Sat. Mar 7th, 2026

ଓଡ଼ିଆ ସିନେମାର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ

416 Views

ଭୁବନେଶ୍ୱର : ଜଣାଶୁଣା ଓଡ଼ିିଆ ସିନେମା ନିର୍ମାତା-ନିର୍ଦ୍ଦେଶକ ତଥା ସଂପାଦକ ଚକ୍ରଧର ସାହୁଙ୍କର ବୁଧବାର ସକାଳେ ହୃଦରୋଗରେ ପରଲୋକ ଘଟିଛି। ‘ନୀଳମାଷ୍ଟ୍ରାଣୀ’, ‘ତୁମକୁ ତ ପାରୁନି ତ ଭୁଲି’, ‘କେବେ ତୁମେ ନାହଁ, କେବେ ମୁଁ ନାହିଁ ’ ଓ ‘ମୀମାଂସା’ ପରି ଚର୍ଚ୍ଚିତ ସିନେମାର ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ପରଲୋକରେ ସନେଜଗତ ସହିତ ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ଅସୁସ୍ଥତା  ହେତୁ ସେ  ଗତ ୧୫ ଦିନ ଧରି ଭୁବନେଶ୍ୱର ଏମ୍‌ସ୍‌ରେ ଚିକିତ୍ସିତ ହେଉଥିଲେ। ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୫ଟା ୪୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମିତ ଶ୍ରୀ ସାହୁ ପୁନେ ଫିଲ୍ମ୍‌ ଇନଷ୍ଟିିଚ୍ୟୁଟ୍‌ରୁ ଫିଲ୍ମ ଏଡିଟିଂରେ ଡିପ୍ଲୋମା କରିଥିଲେ। ଶ୍ରୀ ସାହୁ କିଛି ଦିନ ମୁମ୍ବାଇରେ କାର୍ଯ୍ୟ କରିବା ପରେ ଓଡ଼ିଶା ଆସିଥିଲେ। ପ୍ରସିଦ୍ଧ ହିନ୍ଦୀ ସିନେମା ନିର୍ଦ୍ଦେଶକ ଶ୍ୟାମ ବୋନଗାଲଙ୍କ ସହକାରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରେ ପଢ଼ିବା ବେଳେ ରାଜକୁମାର ହୀରାନୀ, ସଞ୍ଜୟ ଲୀଳା ଭଂସାଲିଙ୍କ ପରି ନିର୍ଦ୍ଦେଶକ ଶ୍ରୀ ସାହୁଙ୍କର ସହପାଠୀ ଥିଲେ। ଏପରିକି ଶ୍ରୀ ସାହୁ ଓଡ଼ିଶା ଫେରି ନୀଳ ମାଷ୍ଟ୍ରାଣୀ ଚଳଚ୍ଚିତ୍ର କରିବା ପରେ ଏକ ଗଣମାଧ୍ୟମର ମୁଖ୍ୟ ଭାବେ କିଛି ଦିନ କାର୍ଯ୍ୟ କରିଥିଲେ। ପରେ ସେ ପୁଣି ନିର୍ଦ୍ଦେଶନା କ୍ଷେତ୍ରକୁ ଫେରି ‘ତୁମକୁ ପାରୁନିତ ଭୁଲି’ ସିନେମା ନିର୍ମାଣ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ଶେଷ ଓଡ଼ିଆ ସିନେମା ଥିଲା  ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଯୋଜିତ ମଞ୍ଜରୀ ମୁଭିଜ୍ ନିବେଦିତ ‘ମୀମାଂସା’।

ତାଙ୍କର  ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅପୂରଣନୀୟ କ୍ଷତି ସୃଷ୍ଟି ହୋଇଛି ଓ ଶୋକର ଛାୟା ଖେଳିଯାଇଛି। ତାଙ୍କର ପରଲୋକରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି।

By amfnews

Related Post