Wed. Mar 11th, 2026

ଓଡ଼ିଶା ବିଧାନସଭା କକ୍ଷର ହେବ ପୁନର୍ବିନ୍ୟାସ

161 Views

ଭୁବନେଶ୍ବର : ଓଡ଼ିଶା ବିଧାସନଭା କକ୍ଷର ପୁନର୍ବିନ୍ୟାସ କରାଯିବ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଧାନସଭା କକ୍ଷରେ ଅଧିକ ଖାଲି ସ୍ଥାନ ଓ ସଦସ୍ୟମାନଙ୍କ ଯିବା ଆସିବା କରିବାରେ ସୁବିଧା ପାଇଁ ୩ ଜଣ ବିଧାୟକ ବସିବାଭଳି ସିଟକୁ ଛୋଟ କରି ୨ ଜଣ ବସିବା ଭଳି କରାଯିବ। ଏହାସହିତ ପ୍ରତି ଧାଡ଼ିର ପଛରେ ଥିବା ଲମ୍ବା ବେଞ୍ଚକୁ ଛୋଟ କରି ୩ ଜଣଙ୍କ ପାଇଁ ସୀମିତ ରଖାଯିବ। ଏହାସହିତ ବିଧାନସଭା ଲବିକୁ ମଧ୍ୟ ନୂଆ ରୂପ ଦିଆଯିବ।

ବିଧାନସଭାରେ ସମ୍ପୂର୍ଣ୍ଣ ଇ-ବିଧାନ ପ୍ରଣୟନ କରିବା ପାଇଁ ଏବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳି ହିମାଚଳ ପ୍ରଦେଶ ଗସ୍ତ କରିଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାନସଭା କକ୍ଷରେ ପ୍ରତି ସଦସ୍ୟଙ୍କ ପାଇଁ ଲାପଟପ୍ ବ୍ୟବସ୍ଥା କରାଯିବ। ଏହାସହିତ କକ୍ଷରୁ କର୍ପେଟଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ସାଜସଜ୍ଜାରେ ଆମୁଳଚୁଳ ପରିବର୍ତ୍ତନ ଅଣାଯିବ। ଆସନ୍ତା ଶୀତ ଅଧିବେଶନ ପରେ ଟେଣ୍ଟର କରାଯାଇ କାମ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି। ବିଧାନସଭାର ପୁନର୍ବିନ୍ୟାସ ନେଇ ଗତ ୧୬ ତାରିଖ ଦିନ ବାଚସ୍ପତି ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ବିଧାନସଭାକୁ ନୂଆ ରୂପ ଦେବା ପାଇଁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। କମିଟି କର୍ଣ୍ଣାଟକ ଓ ମହାରାଷ୍ଟ୍ର ବିଧାନସଭା ଗସ୍ତ କରି ସେଠାକାର ବିଧାନସଭା କକ୍ଷର ସୁବିଧା ବିଷୟରେ ଅନୁଧ୍ୟାନ କରିବ।

By amfnews

Related Post