ପରେ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୬୧ରେ ପହଂଚିଛି । କଶ୍ମୀର ଘାଟିରେ ରାତିସାରା ବର୍ଷା ହୋଇଛି ।
ବଙ୍ଗୋପସାଗରରେ ଲଘୁଚାପ ହୋଇଥିବାରୁ ଓଡ଼ିଶାରେ ଆଜିଠାରୁ ବର୍ଷା ପୁଣି ଥରେ ଆରମ୍ଭ ହୋଇଯାଇଛି । ଏପର୍ଯ୍ୟନ୍ତ ମାଲକାନଗିରିରେ ସର୍ବାଧିକ ୩୨୧ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୯୩୩ ଗାଁ ଜଳମଗ୍ନ ହୋଇଛି । ରାଜସ୍ଥାନ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ପଂଜାବ ଓ ହରିୟାଣାର କିଛି ଅଂଚଳରେ ମଙ୍ଗଳବାର ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି ।