ଓଡ଼ିଶାର ପ୍ରବାଦ ପୁରୁଷ ତଥା ସ୍ୱାଭିମାନୀ ଓଡ଼ିଆ ଭାବରେ ସୁପରିଚିତ ଥିବା ବିଜୁ ପଟ୍ଟନାୟକଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ଶାସନ କ୍ଷମତାକୁ ଆସିଥିଲେ ମଧ୍ୟ ଓଡ଼ିଆ ଭାଷା କହିବା ଓ ଲେଖିବାରେ ତାଙ୍କର ଦକ୍ଷତା ନଥିବାରୁ ସେ କ୍ରମାଗତ ଭାବରେ କେବଳ ବିରୋଧୀ ରାଜନୈତିକ ଦଳମାନଙ୍କ ଦ୍ୱାରା ନୁହେଁ ରାଜ୍ୟର ବୁଦ୍ଧିଜୀବୀମାନଙ୍କ ଦ୍ୱାରା ମଧ୍ୟ ସମାଲୋଚିତ ହେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଥିଲା । ମାତ୍ର ବାସ୍ତବତା ଦୃଷ୍ଟିରୁ ଅନୁଧ୍ୟାନ କଲେ ପ୍ରମାଣିତ ହୁଏ ଯେ, ନବୀନଙ୍କ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିବା ତଥା ଶାସନମୁଖ ଭାବରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, ଡ. ହରେକୃଷ୍ଣ ମହତାବ, ଶ୍ରୀ ବୀରେନ୍ ମିତ୍ର, ଶ୍ରୀ ସଦାଶିବ ତ୍ରିପାଠୀ, ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ, ଶ୍ରୀ ବିଶ୍ୱନାଥ ଦାସ, ନନ୍ଦିନୀ ଶତପଥୀ, ଶ୍ରୀ ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ଡ. ଗିରିଧର ଗମାଙ୍ଗ, ଡ. ହେମାନନ୍ଦ ବିଶ୍ୱାଳ ପ୍ରମୁଖଙ୍କ ଶାସନକାଳରେ ଓଡ଼ିଆ ଭାଷାକୁ ସରକାରୀ ଭାଷାରେ ପରିଣତ କରିବା ଦିଗରେ ଉଲ୍ଲେଖଯୋଗ୍ୟ ପଦକ୍ଷେପ ନିଆଯାଇନଥିଲେ ମଧ୍ୟ ଆମ ରାଜ୍ୟର ଜନପ୍ରତିନିଧି, ସାହିତ୍ୟିକ, ସାମ୍ବାଦିକ ଓ ଭାଷାପ୍ରେମୀମାନେ ବିଶେଷ ପ୍ରତିିକ୍ରିୟା ପ୍ରକାଶ କରିନଥିଲେ । ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଓଡ଼ିଆ ଭାଷା, ଶିକ୍ଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ନେଇଥିବା ଉଲ୍ଲେଖଯୋଗ୍ୟ ପଦକ୍ଷେପଗୁଡ଼ିକୁ ଆଦୌ ଅବଜ୍ଞା କରାଯାଇପାରିବ ନାହିଁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ମନ୍ତ୍ରିମଣ୍ଡଳରେ ରାଜ୍ୟର ସଂସ୍କୃତ ବିଷାରଦ, ଓଡ଼ିଆ ଭାଷା ଓ ସାହିତ୍ୟକୁ ସଂରକ୍ଷିତ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ନିଆଯାଇ ଓଡ଼ିଆ ଭାଷା ଆୟୋଗର ସ୍ଥାପନା କରିବାପାଇଁ ନିଷ୍ପତ୍ତି ନିଆଯାଇଛି ।
କ୍ୟାବିନେଟ୍ର ନିଷ୍ପତ୍ତି ଅନୁସାରେ ୨୦୧୮ ମାର୍ଚ୍ଚ ୧ ତାରିଖରୁ ଓଡ଼ିଶାରେ ପ୍ରଶାସନିକ ତଥା ଆଧିକାରିକ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ଉପଯୋଗ କରାଯିବାର ଅଧିନିମୟ ୧୯୫୪ରେ ଏକ ସଂଶୋଧନ ଅଣାଯାଇଛି । ଏହି ନିୟମର ଉଲ୍ଲଂଘନକାରୀଙ୍କ ପାଇଁ ଉଚିତ୍ ପଦକ୍ଷେପ ନିଆଯିବା ବୋଲି ଘୋଷଣା କରାଯାଇଛି । ଏହି ସହିତ ବିଭିନ୍ନ ପ୍ରକାର ଦୋକାନ ତଥା ବାଣିଜ୍ୟିକ ପ୍ରତିଷ୍ଠାନ ମାନେ ମଧ୍ୟ ଏହି ଅଧିନିୟମକୁ ଗ୍ରହଣ କରିବାକୁ ବାଧ୍ୟ ନିଷ୍ପତ୍ତି ନିଆଯାଇଥିଲା ।
ଓଡ଼ିଆ ଭାଷାର ସୂଦର ପ୍ରଚାର ଓ ପ୍ରସାର ପାଇଁ ପାଞ୍ଚ ବର୍ଷ ଭିତରେ ବିଶ୍ୱ ଓଡ଼ିଆ ଭାଷା ସମ୍ମେଳନର ଆୟୋଜନ କରାଯିବାର ନିଷ୍ପତ୍ତି ମଧ୍ୟ ନିଆଯାଇଛି ।
ଏହା ସହିତ ଓଡ଼ିଆ ଭାଷାରେ ସ୍ନାତକ ଓ ସ୍ନାତୋକତ୍ତର ପାଇଁ କୌଣସି ଶୁକ୍ଳ ନ ରହିବା ସ୍ଥଳେ ଓଡ଼ିଆ ଭାଷାରେ ପିଏଚ୍ଡ଼ି ସିଟ୍ ସଂଖ୍ୟାକୁ ବଢାଇବାର ପ୍ରସ୍ତାବ ମଧ୍ୟ ରହିଛି । ଓଡ଼ିଆ ଭାଷା ଓ ସାହିତ୍ୟରେ ଉନ୍ନତମାନର ଗବେଷଣା ପାଇଁ ବ୍ୟାସକବି ଫକୀରମୋହନ ଛାତ୍ରବୃତ୍ତି ଆଦି ରହିଛି ।
ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ଯୋଗାଇ ଦିଆଯିବା ସହିତ ସରକାରୀ ଅନୁସନ୍ଧାନ ତଥା ଓଡ଼ିଆ ବ୍ଲଗ୍, ଓଡ଼ିଆ ୱେବ୍ସାଇଟ୍ ତଥା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ପୁରସ୍କାରର ଘୋଷଣା ମଧ୍ୟ କରାଯାଇଛି । ଏହା ସହିତ ଓଡ଼ିଆ ଭର୍ଚୁଆଲ୍ ଅକାଦେମୀର ସ୍ଥାପନା ସହ ସାରା ବିଶ୍ୱରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ବ୍ୟାପକ ହୋଇପାରିବ ।
ଗୋଟେ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାର ମାପଦଣ୍ଡ ହେଉଛି ସେହି ଭାଷା ୧୫୦୦-୨୦୦୦ ବର୍ଷର ଲିଖିତ ଗ୍ରନ୍ଥ ଓ ଇତିହାସ, ପ୍ରାଚୀନ ସାହିତ୍ୟ ରହିଥିବା ଆବଶ୍ୟକ । ଗୋଟେ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ସେହି ଭାଷା ଅଧ୍ୟୟନ ପାଇଁ ଉକ୍ରର୍ଷ କେନ୍ଦ୍ର ସ୍ଥାପନା ତଥା ଏହାର ପ୍ରଚାର ପ୍ରସାର ପାଇଁ ଆର୍ଥିକ ଅନୁଦାନ ମିଳିଥାଏ ।
ସରକାରୀ ସ୍ତରରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ନବକୃଷ୍ଣ ଚୌଧୁରୀ ଭାଷା ଆଇନ୍ ତିଆରି କରିଥିଲେ । ୧୯୪୬ ମସିହାରେ ଓଡ଼ିଶାରେ ବିଧାନସଭା ହେବା ପରେ ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ସ୍ୱୀକୃତି ଦେବା ପାଇଁ ନବକୃଷ୍ଣ ଚୌଧୁରୀ ଗୁରୁତ୍ୱ ଦେଇଥିଲେ ମଧ୍ୟ ସେତେବେଳେ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ।
୧୯୩୬ ମସିହାରୁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ପ୍ରଚଳନ କରାଯାଇନଥିଲା । ସରକାରୀସ୍ତରରେ ଏବଂ ଆଇନ୍ ଅଦାଲତରେ ସର୍ବତ୍ର ଇଂରାଜୀ ଭାଷା ବ୍ୟବହୃତ ହୋଇ ଆସିଥିଲା ।
ଓଡ଼ିଆ ଭାଷା କହିବା ଓ ଲେଖିବାରେ ଦକ୍ଷତା ନଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆମ ଭାଷା ଓ ସାହିତ୍ୟକୁ ଜନାଭିମୁଖୀ ଏବଂ ସମୃଦ୍ଧ କରିବା ଦିଗରେ ନେଇଥିବା ଯୁଗାନ୍ତକାରୀ ପଦକ୍ଷେପଗୁଡ଼ିକୁ ତାଙ୍କର କଠୋର ସମାଲୋଚକମାନେ ମଧ୍ୟ ଅସ୍ୱୀକାର କରିପାରିବେ ନାହିଁ ।
ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିବା ଲାଗି ଏବଂ ଓଡ଼ିଆ ଭାଷାର ସ୍ୱତନ୍ତ୍ର ପରିଚୟ ପାଇ ଆମର ଯେଉଁ ପୂର୍ବସୂରୀମାନେ ଉଲ୍ଲେଖଯୋଗ୍ୟ ଅବଦାନ ଦେଇଯାଇଛନ୍ତି, ସେମାନଙ୍କ ମଧ୍ୟରେ କୁଳବୃଦ୍ଧ ମଧୁସୂଦନ ଦାସ ବା ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ ନିଶ୍ଚୟ । ଓଡ଼ିଆମାନଙ୍କର ଅସ୍ମିତା ଓ ସ୍ୱାଭିମାନର ପରିଚୟ ଦେବା ପାଇଁ ସେ ସର୍ବଦା ଉଦ୍ୟମ କରି ଆସିଥିଲେ । ଏପରିକି ନିଜର ବେଶପୋଷାକରେ ମଧ୍ୟ ସେ ଓଡ଼ିଆତ୍ୱର ପରିଚୟ ଦେବା ପାଇଁ ଗର୍ବ ଅନୁଭବ କରୁଥିଲେ ।
ଭାଷାଭିତ୍ତିର ପ୍ରତିଷ୍ଠିତ ଭାରତର ବିିଭିନ୍ନ ରାଜ୍ୟର ଜନସାଧାରଣଙ୍କ ବେଶପୋଷାକ ଦେଖିଲେ ସେମାନଙ୍କୁ ଯେଭଳି ଅନାୟାସରେ ଚିହ୍ନା ଯାଇପାରେ, ଅର୍ଥାତ୍ ବଙ୍ଗୀୟ, ଗୁଜୁରାଟୀ, ମରାଠୀ, ତାମିଲ୍, ତେଲୁଗୁ, ମାଲୟଲମ୍ ପ୍ରଭୃତିକୁ ସେମାନଙ୍କ ବେଶପୋଷାକରୁ ଚିହ୍ନିବା ଅତ୍ୟନ୍ତ ସହଜସାଧ୍ୟ ହୋଇଥାଏ । ସେମାନେ ନିଜ ମାତୃଭାଷାେ କହିବା ପୂର୍ବରୁ ସେମାନଙ୍କ ବେଶପୋଷାକ ଦେଖିଲେ ଜାଣି ହୁଏ ଯେ କିଏ କେଉଁ ପ୍ରଦେଶର ଲୋକ । ସେମାନଙ୍କ ମଧ୍ୟରୁ ଯିଏ ଯେତେ ଉଚ୍ଚ ପଦବୀରେ ଅଧିଷ୍ଠିତ ହେଲେ ମଧ୍ୟ ନିଜ ନିଜର ବେଶପୋଷାକର ପରିବର୍ତ୍ତନ କରୁଥିବା ପରିଲକ୍ଷିତ ହୋଇନଥାଏ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସାଂସଦ ପ୍ରଭୃତି ପଦବୀରେ ଅବସ୍ଥାପିତ ହେଲା ପରେ ମଧ୍ୟ ଅଧିକାଂଶ ସେମାନଙ୍କ ପ୍ରାଦେଶିକ ପୋଷାକ ବ୍ୟବହାର କରିବା ଲାଗି ପଛାଇ ନଥା’ନ୍ତି । ମାତ୍ର ଓଡ଼ିଶାର ଲୋକମାନଙ୍କୁ ସେମାନଙ୍କ ବେଶପୋଷାକରୁ ସ୍ୱତନ୍ତ୍ର ଭାବରେ ଚିହ୍ନିବା ଲାଗି ଏପର୍ଯ୍ୟନ୍ତ ବିଶେଷ ସଚେତନତା ପ୍ରକାଶ ପାଇପାରିନାହିଁ ।
ଓଡ଼ିଶାର ନାଗରିକମାନଙ୍କୁ ସୁସ୍ଥ କରି ଗଢିବା ପାଇଁ ସାଧାରଣ ଭାବରେ କୁହାଯାଉଥିଲା, ‘ମଥାରେ ପଗଡ଼ି, ପାଦରେ ତେଲ, ବଇଦ ସାଙ୍ଗରେ କରିବ ଗେଲ ।’ଆମ ରାଜ୍ୟର ଅଧିକାଂଶ କୃଷକ ବିଲ ବାଡ଼ିରୁ କାମ କରିବା ସମୟରେ ମୁଣ୍ଡରେ ଠେକା ବା ପଗଡ଼ି ଭିଡ଼ିବା ଏକ ସାଧାରଣ ଘଟଣା । ସେହିଭଳି ବିବାହ, ବ୍ରତ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟରେ ଓଡ଼ିଆମାନେ ମୁଣ୍ଡରେ ପଗଡ଼ି ଭିଡ଼ିବାର ପ୍ରଥା ରହିଛି । ନିଜ ମାତୃଭାଷାରେ କଥା ହେବା ଯେଭଳି ଗୁରୁତ୍ୱପୂର୍ଣ୍ଣ, ନିଜକୁ ନିଜ ଜନ୍ମଭୂମିର ସନ୍ତାନ ଭାବରେ ପରିିଚିତ କରାଇବା ତାହାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଜଣେ ବ୍ୟକ୍ତି କଥା କହିବା ପରେ ତା’ ମାତୃଭାଷାର ସୂଚନା ମିଳିଥାଏ । ଅଧିକାଂଶ ରାଜା ଏବଂ ଓଡ଼ିଶାର ଠାକୁର ରାଜା ଭାବରେ ପରିଚିତ ଗଜପତି ମହାରାଜା ପଗଡ଼ି ପିନ୍ଧିବାର ବିଧିବିଧାନ ମଧ୍ୟ ରହିଛି । ମାତ୍ର ଜଣେ ବ୍ୟକ୍ତିକୁ ଦେଖିବା ମାତ୍ରେ ତା’ ଜନ୍ମସ୍ଥାନର ପରିଚୟ ସହଜରେ ଉପଲବ୍ଧ ହୋଇଥାଏ । ସେଇଥିପାଇଁ ହୁଏତ ଉକ୍ରଳ ଗୌରବ ମଧୁସୂଦନ ଓଡ଼ିଆର ସ୍ୱାଭିମାନ ଏବଂ ଅସ୍ମିତାର ପରିଚୟ ଦେବା ପାଇଁ ମୁଣ୍ଡରେ ଠେକା ବା ପଗଡ଼ି ଭିଡୁଥିଲେ । କେତେକ ସ୍ଥାନରେ ସମ୍ମାନିତ କରିବା ସମୟରେ ମୁଣ୍ଡରେ ପଗଡ଼ି ବନ୍ଧା ଯାଇଥାଏ ।
ବେଶପୋଷାକରୁ ଓଡ଼ିଆତ୍ୱର ପରିଚୟ ଦେବା ପାଇଁ ଜନଜାଗରଣ ସୃଷ୍ଟି କରିବାର ଆବଶ୍ୟକତା ଅଛି କି ନାହିଁ, ତାହା ପ୍ରତ୍ୟେକେ ଓଡ଼ିଆ ବିଚାର କରିବାର ସମୟ ଆସିଛି । ନିଜର ବେଶପୋଷାକରେ ଓଡ଼ିଆ ବୋଲି ପ୍ରମାଣିତ କରି ଗର୍ବିତ ଅନୁଭବ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଓଡ଼ିଆ ଭାଷା କହି ନିଜକୁ ଯେ ଅଧିକ ଗର୍ବିତ ଅନୁଭବ କରିବ ଏଥିରେ ସନ୍ଦେହ ନାହିଁ । ଏହାହେଲେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧ ନିମନ୍ତେ ହେଉଥିବା ଜନ ଆନ୍ଦୋଳନ ନିଶ୍ଚିତ ଭାବରେ ଅଧିକ ସୁଦୃଢ ହୋଇପାରିବ ।